ମୁମ୍ବାଇ: ଚଳିତ ଆଇପିଏଲ୍ରେ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ସୁନିଲ ଗାଭାସ୍କର ରଖିଥିବା ଅରୁଚିକର ଟିପ୍ପଣୀ ପରେ ଅନୁଷ୍କା ଶର୍ମା ମଧ୍ୟ ଚୁପ୍ ରହିନଥିଲେ। କିଂବଦନ୍ତି ବ୍ୟାଟସମ୍ୟାନ୍ ସୁନିଲ ଗାଭାସ୍କରଙ୍କ ମନ୍ତବ୍ୟକୁ ସେ ‘ଘୃଣ୍ୟ’ କହିବାକୁ ବି ପଛାଇନଥିଲେ। ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍ ଏବେ ଏହି ବିଦାଦରେ ନିଜକୁ ସାମିଲ କରି ଗାଭାସ୍କରଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଗାଭାସ୍କରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଇର୍ଫାନ୍ ନିନ୍ଦା କରିଛନ୍ତି। ‘ସୁନିଲ ଗାଭାସ୍କର ସାର୍ଙ୍କୁ ମୁଁ ସର୍ବଦା ସମ୍ମାନ କରେ’ ବୋଲି ଲେଖି ଇର୍ଫାନ୍ ଟ୍ବିଟ୍ କରିଛନ୍ତି। ଆର୍ସିବି-କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମ୍ୟାଚ୍ରେ କୋହଲିଙ୍କ ବିଫଳତାକୁ ନେଇ ଗାଭାସ୍କର କହୁ କହୁ କହି ଦେଇଥିଲେ ‘ଲକ୍ଡାଉନ୍ ଅବସରରେ ସେ (କୋହଲି) କେବଳ ଅନୁଷ୍କାଙ୍କ ବୋଲିଂରେ ଅଭ୍ୟାସ କରୁଥିଲେ’। ଏହା ପରେ ଅନୁଷ୍କା ମଧ୍ୟ ଗାଭାସ୍କରଙ୍କ ମନ୍ତବ୍ୟକୁ ‘ଘୃଣ୍ୟ’ ଆଖ୍ୟା ଦେଇଥିଲେ। ପତିଙ୍କ ବିଫଳତାକୁ ନେଇ ପତ୍ନୀଙ୍କ ନାମ ଯୋଡ଼ିବାକୁ ସେ ନାପସନ୍ଦ କରିଥିଲେ। ଏହା ପରେ ଗାଭାସ୍କର ନିଜ ଉକ୍ତିକୁ ଦୃଢ଼ ସମର୍ଥନ କରି କହିଥିଲେ ମୁଁ କେବଳ ସେହି ନିର୍ଦ୍ଧିଷ୍ଟ ଭିଡିଓକୁ ଦେଖି ଏଭଳି କହିଥିଲି ଯେଉଁଥିରେ ବିରାଟଙ୍କୁ ଅନୁଷ୍କା ଟେନିସ୍ ବଲ୍ରେ ବୋଲିଂ କରୁଥିଲେ। କେବେ ବି ମୁଁ ଅନଷ୍କାଙ୍କୁ ଦୋଷ ଦେଇନାହିଁ ବୋଲି ସେ ପ୍ରକାଶ କରିଥିଲେ।
ଅନୁଷ୍କା ଶର୍ମାଙ୍କ ବିବାଦୀୟ ପ୍ରତିକ୍ରିୟା ପରେ ଗାଭାସ୍କରଙ୍କୁ କେବଳ ପୂର୍ବତନ ଓ ସାଂପ୍ରତିକ କ୍ରିକେଟରଙ୍କ ସମର୍ଥନ ମିଳିନି, ସାଧାରଣ କ୍ରିକେଟ୍ ପ୍ରେମୀ ମଧ୍ୟ ଖୋଲାଖୋଲି ଭାବେ ତାଙ୍କ ପାଇଁ ବାହାରିଛନ୍ତି। ଟ୍ବିଟର ବ୍ୟବହାରକାରୀ ଏହି ମହାନ କ୍ରିକେଟରଙ୍କୁ ବହୁଳ ମାତ୍ରାରେ ସମର୍ଥନ କରିବା ପରେ ରବିବାର ହ୍ୟାସଟ୍ୟାଗ୍ ‘ୱି ସପୋର୍ଟ ଗାଭାସ୍କର’’ ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଟ୍ରେଣ୍ଡ କରିଥିଲା। ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ମଧ୍ୟ ସମର୍ଥକମାନେ ଗାଭାସ୍କରଙ୍କ ସପକ୍ଷରେ ମତ ଦେଉଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/sunil-gavaskar-.jpg)