ଆଜିଠୁ ଆୟର୍ଲାଣ୍ଡ ଶୃଙ୍ଖଳା: ସଂରକ୍ଷିତ ଖେଳାଳିଙ୍କୁ ପରୀକ୍ଷା କରିବା ଲକ୍ଷ୍ୟରେ ଭାରତ

ଡବଲିନ୍: ରବିବାରଠାରୁ ଭାରତ-ଆୟର୍ଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଦୁଇ ଟିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଅଛି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଦେଖି ଭାରତ ଏଠାକୁ ଦ୍ବିତୀୟସ୍ତରୀୟ ଦଳ ପଠାଇଛି। ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳିବ। ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଆୱେଶ ଖାନ୍, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭାର ପରିପ୍ରକାଶ ଲାଗି ଏହି ଶୃଙ୍ଖଳା ବଳିଷ୍ଠ ମଞ୍ଚ ହେବ। ସେହିଭଳି ଦଳକୁ ଫେରିଥିବା ୱିକେଟ୍ ରକ୍ଷକ ବ୍ୟାଟର୍ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ୍ ଲାଗି ନିଜ ଦାବିଦାରି ଉପସ୍ଥାପନ କରିବାର ସୁଯୋଗ ଆଣିବ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ସଂଘର୍ଷ କରିଥିବା ଯୁବ ଓପନର ଗାଏକ୍ବାଡ୍‌ଙ୍କ ପାଇଁ ଏହି ଶୃଙ୍ଖଳାରେ ଢେର ମହତ୍ବ ରହିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁଯୋଗ ପାଇ ନଥିବା ଭେଙ୍କଟେଶ ଆୟର, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ଦୀପ ହୁଦାଙ୍କ ଭଳି ଖେଳାଳି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଦୌଡ଼ରେ ରହିବେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ପ୍ରସ୍ତୁତିରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବ୍ୟସ୍ତ ଥିବାରୁ ଏନ୍‌ସିଏ ନିର୍ଦ୍ଦେଶକ ତଥା ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍‌ ଭିଭିଏସ୍ ଲକ୍ଷ୍ମଣ ଏହି ଶୃଙ୍ଖଳାରେ ଭାରତର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ କିମ୍ବା ଗୁଗ୍‌ଲି ପକାଇବାରେ ସିଦ୍ଧହସ୍ତ ରବି ବିଷ୍ଣୋଇଙ୍କ ମଧ୍ୟରୁ କାହାକୁ ଦଳୀୟ ଅଧିକାରୀମାନେ ଚୂଡ଼ାନ୍ତ ଏକାଦଶରେ ରଖୁଛନ୍ତି, ତାହା ଦେଖିବା ମଧ୍ୟ ବେଶ୍ ରୋଚକ ହେବ।

ଅନ୍ୟପକ୍ଷରେ ଗତ ତିନି ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ଶୃଙ୍ଖଳା (ଏହି ସମୟ ଭିତରେ କେବଳ ଜିମ୍ବାୱେକୁ ହରାଇଛି ଆୟର୍ଲାଣ୍ଡ) ଜିତିଥିବା ଅନଭିଜ୍ଞ ଆୟର୍ଲାଣ୍ଡ ଏହି ରେକର୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିବ। ଏଥିଲାଗି ଅଧିନାୟକ ଆଣ୍ଡ୍ରିୟୁ ବଲବରିନ୍‌ଙ୍କ ଉପରେ ଆୟର୍ଲାଣ୍ଡ ଅଧିକ ନିର୍ଭରଶୀଳ ରହିବ। ଗତମାସରେ ନର୍ଥଆଣ୍ଟ୍ସ କାଉଣ୍ଟି ଦଳ ବିପକ୍ଷରେ ସେ ମଧ୍ୟ ଶତକ ହାସଲ କରିସାରିଛନ୍ତି। ବଲବରିନ୍‌ଙ୍କ ଛଡ଼ା ହାରି ଟେଲର, ଗ୍ୟାରେଥ୍ ଡେନ୍‌ଲି, କର୍ଟିସ୍ କ୍ୟାମ୍ପରଙ୍କ ଭଳି ଖେଳାଳି ଏହି ଦଳର ବ୍ୟାଟିଂ ବାହିନୀର ପ୍ରମୁଖ ସଦସ୍ୟ। ବୋଲରଙ୍କ ମଧ୍ୟରେ ମାର୍କ ଏଦେର ଏବଂ ଜୋସୁଆ ଲିଟଲ ଭାରତୀୟ ବ୍ୟାଟର୍‌ଙ୍କୁ ପରୀକ୍ଷାରେ ପକାଇବାର ଦକ୍ଷତା ରଖନ୍ତି। ଆଣ୍ଡି ମ୍ୟାକବ୍ରିନ୍ ଓ ଜର୍ଜ ଡକରେଲ୍ ଘରୋଇ ଆୟର୍ଲାଣ୍ଡର ସ୍ପିନ୍ ବିଭାଗ ସମ୍ଭାଳିବେ। ଡବଲିନ୍‌ରେ ଆଦ୍ରତା ଅଧିକ ରହୁଥିବାରୁ ଏଠାରେ ଖେଳିବା ସହଜ ହେବନି। ରବିବାର ଅସରାଏ ଦି ଅସରା ବର୍ଷା ହେବାର ମଧ୍ୟ ପୂର୍ବାନୁମାନ ରହିଛି। ୧୮୦-୧୮୫ ରନ୍ ଏଠାରେ ଆହ୍ବାନପୂର୍ଣ୍ଣ ସ୍କୋର ହେବ। ଭାରତ ଏଠାରେ ଖେଳିଥିବା ଗତ ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍ କରିବାକୁ ସକ୍ଷମ ‌ହୋଇଥିଲା। ଏହି ଶୃଙ୍ଖଳାରେ ଅନ୍ୟୂନ ଦୁଇ ଜଣ ଖେଳାଳି ଅନ୍ତର୍ଜାତୀୟ ପଦାର୍ପଣ କରିବେ ବୋଲି ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ସଙ୍କେତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଘରୋଇ ପରିବେଶରେ ଖେଳିଥିବା ପାଞ୍ଚ ଟିକିଆ ଶୃଙ୍ଖଳାକୁ ଭାରତ ୨-୨ରେ ଅମୀମାଂସିତ ରଖିଥିଲା। ଶେଷ ତଥା ନିର୍ଣ୍ଣାୟକ ପଞ୍ଚମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇ ନେଇଥିଲା।

ସମ୍ଭାବ୍ୟ ଭାରତ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଆୱେଶ ଖାନ୍/ଅର୍ଶଦୀପ ସିଂହ/ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ଆୟର୍ଲ‌ାଣ୍ଡ: ପଲ୍ ଷ୍ଟ୍ରିଙ୍ଗ୍, ଆଣ୍ଡ୍ରିୟୁ ବଲବରିନ୍ (ଅଧିନାୟକ), ଗ୍ୟା‌ରେଥ ଡେନ୍‌ଲି, ହାରି ଟେକ୍ଟର, ଲୋର୍କାନ୍ ଟକର, କର୍ଟିସ୍ କ୍ୟାମ୍ଫର, ଆଣ୍ଡି ମ୍ୟାକବ୍ରିନ୍, ଜର୍ଜ ଡକରେଲ୍, ମାର୍କ ଏଦେର, ବାରି ମ୍ୟାକ୍‌କାର୍ଥି, ଜୋସୁଆ ଲିଟଲ।

ସମ୍ବନ୍ଧିତ ଖବର