ମୁମ୍ବାଇ: ଆୟର୍ଲାଣ୍ଡ ଗସ୍ତରେ ପୂର୍ବତନ କିବଂଦନ୍ତି ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଏହି ଚର୍ଚ୍ଚା ବିଗତ କିଛି ଦିନ ହେବ ଚାଲିଥିଲା ବେଳେ ବିସିସିଆଇ ବୁଧବାର ଏଥିରେ ଆନୁଷ୍ଠାନିକ ମୋହର ମାରିଛି। ‘‘ଭାରତୀୟ ଦଳ ସହ ଲକ୍ଷ୍ମଣ ଡବ୍‌ଲିନ୍ ଯିବେ।’’ ବୋଲି ବିସିସିଆଇ ସଂପାଦକ ଜୟ ଶାହ ଆଜି ଘୋଷଣା କରିଛନ୍ତି। ଆୟର୍ଲାଣ୍ଡ ଗସ୍ତରେ ଭାରତ ଡବ୍‌ଲିନଠାରେ ହିଁ ଜୁନ୍ ୨୬ ଏବଂ ୨୮ ତାରିଖରେ ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ନିୟମିତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଭାରତୀୟ ଦଳ ସହ ଇଂଲଣ୍ଡରେ ଥିବାରୁ ଏନ୍‌ସିଏ (ଜାତୀୟ କ୍ରିକେଟ୍ ଏକାଡେମି) ମୁଖ୍ୟ ଲକ୍ଷ୍ମଣଙ୍କୁ ଆୟର୍ଲାଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲା ବେଳେ ଏଭଳି ବ୍ୟବସ୍ଥା‌ କରାଯାଇଥିଲା। ଇଂଲଣ୍ଡ ଶୃଙ୍ଖଳା ଲାଗି ଶା‌ସ୍ତ୍ରୀ ସେଠାରେ ଥିଲା ବେଳେ ଭାରତୀୟ ସୀମିତ ଓଭର ଦଳର ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା‌ ବିପକ୍ଷ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୧୯ ତାରିଖରେ ଶେଷ ହେବା ପରେ ପରେ ହିଁ ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତ କରିବ।

Advertisment

ଇଂଲଣ୍ଡ ଗସ୍ତ ଅଭ୍ୟାସ ମ୍ୟାଚ୍ ଟିକେଟ ଶେଷ
ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ତିନିଟି ଅଭ୍ୟାସ ମ୍ୟାଚ୍ ଖେଳିବ। ସେଥିରେ ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ୍ (ଜୁଲାଇ ୧, ଜୁଲାଇ ୩, ଉଭୟ ନଟିଂହାମଠାରେ ଖେଳାଯିବ) ଥିଲାବେଳେ ଲିସେଷ୍ଟରସାୟାର ବିପକ୍ଷରେ ଗୋଟିଏ ଚାରି ଦିନିଆ ମ୍ୟାଚ୍ (ଜୁନ୍ ୨୪ରୁ ୨୭) ରହିଛି। ‌ତେବେ ଜୁଲାଇ ୩ ତାରିଖରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ର ସବୁ ଟିକେଟ ବିକ୍ରି ସରିଥିବା ନଟିଂହାମସାୟାର କାଉଣ୍ଟି କ୍ରିକେଟ୍ କ୍ଲବ୍ ବୁଧବାର ପ୍ରକାଶ କରିଛି। ଜୁଲାଇ ପହିଲାରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ର ୮୦ ପ୍ରତିଶତ ଟି‌କେଟ ବି ବିକ୍ରି ସରିଯାଇଥିବା କ୍ଲବ୍ ସୂଚନା ଦେଇଛି। ନଟିଂହାମ କ୍ରି‌କେଟ୍ ପଡ଼ିଆ (୬୫୦୦ ଦର୍ଶକ କ୍ଷମତା ବିଶିଷ୍ଟ)ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି କ୍ଲବ୍‌ର ଖେଳାଳିମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତରେ ଗୋଟିଏ ଟେଷ୍ଟ୍ ( ଜୁଲାଇ ୧ରୁ ୫) ଏବଂ ଜୁଲାଇ ୭ରୁ ୧୭ ତାରିଖ ମଧ୍ୟରେ ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଏକଦିବସୀୟ ମ୍ୟାଚ୍ ଖେଳିବ।