ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୯ମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର (ଆରଆର) ରିୟାନ୍ ପରାଗ ଅପରାଜିତ ଅର୍ଦ୍ଧଶତକ ଖେଳିଥିବାରୁ ରାଜସ୍ଥାନ ରୟାଲ୍ସ ସଙ୍କଟରୁ ବାହାରି ୧୮୫ ରନ୍ ସ୍କୋର୍‌ କରିଥିଲା। ତେବେ ବର୍ତ୍ତମାନ ପୂର୍ବତନ ଭାରତୀୟ ଦଳର ଅଲରାଉଣ୍ଡର ଇରଫାନ୍ ପଠାନ୍ ରିୟାନ୍ ପରାଗଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଇରଫାନ୍ ପଠାନ୍ ବିଶ୍ୱାସ କରନ୍ତି ଯେ ରିୟାନ୍ ଆଗାମୀ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଯେତେବେଳେ ରିୟାନ୍ ପରାଗ ବ୍ୟାଟିଂ କରିବାକୁ ଆସିଥିଲେ, ତିନିଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ପାଭିଲିୟନକୁ ଫେରି ଯାଇଥିଲେ। ପାୱାରପ୍ଲେରୁ ମାତ୍ର ୩୧ ରନ୍‌ ସଂଗ୍ରହ ହେବା ପରେ ଦଳର ମଙ୍ଗ ଧରିଥିଲେ ଆସାମୀ ବ୍ୟାଟର୍‌ ରିୟାନ ପରାଗ। ପରବର୍ତ୍ତୀ ୯ ଓଭର ଭିତରେ ରବିଚନ୍ଦ୍ରନ ଅଶ୍ବିନ (୨୯) ଓ ଧ୍ରୁବ ଜୁରେଲ୍‌ (୨୦)ଙ୍କ ସହ ମିଶି ପରାଗ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି (୫୪ ଓ ୫୨ ରନ୍‌) ଗଢିବା ସହ ଦଳୀୟ ସ୍କୋରରେ ୭୭ ରନ୍‌ ଯୋଡ଼ିଥିଲେ।

Advertisment

କିନ୍ତୁ ଶେଷ ୫ ଓଭରରେ ପରାଗ ଓ ସିମ୍ରନ ହେଟମାୟର ଚୌକା, ଛକା ବର୍ଷା କରି ଆଉ ୭୭ ରନ୍‌ ଉଠାଇଥିଲେ। ଏନେଇ ପଠାନ ଟ୍ୱିଟରରେ ଲେଖିଛନ୍ତି ଯେ, ଭାରତୀୟ ଘରୋଇ କ୍ରିକେଟକୁ କଦାପି ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ; ଏହା ଆପଣଙ୍କ ଭଲ ପାଇଁ ହୋଇଥାଏ | ରିୟାନଙ୍କୁ ଦେଖନ୍ତୁ | ସେ ସେଠାରେ ବହୁ ରନ୍ ସ୍କୋର କରିଥିବାରୁ ତୁରନ୍ତ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦୁଇ ବର୍ଷରେ ରିୟାନ୍ ପରାଗ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ଦିଲ୍ଲୀ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ରାଜସ୍ଥାନ ୧୮୫ ରନ୍ ସଂଗ୍ରହ କରିଥିଲା। ରିୟାନଙ୍କ ବ୍ୟତୀତ ଆର ଅଶ୍ୱିନ୍ ୧୯ ଟି ବଲରେ ୨୯ ରନ୍ କରିଥିଲେ। ଦିଲ୍ଲୀ ଏହି ମ୍ୟାଚ ୧୨ ରନରେ ହାରିଯାଇଥିଲା। ଦିଲ୍ଲୀ ପାଇଁ ଡେଭିଡ ୱାର୍ନର ୪୯ ରନର ଇନିଂସ ଖେଳିଥିଲେ ଏବଂ ଟ୍ରିଷ୍ଟନ ଷ୍ଟବ୍ସ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ।