ଆୟର୍ଲାଣ୍ଡ ପୁଣି ହାରିଲା, ଇଂଲଣ୍ଡ ଶୃଙ୍ଖଳା ବିଜୟୀ

ସାଉଥମ୍ପଟନ୍: କୋଭିଡ୍-୧୯ କଟକଣା ତଥା ଜୈବସୁରକ୍ଷିତ ପରିବେଶରେ ଖେଳା ଯାଇଥିବା ଇଂଲଣ୍ଡ-ଆୟର୍ଲାଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଆୟର୍ଲାଣ୍ଡ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଇଂଲଣ୍ଡ ଏହାକୁ ୩୨.୩ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଛି। ତେବେ ଏଥିଲାଗି ବିଶ୍ବବିଜେତା ଇଂଲଣ୍ଡକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଜନି ବେୟାର‌ଷ୍ଟୋ (୮୨ ରନ୍, ୪୧ ବଲ୍, ୧୪ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ସତ୍ତ୍ବେ ପ୍ରତିପକ୍ଷ ଅଧିନାୟକ ଇଅନ ମୋର୍ଗାନଙ୍କ ସହ ଇଂଲଣ୍ଡର ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ଖାତା ଖୋଲିବାର ସୁଯୋଗ ନଦେଇ ଆୟର୍ଲାଣ୍ଡ ବୋଲର ହିଁ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ୧୩୧ ରନ୍‌ରେ ୪ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିବା ଇଂଲଣ୍ଡ ହଠାତ୍ ଗୋଟିଏ ଓଭରରେ ମୋର୍ଗାନ (୦) ଓ ମୋଇନ ଅଲ୍ଲୀ (୦)ଙ୍କୁ ହରାଇ ଅଡ଼ୁଆରେ ପଡ଼ିଥିଲା। ତେବେ ସାମ୍ ବିଲିଂ (୪୬*) ଓ ଡେଭିଡ୍ ୱିଲି (୪୭*) ଅବିଭା‌ଜିତ ସପ୍ତମ ୱିକେଟ୍‌ରେ ୭୯ ରନ୍ ଯୋଡ଼ି ଇଂଲଣ୍ଡକୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟୀ କରାଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୫୦ ଓଭରରେ ୯ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା। ଏକଦା ୯୧ ରନ୍‌ରେ ୬ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲେ ମଧ୍ୟ ସପ୍ତମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା କର୍ଟିସ୍ କ୍ୟାମ୍ଫେରଙ୍କ ଲଢ଼ୁଆ ୬୮ ରନ୍ ବଳରେ ୨୦୦ ରନ୍ ଟପିଥିଲା। ୨୧ ବର୍ଷୀୟ କ୍ୟାମ୍ଫେର ଗତ ଗୁରୁବାର ଖେଳିଥିବା‌ ନିଜ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ୫୯* ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଶନିବାର ସେ ପୁଣି ଥରେ ୫୦ ଟପି ଲଗାତାର ଦୁଇଟି ଅର୍ଧଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ତୃତୀୟ ତଥା ଶେଷ ଦିନିକିଆ ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର