ବିଶ୍ବ ବିଜେତା ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ, ମୋର୍ଗାନଙ୍କ ଶତକକୁ ଫିକା କଲେ ଷ୍ଟର୍ଲିଂ-ବଲ୍‌ବିରିନ୍

ତୃତୀୟ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଲା ଆୟର୍ଲାଣ୍ଡ, ତିନି ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିଲା ଇଂଲଣ୍ଡ

ସାଉଥମ୍ପଟନ୍: କରୋନା କାଳରେ ବିଶ୍ବବିଜେତା ଇଂଲଣ୍ଡକୁ ହରାଇବାର ଅନନ୍ୟ କମାଲ କରିଛି ଅନଭିଜ୍ଞ ଆୟର୍ଲାଣ୍ଡ। ମଙ୍ଗଳବାର ରାତିରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ନିଜ କ୍ରିକେଟ୍ ଇତିହାସର ଅନ୍ୟତମ ସ୍ମରଣୀୟ ପଶ୍ଚାତଧାବନ ବିଜୟ ହାସଲ କରିଛି ଏହି ଦଳ। ତାରକା ଖଚିତ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୩୨୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ୍ ହରାଇ ଓ ଗୋଟିଏ ବଲ୍ ବାକି ଥାଇ ହାସଲ କରିନେବା ସହ ମୂଳପୋଛ ହେବାର ଅପଯଶକୁ ମଧ୍ୟ ଦୂର କରିଥିଲା ଆୟର୍ଲାଣ୍ଡ। ଫଳରେ ପ୍ରଥମ ଦୁଇ ମ୍ୟାଚ୍ ଜିତି ପୂର୍ବରୁ ଶୃଙ୍ଖଳା ଜିତି ନେଇଥିବା ଇଂଲଣ୍ଡ ତିନି ଟିକିଆ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିଲା। ସେପଟେ ନିଜ କ୍ରିକେଟ୍ ଇତିହାସରେ ଦ୍ବିତୀୟ ଥର ପାଇଁ ଇଂଲଣ୍ଡକୁ ହରାଇବାର ଗୌରବ ପାଇଥିଲା ଆୟର୍ଲାଣ୍ଡ।

୨୦୧୫ ମସିହା ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଆଇସିସିର କୌଣସି ପୂର୍ଣ୍ଣକାଳୀନ ସଦସ୍ୟଙ୍କ ବିପକ୍ଷରେ ଆୟର୍ଲାଣ୍ଡର ଏହା ପ୍ରଥମ ବିଜୟ ଥିଲା। ଏହା ପୂର୍ବରୁ ପ୍ରଥମ ତଥା ଏକମାତ୍ର ଥର ୨୦୧୧ ବିଶ୍ବକପ୍‌ରେ ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ୍‌। ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ମଧ୍ୟ ୨୦୧୧ ବିଶ୍ବକପ୍‌ର ସେହି ମ୍ୟାଚ୍‌ର ପୁନରାବୃ୍ତ୍ତି ଥିଲା। କାରଣ ସେହି ମ୍ୟାଚ୍‌ରେ ବି ଆୟର୍ଲାଣ୍ଡ୍‌ ସମାନ ୩୨୯ ରନ୍‌ର ପିଛା କରିଥିଲା ଏବଂ ୩ ୱିକେଟ୍‌ରେ ବିଜୟ ହାସଲ କରିଥିଲା। ମଙ୍ଗଳବାର ମ୍ୟାଚ୍‌ରେ ଅପରାଜିତ ରହି ବିଜୟ ସୂଚକ ରନ୍‌ ସଂଗ୍ରହ କରିଥିବା କେଭିନ୍‌ ଓ’ବ୍ରାଏନ୍‌ ୨୦୧୧ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଚିତାକର୍ଷକ ଶତକ ଜମାଇଥିଲେ। ମଙ୍ଗଳବାର ଚମତ୍କାର ବିଜୟ ସହ ଭାରତରେ ହେବାକୁ ଥିବା ୨୦୨୩ ବିଶ୍ବକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ଖେଳାଯାଇଥିବା ଏହି ଶୃଙ୍ଖଳାର ଶେଷ ମ୍ୟାଚ୍‌କୁ ଜିତି ଦିନିକିଆ ସୁପରଲିଗ୍ ପଏଣ୍ଟ ତାଲିକାରେ ମଧ୍ୟ ଖାତା ଖୋଲିଛି ଆୟର୍ଲାଣ୍ଡ। ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଜିତି ଇଂଲଣ୍ଡ ଏବେ ଆଇସିସି ସୁପର ଲିଗ୍‌ରେ ୨୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିଲା ବେଳେ ଆୟର୍ଲାଣ୍ଡ ଗୋଟିଏ ବିଜୟ ସହ ୧୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ଅଛି।

ଆୟର୍ଲାଣ୍ଡର ଏହି ବିଜୟରେ ଅଭିଜ୍ଞ ପଲ୍ ଷ୍ଟର୍ଲିଂ (୧୪୨ ରନ୍, ୧୨୮ ବଲ୍, ୯ ଚୌକା, ୬ ଛକା) ଓ ଅଧିନାୟକ ଆଣ୍ଡି ବଲବିରିନ୍ (୧୧୩ ରନ୍, ୧୧୨ ବଲ୍, ୧୨ ଚୌକା) ପ୍ରମୁଖ ଭୂମିକା ତୁଲାଇଥିଲେ। ମାତ୍ର ୫୦ ରନ୍‌ରେ ଗ୍ୟାରେଥ୍ ଡେଲାନି (୧୨)ଙ୍କ ୱିକେଟ୍ ହରାଇବା ପରେ ଷ୍ଟର୍ଲିଂ ଓ ବଲବିରିନ୍ ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୨୧୪ ରନ୍ ଯୋଡ଼ି ଇଂଲଣ୍ଡ ପଞ୍ଝାରୁ ଏକପ୍ରକାର ମ୍ୟାଚ୍ ଛଡ଼ାଇ ନେଇଥିଲେ। ଷ୍ଟର୍ଲିଂ ନବମ ଏବଂ ବଲବିରିନ୍ ନିଜ ଜୀବନର ଷଷ୍ଠ ଅନ୍ତର୍ଜାତୀୟ ଏକଦିବସୀୟ ଶତକ ଅର୍ଜନ କରି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ (୧୦୬ ରନ୍, ୧୦୦ ବଲ୍, ୧୫ ଚୌକା, ୪ ଛକା)ଙ୍କ ଚର୍ତୁଦଶ ଶତକକୁ ଫିକା କରି ଦେଇଥିଲେ। ତେବେ ଆୟର୍ଲାଣ୍ଡର ବିଜୟ ସୂଚକ ରନ୍ କେଭିନ୍ ଓ’ବ୍ରାଏନ (୨୧*) ମାରିଥିଲେ। ହ୍ୟାରି ଟେକ୍ଟର ମଧ୍ୟ ୨୯* ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଷ୍ଟର୍ଲିଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୧୪ ରନ୍‌ରେ ଦୁଇ ଏବଂ ୪୪ ରନ୍‌ରେ ତିନିଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ମୋର୍ଗାନଙ୍କ ଶତକ ଏବଂ ଟମ୍ ବାଣ୍ଟନ (୫୮)ଙ୍କ ପ୍ରଥମ ଓ ଡେଭିଡ୍ ୱିଲି (୫୧)ଙ୍କ ଦ୍ବିତୀୟ ଅର୍ଧଶତକ ବଳରେ ନିର୍ଧାରିତ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୮ ରନ୍ କରିଥିଲା। ଏହାର ଜବାବରେ ଆୟର୍ଲାଣ୍ଡ ସେହି ୪୯.୫ ଓଭରରେ ୩ ୱିକେଟ୍ ହରାଇ ୩୨୯ ରନ୍ କରିବା ସହ ବହୁ ପ୍ରତୀକ୍ଷିତ ବିଜୟର ମିଠା ସ୍ବାଦ ଚାଖିଥିଲା। ୱିଲି ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୪୯.୫ ଓଭରରେ ୩୨୮ (ଇଅନ ମୋର୍ଗାନ ୧୦୬, ଟମ୍ ବାଣ୍ଟନ ୫୮, ଡେଭିଡ୍ ୱିଲି ୫୧, ଟମ୍ କୁରାନ ୩୮*, କ୍ରେଗ୍ ୩/୫୩)। ଆୟର୍ଲାଣ୍ଡ ୪୯.୫ ଓଭରରେ ୩୨୯/୩ (ପଲ୍ ଷ୍ଟର୍ଲିଂ ୧୪୨, ଆଣ୍ଡି ବଲବିରିନ୍ ୧୧୩, ଆଦିଲ ରସିଦ ୧/୬୧)।

ସମ୍ବନ୍ଧିତ ଖବର