କଟକ: ବାରବାଟୀରେ ଖେଳାଯାଇଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ବିତୀୟ ମ୍ୟାଚ୍ରେ ଜେସଲ କାରିଆଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହ ମର୍ଣ୍ଣେ ଭାନ୍ ୱିକ୍ ଏବଂ ୱିଲିଅମ୍ ପୋଟରଫିଲ୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭିଲୱାରା କିଙ୍ଗ୍ସ ୫୭ ରନ୍ରେ ଗୁଜୁରାଟ ଜାଏଣ୍ଟସ୍କୁ ପରାସ୍ତ କରିଛି। କିଙ୍ଗ୍ସର ୨୨୨ ରନ୍ର ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ଜାଏଣ୍ଟସ୍ ୧୬୫ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପୋଟରଫିଲ୍ଡ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୁରୁବାର ମଣିପାଲ ଟାଇଗର୍ସ ଓ ଇଣ୍ଡିଆ କ୍ୟାପିଟାଲ୍ ମଧ୍ୟରେ ବାରବାଟୀର ଶେଷ ମ୍ୟାଚ୍ ଖେଳାଯିବ।
ମଙ୍ଗଳବାର ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚ୍ରେ ଟସ୍ ଜିତି ଜାଏଣ୍ଟସ୍ ପ୍ରଥମେ ବୋଲିଂ କରିଥିଲା। ତେବେ ପାଳି ଆରମ୍ଭରୁ କିଙ୍ଗ୍ସ ଓପ୍ନର ଚୌକା ଓ ଛକାର ବର୍ଷା ଆରମ୍ଭ କରିଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି ମର୍ଣ୍ଣେ ଭାନ୍ ୱିକ୍ ଏବଂ ୱିଲିଅମ୍ ପୋଟରଫିଲ୍ଡ ବିସ୍ଫୋରକ ବ୍ୟାଟିଂ କରି ପାୱାର ପ୍ଲେ’ ୬ ଓଭରରୁ ୭୬ ରନ୍ ଉଠାଇଥିଲେ। ନବମ ଓଭର ବେଳକୁ ଦଳ ୧୦୦ ଅତିକ୍ରମ କରିସାରିଥିଲା। ପ୍ରଥମ ୱିକେଟ୍ରେ ପ୍ରତିଯୋଗିତାର ସର୍ବାଧିକ ଭାଗୀଦାରି (୧୧୭) ଗଢ଼ିବା ପରେ ଦଶମ ଓଭରରେ ଏହି ଯୋଡ଼ି ଭାଙ୍ଗିଥିଲା। ପୋଟରଫିଲ୍ଡ ୬୪ (୩୩ ବଲ୍, ୧୦ ଚୌକା, ୨ ଛକା) ଏବଂ ଭାନ୍ ୱିକ୍ ୫୦ (୨୮ ବଲ୍, ୪ ଚୌକା, ୪ ଛକା) ଆଉଟ ହେବା ପରେ ରନ୍ ଗତି ଧୀମା ପଡ଼ିଥିଲା। ମଧ୍ୟକ୍ରମରେ ଅଧିନାୟକ ଇର୍ଫାନ ପଠାନ୍ (୩୪), ଜେସଲ୍ କାରିଆ (୪୩)ଙ୍କ ସାଙ୍ଗକୁ ୟୁସୁଫ ପଠାନ୍ (୧୪*), ରାଜେଶ ବିଷ୍ଣୋଇ (୧୨)ଙ୍କ ଦ୍ରୁତ ରନ୍ ଯୋଗୁଁ କିଙ୍ଗ୍ସ ୪ ୱିକେଟ ବିନିମୟରେ ୨୨୨ ରନ୍ ସଂଗ୍ରହ କରିଥିଲା। ପ୍ରତିଯୋଗିତାରେ ଯେକୌଣସି ଦଳ ପାଇଁ ଏହା ଥିଲା ସର୍ବାଧିକ ସ୍କୋର। ଜାଏଣ୍ଟସ୍ର ଅଶୋକ ଦିଣ୍ଡା, କେ.ପି. ଅପନ୍ନା, ଗ୍ରେମ୍ ସ୍ବାନ୍ ଓ ଥିସାରା ପେରେରା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ବାଣ୍ଟି ନେଇଥିଲେ। ତେବେ ଏହି ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଆସି ଜାଏଣ୍ଟସ୍ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। କେଭିନ୍ ଓବ୍ରାଏନ୍ ୨, ଅଧିନାୟକ ବୀରେନ୍ଦ୍ର ସେହବାଗ ୨୭, ଲେଣ୍ଡଲ ସିମନ୍ସ ୧, ଏଲ୍ଟନ୍ ଚିଗୁମ୍ବୁରା ୨ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଥମ ଥର ପ୍ରତିଯୋଗିତାରେ ଖେଳୁଥିବା କ୍ରିସ୍ ଗେଲ୍ଙ୍କ ବ୍ୟାଟ୍ ଆରମ୍ଭରୁ ଶାନ୍ତ ପଡ଼ିଥିଲା। ନବମ ଓଭର ପର୍ଯ୍ୟନ୍ତ ପିଚ୍ରେ ରହିଥିଲେ ବି ମାତ୍ର ୧୫ ରନ୍ କରି କାରିଆଙ୍କ ବଲ୍ରେ ଏଲ୍ବିଡବ୍ଲୁ ଆଉଟ ହୋଇଥିଲେ। ନବମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଯଶପାଲ ସିଂହ ଦ୍ରୁତ ଖେଳିବା ସହ ଅର୍ଦ୍ଧଶତକ (୫୭ ରନ୍, ୨୯ ବଲ୍) ଅର୍ଜନ କରିଥିଲେ। କିନ୍ତୁ ଦଳକୁ ପରାଜୟରୁ ଉଦ୍ଧାର କରିବା ପାଇଁ ତାହା ଯଥେଷ୍ଟ ହୋଇନଥିଲା। ଶ୍ରୀଶାନ୍ତ ୩, କାରିଆ ୨, ଫିଡେଲ୍ ଏଡ୍ୱାଡ୍ସ ୨, ଦୀନେଶ ସାଲୁଙ୍ଖେ, ଟିନୋ ବେଷ୍ଟ ଓ ମଣ୍ଟି ପାନେସାର୍ ୧ ୱିକେଟ ଲେଖାଏଁ ନେଇଥିଲେ।
ଆନ୍ତର୍ଜାତକ କ୍ରିକେଟରେ ନିୟମିତ ଖେଳୁଥିବା ସମୟରେ ବଡ଼ ହିଟ୍ ପାଇଁ ଜଣାଶୁଣା କ୍ରିସ୍ ଗେଲ୍ ଓ ବୀରେନ୍ଦ୍ର ସେହବାଗ ବାରବାଟୀ ମ୍ୟାଚ୍ରେ ସମସ୍ତଙ୍କୁ ନିରାଶ କରିଥିଲେ। ଗେଲ୍ଙ୍କ ବ୍ୟାଟ୍ ଆରମ୍ଭରୁ ଚୁପ୍ ରହୁଥିଲା ବେଳେ ମାତ୍ର ଦୁଇଟି ଚୌକା ମାରିପାରିଥିଲେ। ୯ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ମାତ୍ର ୭୫ ଷ୍ଟ୍ରାଇକ୍ ରେଟ୍ରେ ୧୫ ରନ୍ କରି ସେ ଏଲ୍ବିଡବ୍ଲୁ ହୋଇଥିଲେ। ସେହିପରି ସେହବାଗ ମଧ୍ୟ ମାତ୍ର କିଛି ସମୟ ପାଇଁ ଦର୍ଶକଙ୍କ ମନୋରଂଜନ କରିଥିଲେ ମଧ୍ୟ ୨୭ ରନ୍ କରପାରିଥିଲେ। ତାଙ୍କ ବ୍ୟାଟ୍ରୁ ୩ ଚୌକା ଓ ୧ ଛକା ବାହାରିଥିଲା।