ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଇସ୍ରାଏଲର ତଦନ୍ତକାରୀ ସଂସ୍ଥା ମୋସାଦ୍ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟା ସାମିଲ ହେବ ବୋଲି ଜଣାପଡ଼ିଛି। ବିସ୍ଫୋରଣ ପଛରେ ଇରାନ୍ର ରିଭୋଲ୍ୟୁସନାରି ଗାର୍ଡ ଫୋର୍ସର ହାତ ଥିବା ନେଇ କେତେକ ସୁରାକ୍ ଆମେ ପାଇଛୁ ବୋଲି ଇସ୍ରାଏଲ୍ ଦୂତାବାସ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରୁ ପୁଲିସ ଇସ୍ରାଏଲ୍ ଦୂତାବାସ ନାମରେ ଥିବା ଏକ ଧମକପୂର୍ଣ୍ଣ ଚିଠି ପାଇଛି। ଯେଉଁଥିରେ ଲେଖାଯାଇଛି ‘ଏହା କେବଳ ଏକ ଟ୍ରେଲର, ଆମେ ଯେତେବେଳେ ଚାହିବୁ ମାରି ପାରିବୁ। ଆମେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁନାହୁଁ।’
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୫ଟାରେ ଇସ୍ରାଏଲ୍ ଦୂତାବାସ ନିକଟରେ ଘଟିଥିବା ଆଇଇଡି ବିସ୍ଫୋରଣକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି ଇସ୍ରାଏଲ ଘୋଷଣା କରିସାରିଛି ଏବଂ ଏନ୍ଆଇଏର ସ୍ବତନ୍ତ୍ର ଟିମ୍ ଏହି ଆଧାରରେ ଯାଞ୍ଚ କରୁଛି। ମାମଲାର ଗମ୍ଭୀରତାକୁ ଦେଖି ଆଜି ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମ ବଂଗ ଗସ୍ତ ବାତିଲ୍ କରିଛନ୍ତି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛି ଏବଂ ଏହି ମାମଲାରେ ଭାରତ ଗ୍ରହଣ କରିଥିବା ତ୍ବରିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇଛନ୍ତି। ବିସ୍ଫୋରଣ ପାଇଁ ଏକ ଅଜଣା ସଂଗଠନ ଜୈଶ୍ ଉଲ୍ ହିନ୍ଦ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଜୈଶ୍ ଉଲ୍ ହିନ୍ଦର ଏହି ଦାବି ସଂକ୍ରାନ୍ତ ଏକ ଟେଲିଗ୍ରାମ ସ୍କ୍ରିନ୍ ସଟ୍ ଘୂରି ବୁଲୁଛି। ତେବେ ବିସ୍ଫୋରଣ ପଛରେ ଇରାନ୍ ଲିଙ୍କ୍ ରହିଛି ଏବଂ ଅଲ୍ କାଏଦା ଉପରେ ମଧ୍ୟ ସନ୍ଦେହ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦିଲ୍ଲୀ ପୁଲିସ ବିସ୍ଫୋରଣ ସ୍ଥଳରୁ ଏକ ବ୍ୟାଟେରିର କିଛି ଅଂଶ ଜବତ କରିଛନ୍ତି ଏବଂ ବୋମାରେ ଟାଇମର୍ ଲଗାଯାଇଥିଲା ବୋଲି ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Imran-Khan.jpg)