ଲକ୍ଷ୍ନୌ: ରେକର୍ଡ ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବ‌ର୍ଷ ପରେ ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍‌ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ ଟ୍ରଫି ଜିତିବା ପରେ ମୁମ୍ବାଇ ୮ ଥର ଈରାନୀ କପ୍ ଫାଇନାଲ୍‌ ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଶନିବାର ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ମୁମ୍ବାଇ ନିଜ ଅଢ଼େଇ ଦଶନ୍ଧିର ସ୍ବପ୍ନକୁ ସାକାର କରିଛି।

Advertisment

ଶନିବାର ସକାଳେ ମୁମ୍ବାଇ ଏହାର ଦ୍ବିତୀୟ ପାଳିକୁ ୧୫୩/୬ରୁ ଖେଳିବା ପରେ ତନୁଶ କୋଟିଆଁ ଆକର୍ଷଣୀୟ ଶତକ (୧୧୪*, ୧୫୦ ବଲ୍‌) ହାସଲ କରି ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହି ଯୁବ ଅଲ୍‌ରାଉଣ୍ଡର୍‌ ନିଜ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି ଈରାନୀ କପ୍‌ ଭଳି ମର୍ଯ୍ୟାଦାଜନକ ଫାଇନାଲ୍‌ରେ। ତନୁଶଙ୍କ ଶତକ ଏବଂ ମୋହିତ ଅବସ୍ତି (୯୩ ବଲ୍‌ରୁ ୫୧* ରନ୍) ଅତୁଟ ଅଷ୍ଟମ ୱିକେଟ୍ ପାଇଁ ୧୫୮* ରନ୍ ଯୋଡ଼ି ଅବଶିଷ୍ଟ ଭାରତୀୟ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ। ମୁମ୍ବାଇ ୧୭୧/୮ରେ ପହଞ୍ଚିଥିବାବେଳେ ଏହି ଯୋଡ଼ିଙ୍କ କାରଣରୁ ଦଳ ୩୨୯/୮ରେ ପାଳି ଘୋଷଣା କରିଥିଲା। ଏହି ସମୟରେ ଉଭୟ ଦଳ ଅଧିନାୟକ ଋତୁରାଜ ଗାଏକ୍ବାଡ ଓ ଅଜିଙ୍କ୍ୟ ରାହାଣେ ସହମତିରେ ମ୍ୟାଚ୍‌ ଶେଷ କରିଥିଲେ। କାରଣ ମୁମ୍ବାଇ ସେତେବେ‌ଳକୁ ୪୫୦ ରନ୍‌ ଅଗ୍ରଣୀ ନେଇ ସାରିଥିଲା। ପ୍ରଥମ ପାଳିରେ ୨୨୨* ରନ୍‌ର ମାରାଥନ୍ ଦ୍ବିଶତକ ମାରିଥିବା ସର୍ଫରାଜ ଖାନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପୂର୍ବରୁ ପ୍ରଥମ ପାଳିରେ ମୁମ୍ବାଇ ୫୩୭ ରନ୍ କରିଥିବାବେଳେ ଅବଶିଷ୍ଟ ଭାରତ ଦଳ ଅଭିମନ୍ୟୁ ଈଶ୍ବରନଙ୍କ ୧୯୧ ରନ୍ ସତ୍ତ୍ବେ ୪୧୬ ରନ୍ କରିଥିଲା।