ଈରାନୀ କପ୍‌: କର୍ନେୱାରଙ୍କ ଶତକରେ ବିଦର୍ଭ ଦୃଢ଼

ନାଗପୁର: ଅବଶିଷ୍ଟ ଭାରତ ବିପକ୍ଷ ଈରାନି କପ୍‌ରେ ରଣଜୀ ଟ୍ରଫି ବିଜେତା ବିଦର୍ଭ ଅକ୍ଷୟ କର୍ନେୱାରଙ୍କ ଚିକାକର୍ଷକ ଶତକ ବଳରେ ପ୍ରଥମ ପାଳି ଅଗ୍ରଣୀ ସହ ସ୍ଥିତି ଦୃଢ଼ କରିନେଇଛି। ନାଗପୁରରେ ଚାଲିଥିବା ଏହି ମ୍ୟାଚ୍‌ରେ ବିଦର୍ଭ ବୋଲରମାନେ ଅବଶିଷ୍ଟ ଭାରତ ପ୍ରଥମ ପାଳିକୁ ୩୩୦ ରନ୍‌ରେ ସୀମିତ ରଖିଦେବା ପରେ ବ୍ୟାଟ୍‌ସମ୍ୟାନ୍‌ମାନେ ଦଳକୁ ୯୫ ରନ୍‌ର ଅଗ୍ରଣୀ ଦେଇଛନ୍ତି। ଗୋଟିଏ ଶତକ ଓ ଦୁଇଟି ଅର୍ଧଶତକ ବଳରେ ବିଦର୍ଭ ପ୍ରଥମ ପାଳିରେ ୪୨୫ ରନ୍‌ କରିନେଇଛି। ରଘୁନାଥ ସଞ୍ଜୟ (୬୫) ଓ ଅକ୍ଷୟ ୱାଦେକର (୭୩) ଅର୍ଧଶତକ ଜମାଇବା ସତ୍ତ୍ବେ ୩୦୫ ରନ୍‌ରେ ୭ ୱିକେଟ୍‌ ଦଖଲ କରି ଅବଶିଷ୍ଟ ଭାରତ ବୋଲରମାନେ ମ୍ୟାଚ୍‌କୁ ଫେରିଥିଲେ। ହେଲେ ଅଷ୍ଟମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା କର୍ନେୱାର ଏକ ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ସେ ୧୩୩ ବଲ୍‌ରୁ ୧୩ ଚୌକା ଓ ୨ ଛକା ସହାୟତାରେ ୧୦୨ ରନ୍‌ କରି ବିଦର୍ଭ ସ୍ଥିତି ଦୃଢ଼ କରିନେଇଥିଲେ। ଏହା ମଧ୍ୟ କର୍ନେୱାରଙ୍କ ପ୍ରଥମ ପ୍ରଥମଶ୍ରେଣୀ ଶତକ ଥିଲା। କର୍ନେୱାର ସପ୍ତମ ୱିକେଟ୍‌ରେ ୱାଦେକରଙ୍କ ସହ ୭୯ ଏବଂ ଅଷ୍ଟମ ୱିକେଟ୍‌ରେ ଅକ୍ଷୟ ୱାଖରେଙ୍କ ସହ ୭୬ ରନ୍ ଯୋଡ଼ିଥିଲେ। ଅକ୍ଷୟ ୱାଖାରେ (୨୦), ରଜନୀଶ ଗୁର୍‌ବାନୀ (୨୮*) ଓ ୟଶ୍‌ ଠାକୁର (୧୦)ଙ୍କ ସ୍ବଳ୍ପ ତଥା ଉପଯୋଗୀ ଅବଦାନ ବଳରେ ବିଦର୍ଭ ୪୦୦ ଟପି ଯାଇଥିଲା। ଅବଶିଷ୍ଟ ଭାରତ ପକ୍ଷରୁ ୧୯ ବର୍ଷ ବୟସ୍କ ରାହୁଲ୍‌ ଚହର୍‌ ସର୍ବାଧିକ ୪ ୱିକେଟ୍‌ ବାଣ୍ଟିନେଇଥିଲେ।

ପ୍ରଥମ ପାଳିରେ ୯୫ ରନ୍‌ର ପଛୁଆ ରହିଥିବା ଅବଶିଷ୍ଟ ଭାରତ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦ୍ବିତୀୟ ପାଳିରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ୍ (୨୭) ଓ ଅନ୍‌ମୋଲ୍‌ପ୍ରୀତ୍‌ ସିଂହ (୬)ଙ୍କ ୱିକେଟ୍‌ ହରାଇ ୧୦୨ ରନ୍‌ କରିଛି। ପ୍ରଥମ ପାଳିରେ ଶତକ ଜମାଇଥିବା ହନୁମା ବିହାରୀ (୪୦) ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ (୨୫) ସ୍ଥିତି ସୁଧାରିବାରେ ଲାଗିଛନ୍ତି।

ସଂକ୍ଷିପ୍ତ ସ୍କୋର: ଅବଶିଷ୍ଟ ଭାରତ ପ୍ରଥମ ପାଳି-୩୩୦ (ହନୁମା ବିହାରି ୧୧୪, ମୟଙ୍କ ଅଗ୍ରୱାଲ ୯୫, ଆଦିତ୍ୟ ସରୱାତେ ୩/୯୯, ଅକ୍ଷୟ ୱାଖରେ ୩/୬୨, ରଜନୀଶ ଗୁରବାଣୀ ୨/୫୮)। ବିଦର୍ଭ ପ୍ରଥମ ପାଳି-୪୨୫ (ଅକ୍ଷୟ କର୍ନେୱାର ୧୦୨, ସଞ୍ଜୟ ରଘୁନାଥ ୬୫, ଅକ୍ଷୟ ୱାଦେକର ୭୩, ରାହୁଲ ଚହର୍‌ ୪/୧୧୨, ଧର୍ମେନ୍ଦ୍ରସିଂହ ଜାଦେଜା ୨/୧୧୧, କୃଷ୍ଣାପ୍ପା ଗୌତମ ୨/୩୩, ଅଙ୍କିତ ରାଜ୍‌ପୁତ ୨/୮୪)। ଅବଶିଷ୍ଟ ଭାରତ ଦ୍ବିତୀୟ ପାଳି-୩୫ ଓଭରରେ ୧୦୨/୨ (ହନୁମା ବିହାରି ୪୦*, ମୟଙ୍କ ଅଗ୍ରୱାଲ ୨୭, ଆଜିଙ୍କ୍ୟ ରାହାଣେ ୨୫*, ଆଦିତ୍ୟ ସରୱାତେ ୧/୪୫, ଅକ୍ଷୟ ୱାଖରେ ୧/୩୧।

ସମ୍ବନ୍ଧିତ ଖବର