ଟଲରାନ୍ସ ଓଭାଲ୍‌: ଆବୁଧାବିର ଟଲେରନ୍ସ ଓଭାଲ୍‌ରେ ଶେଷ ହୋଇଥିବା ଏକମାତ୍ର ଟେଷ୍ଟ୍‌ରେ ଆୟର୍ଲାଣ୍ଡ ୬ ୱିକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହାଫଳରେ ଆଫଗାନିସ୍ତାନ ଅଷ୍ଟମ ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ୨୦୧୮ରେ ପ୍ରଥମ ଥର ଟେଷ୍ଟ୍‌ ମାନ୍ୟତା ପାଇଥିବା ଆୟର୍ଲାଣ୍ଡ ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା। ଏହାପରେ ଆଫଗାନିସ୍ତାନ (୨୦୧୮-୧୯), ଇଂଲଣ୍ଡ (୨୦୧୯), ବାଂଲାଦେଶ (୨୦୨୨-୨୩), ଶ୍ରୀଲଙ୍କା (୨ ମ୍ୟାଚ୍‌-୨୦୨୩), ଇଂଲଣ୍ଡ (୨୦୨୩) ସହିତ ଖେଳିଥିଲେ ମଧ୍ୟ ଆୟର୍ଲାଣ୍ଡ କୌଣସି ମ୍ୟାଚ୍‌କୁ ଜିତିପାରି ନଥିଲା। କିନ୍ତୁ ଶୁକ୍ରବାର ଆଫଗାନିସ୍ତାନକୁ ମାତ୍ର ୩ ଦିନ ଭିତରେ ଆୟର୍ଲାଣ୍ଡ ହରାଇ ଦେଇଛି। ସଂଯୋଗବଶତଃ ଆଫଗାନିସ୍ତାନ ମଧ୍ୟ ପ୍ରଥମ ଟେଷ୍ଟ୍‌ ବିଜୟ ଆୟର୍ଲାଣ୍ଡ ବିପକ୍ଷରେ ହିଁ ପାଇଥିଲା।

Advertisment

ଟଲରାନ୍ସ ଓଭାଲ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇବ୍ରାହିମ୍‌ ଜଦ୍ରାନ୍‌ଙ୍କ ୫୩ ରନ୍‌ ସହାୟତାରେ ୧୫୫ ରନ୍‌ କରିଥିଲା। ମାର୍କ ଆଡାୟର ୫ ୱିକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ। ପଲ୍‌ ଷ୍ଟିର୍ଲିଂ (୫୨), କର୍ଟିସ୍ କାମ୍ଫର (୪୯), ଲୋର୍କାନ୍‌ ଟକର (୪୬) ପ୍ରଥମ ପାଳିରେ ଅଗ୍ରଣୀ ଦେବା ସହ ଦଳକୁ ୨୬୩ରେ ପହଞ୍ଚାଇଥିଲେ। ଘରୋଇ ଦଳର ଜିଆ ଉର୍‌ ରେହମାନ ୬୪ ରନ୍‌ ବିନିମୟରେ ୫ ୱିକେଟ୍‌ ହାସଲ କରିଥିଲେ। କିନ୍ତୁ ଦ୍ବିତୀୟ ପାଳିରେ ଆଫଗାନିସ୍ତାନ ପୁଣି ଖରାପ ପ୍ରଦର୍ଶନ କରିବା ସହ ୨୧୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ହସ୍‌ମତୁଲ୍ଲା ସାହିଦି ୫୫ ଓ ରହମାନୁଲ୍ଲା ଗୁରବାଜ୍‌ ୪୬ ରନ୍‌ କରିଥିଲେ। ଆଡାୟରଙ୍କ ସହ ଦୁଇ ପଦାର୍ପଣକାରୀ ବାରି ମ୍ୟାକାର୍ଥି ଓ କ୍ରେଗ୍‌ ୟଙ୍ଗ ୩ ୱିକେଟ୍‌ ଲେଖାଏଁ ନେବାରୁ ଭ୍ରମଣକାରୀଙ୍କ ସମ୍ମୁଖରେ ୧୧୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ଦଳ ୪ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ଆଣ୍ଡି ବାଲ୍‌ବିରିନ୍‌ ୫୮* ରନ୍‌ର ଅପରାଜିତ ପାଳି ଖେଳି ଦଳକୁ ଜିତାଇଥିଲେ। ମ୍ୟାଚ୍‌ରେ ୮ ୱିକେଟ୍‌ ନେଇଥିବା ଆଡାୟରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।