ବୋଲରଙ୍କୁ ବିଶ୍ବାସକୁ ନେବା ପାଇଁ ଧୋନିଙ୍କୁ ୬ ବର୍ଷ ଲାଗିଥିଲା: ଇର୍ଫାନ୍‌

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ଶାନ୍ତ ସ୍ବଭାବର ବ୍ୟକ୍ତି ଥିଲେ। ଏହି ବିଶ୍ବକପ୍‌ ବିଜେତା ପୂର୍ବତନ ଅଧିନାୟକ ୨୦୦୭ରେ ଭାରତୀୟ ଦଳର ନେତୃତ୍ବ ଭାର ସମ୍ଭାଳିଥିଲେ। ନେତୃତ୍ବ ଆରମ୍ଭରୁ ସେ କେବଳ ବୋଲରମାନଙ୍କୁ ନିୟଂତ୍ରଣ କରୁଥିଲେ। ହେଲେ ବୋଲରମାନଙ୍କୁ ବିଶ୍ବାସକୁ ନେବା ପାଇଁ ତାଙ୍କୁ ୬ ବର୍ଷ ଲାଗିଯାଇଥିଲା। ୨୦୧୩ରେ ହିଁ ସେ ତାଙ୍କ ବୋଲରମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ତଥାପି ସେହି ୬ ବର୍ଷ ସମୟ ମଧ୍ୟରେ ତାଙ୍କୁ ଜଣେ ଶାନ୍ତ ନେତା ଭାବେ ଦଳରେ ପରିଗଣିତ କରାଯାଇଥିଲା। ତାଙ୍କ ବିଷୟରେ ଏଭଳି କଥା କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇର୍ଫାନ୍‌ ପଠାନ୍‌।

ଉଭୟ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବିଜେତା ଦଳର ସଦସ୍ୟ ଭାବେ ୩୫ ବର୍ଷ ବୟସ୍କ ପଠାନ୍‌ ଧୋନିଙ୍କ ନେତୃତ୍ବରେ ଖେଳିଥିଲେ। ସେହି ସବୁ ସମୟ ମଧ୍ୟରେ ଧୋନିଙ୍କ ନିକଟରେ ଅଧିନାୟକ ଭାବେ ଢେର ପରିବର୍ତନ ଲକ୍ଷ୍ୟ କରିଥିଲେ ସେ। ୨୦୦୭ରେ ଦଳର ନେତୃତ୍ବ ଭଳି ବଡ଼ ବୋଝ ପ୍ରଥମ ଥର ପାଇଁ ବୋହିଥିଲେ ଧୋନି। ଏଭଳି ଦାୟିତ୍ବ ପାଇବା ପରେ ହୁଏତ ଜଣେ ଉତ୍ସାହିତ ହେବା କଥା। କିନ୍ତୁ ଧୋନି ଥିଲେ ସଂପୂର୍ଣ୍ଣ ବ୍ୟତିକ୍ରମ ବୋଲି ଷ୍ଟାର୍‌ ସ୍ପୋର୍ଟସର କ୍ରିକେଟ୍‌ କନେକ୍ଟେଡ୍‌ରେ କହିଛନ୍ତି ପଠାନ୍‌। ୨୦୦୭ରୁ ୨୦୧୩ ମଧ୍ୟରେ କିପରି ଧୋନିଙ୍କ ନେତୃତ୍ବ ବଦଳିଥିଲା ତାହା ଉପରେ ଆଲୋଚନା ବେଳେ ପଠାନ୍‌ ଏପରି କହିଛନ୍ତି।

ଦଳୀୟ ବୈଠକ ସବୁବେଳେ ଛୋ‌ଟ ରହୁଥିଲା। ଉଭୟ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବେଳେ ମାତ୍ର ୫ ମିନିଟ୍‌ର ବୈଠକ ବସୁଥିଲା। କିନ୍ତୁ ବୋଲରଙ୍କ ଉପରେ ଧୋନିଙ୍କ ସଂପୂର୍ଣ୍ଣ ନଜର ରହୁଥିଲା। ୨୦୦୭ରେ ସେ ୱିକେଟ୍‌ରକ୍ଷଣ ସ୍ଥାନଠାରୁ ବୋଲରଙ୍କ ପର୍ଯ୍ୟନ୍ତ ଆସିଯାଉଥିଲେ ଏବଂ ସେମାନଙ୍କୁ ନିୟଂତ୍ରଣ କରିବାକୁ ଉଦ୍ୟମ କରୁଥିଲେ। ହେଲେ ୨୦୧୩ରେ ବୋଲରମାନଙ୍କୁ ନିଜେ ନିଜେ ନିୟଂତ୍ରଣ କରିବାକୁ ଛାଡ଼ି ଦେଉଥିଲେ। ସେ ଖୁବ୍‌ ଶାନ୍ତ ଓ ନିୟଂତ୍ରିତ ରହୁଥିଲେ ବୋଲି କହିଛନ୍ତି ପଠାନ୍‌। ଏପରିକି ୨୦୧୩ ମଧ୍ୟରେ ଧୋନି ମଧ୍ୟ ଦୁଃସାହସ ଜରିଆରେ ସ୍ପିନରଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ ବୋଲିଂ ଆକ୍ରମଣରେ ନିୟୋଜିତ କରି ମ୍ୟାଚ୍‌ ଜିତି ନେଉଥିଲେ। ୨୦୦୭ରୁ ୨୦୧୩ ମଧ୍ୟରେ ସେ ତାଙ୍କ ମନ୍ଥର ବୋଲର ଏବଂ ସ୍ପିନରଙ୍କ ଉପରେ ବିଶ୍ବାସ କରିବାର ଅଭିଜ୍ଞତା ସାଉଁଟି ସାରିଥିଲେ। ଠିକ୍‌ ସେତିକିବେଳକୁ ଚାମ୍ପିଅନ୍‌ସ ଟ୍ରଫି ଆସିଯାଇଥିଲା। ଫଳରେ ସେ ସଂକଟଜନକ ସ୍ଥିତିରେ ମ୍ୟାଚ୍‌ ଜିତିବା ପାଇଁ ସ୍ପିନରଙ୍କୁ ବ୍ୟବହାର କରିବାର ନୀତି ସ୍ପଷ୍ଟ କରିଥିଲେ ବୋଲି ପଠାନ୍‌ କହିଛନ୍ତି।

ଗତବର୍ଷ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଭାରତ ହାରିବାଠାରୁ ଧୋନି ଆଉ କୌଣସି ପ୍ରକାର କ୍ରିକେଟ୍‌ ‌ଖେଳିନାହାନ୍ତି। ସେ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ଦଳକୁ ସୀମିତ ଓଭର ଫର୍ମାଟ୍‌ରେ ନେତୃତ୍ବ ଦେଇଥିଲେ। ଏହା ବ୍ୟତୀତ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଟେଷ୍ଟ ଦଳର ଅଧିନାୟକ ରହିଥିଲେ। ୩୮ ବର୍ଷ ବୟସ୍କ ଧୋନି ଏକମାତ୍ର ଅଧିନାୟକ ଯିଏକି ଦଳକୁ ସମସ୍ତ ୩ ଆଇସିସି ଟ୍ରଫି ଭେଟି ଦେଇଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୦ ଓ ୨୦୧୬ ଏସିଆ କପ୍‌, ୨୦୧୧ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର