କରାଚି: ଭାରତ ୨୦୦୬ ମସିହାରେ ପାକିସ୍ତାନରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିଥିଲା। ଲାହୋର ଓ ଫୈସଲାବାଦରେ ଖେଳାଯାଇଥିବା ପ୍ରଥମ ଦୁଇ ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ହେଲେ କରାଚିରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ରେ ଇର୍ଫାନ୍ ପଠାନଙ୍କ ହ୍ୟାଟ୍ରିକ୍ ସତ୍ତ୍ବେ ଭାରତ ପରାଜୟ ବରଣ କରି ଶୃଙ୍ଖଳା ହାତଛଡ଼ା କରିଥିଲା। ମଙ୍ଗଳବାର ସ୍ପୋର୍ଟ୍ସ ଟକ୍ ସାକ୍ଷାତକାରରେ ଇର୍ଫାନ ଏହି ଟେଷ୍ଟ୍ର ସ୍ମୃତି ମନ୍ଥନ କରିଛନ୍ତି। ଭଲ ଆରମ୍ଭ ସତ୍ତ୍ବେ ଆମେ ଏହି ଟେଷ୍ଟ୍ ହାରି ଯାଇଥିଲୁ। ଯାହା ମୋତେ ସବୁବେଳେ ଦୁଃଖ ଦେଇଆସୁଛି। ଭାବେ ମୁଁ ଯଦି ଉଭୟ ପଟୁ ବୋଲିଂ କରିଥା’ନ୍ତି ତେବେ ପାକିସ୍ତାନ ଶୀଘ୍ର ଅଲ୍ଆଉଟ୍ ହୋଇଥା’ନ୍ତା ବୋଲି ସ୍ପୋର୍ଟ୍ସ ଟକ୍ରେ କହିଛନ୍ତି। ୩୫ ବର୍ଷୀୟ ଇର୍ଫାନ୍ ହ୍ୟାଟ୍ରିକ୍ ପାଇଁ କିଭଳି ପାକିସ୍ତାନ ବ୍ୟାଟ୍ସମ୍ୟାନ୍ଙ୍କ ଲାଗି ଚକ୍ରବ୍ୟୁହ ରଚନା କରିଥିଲେ ତାହାକୁ ମନେ ପକାଇ କହିଛନ୍ତି ଯେ ମୁଁ ବାମହାତୀ ବ୍ୟାଟ୍ସମ୍ୟାନ୍ଙ୍କୁ ଲେଗ୍ ଷ୍ଟମ୍ପ୍ ବାହାରେ ବଲ୍ ପକାଇବାକୁ ଚିନ୍ତା କରିଥିଲି।
ଏହା ଠିକ୍, ବାମହାତୀ ସଟ୍ ଖେଳିବାକୁ ସମୟ ପାଇଯିବାର ଆଶା ଥିବାରୁ ଅଫ୍ ଷ୍ଟମ୍ପ୍ ବାହାରେ ଆଦୌ ବଲ୍ ପକାଇ ନଥିଲି। ପ୍ରଥମ ବଲ୍କୁ ମୁଁ ଲେଗ୍ ଷ୍ଟମ୍ପ୍ରୁ ବାହାରକୁ ସ୍ବିଙ୍ଗ୍ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଏହା ସିଧା ଯାଇଥିଲା। ଦ୍ବିତୀୟ ବଲ୍ ଅଫ୍ ଷ୍ଟମ୍ପ୍ ବାହାରେ ପକାଇଥିଲି। ଏହା ଘୁରିଥିଲା। ତେଣୁ ମୁଁ ଅନୁଭବ କଲି ୱିକେଟ୍ ପାଇଁ ଏହା ସହଯୋଗ କରିବ। ଆଉ ସେଇଥିପାଇଁ ହିଁ ମୁଁ ମୋର ପ୍ରଥମ ଓଭରରେ ହ୍ୟାଟ୍ରିକ୍ ସଫଳତା ପାଇଥିଲି। ଲଗାତାର ଦୁଇଟି ବଲ୍ରେ ସଲ୍ମନ୍ ବଟ୍ଟ ଓ ୟୁନିସ୍ ଖାନ୍ଙ୍କୁ ଆଉଟ୍ କରିବା ପରେ ହ୍ୟାଟ୍ରିକ୍ ଆଶା ବଢ଼ିଥିଲା। ୟୁନିସ୍ଙ୍କ ପରେ କ୍ରିଜ୍କୁ ଆସିଥିଲେ ମହମ୍ମଦ ୟୁସୁଫ୍। କିନ୍ତୁ ସେ ବି ଇର୍ଫାନ୍ଙ୍କୁ ହ୍ୟାଟ୍ରିକ୍ରୁ ରୋକି ପାରିନଥିଲେ। ୟୁସୁଫ୍ଙ୍କୁ ଆଉଟ୍ କରି ଇର୍ଫାନ୍ ହ୍ୟାଟ୍ରିକ୍ ନେବା ସତ୍ତ୍ବେ ଭାରତ ପାଇଁ ମ୍ୟାଚ୍ ଜିତିବା ଯଥେଷ୍ଟ ହୋଇନଥିଲା। ଯାହାକି ଏବେ ବି ଇର୍ଫାନ୍ଙ୍କୁ ଦୁଃଖ ଦେଇଥାଏ। ୟୁସୁଫ୍ଙ୍କ ୱିକେଟ୍ ମୋ ଶ୍ରେଷ୍ଠ ୱିକେଟ୍ ମଧ୍ୟରେ ଅନ୍ୟତମ। ସତରେ ଶ୍ରେଷ୍ଠ ୫ ବଲ୍ ମଧ୍ୟରୁ ଏହା ଅଲଗା ଥିଲା। ବଲ୍ଟି ପବନରେ ଘୁରି ପିଚ୍ ହେଲା ବେଳକୁ ଏହାର ଗତି ବଢ଼ି ଯାଇଥିଲା। ଏହା ପୂର୍ବ ମ୍ୟାଚ୍ରେ ମଧ୍ୟ ହ୍ୟାଟ୍ରିକ୍ର ସୁଯୋଗ ଥିଲା। ହେଲେ ବିଫଳ ହୋଇଥିଲି। ଏହି ସମୟରେ ମୁଁ ଚିନ୍ତା କରିଥିଲି ଏହା ନିଶ୍ଚିତ ହେବ। କିନ୍ତୁ ତା’ପରେ ଭାବିଲି ସାମ୍ନାରେ ୟୁସୁଫ୍ ଅଛନ୍ତି। ଶେଷରେ ତାଙ୍କୁ ଆଉଟ୍ କରି ଏହି ସଫଳତା ପାଇଥିଲି ବୋଲି ଇର୍ଫାନ କହିଛନ୍ତି। ଗସ୍ତ ଆରମ୍ଭ ହେବା ପୂର୍ବରୁ ୟୁସୁଫ ମୋ ବାପାଙ୍କୁ କହିଥିଲେ, ‘ଖାନ୍ ସାହେବ, ମୁଁ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛି।’ ମୋ ବାପା ସମସ୍ତଙ୍କୁ ସମ୍ମାନ ଦେବା ସହ ଖୋଲାଖୋଲି କଥା ହେବାକୁ ଭଲପାଆନ୍ତି। ବାପା କହିଲେ କ’ଣ କହୁଛ କୁହ। ୟୁସୁଫ କହିଥିଲେ, ‘ମୁଁ ଆଉଟ୍ ହୁଏ ପଛେ, ହେଲେ ଆପଣଙ୍କ ପୁଅ ବଲ୍ରେ ଯେମିତି ଆଉଟ୍ ନହେବି ସେଥିପାଇଁ ପ୍ରାର୍ଥନା କରନ୍ତୁ’। ହେଲେ ଯେତେବେଳେ ମୁଁ ହ୍ୟାଟ୍ରିକ୍ ନେଲି ସେତେବେଳେ ମୋର ଏହି କଥା ମନେ ପଡ଼ିଥିଲା ବୋଲି ଇର୍ଫାନ ପ୍ରକାଶ କରିଛନ୍ତି।