କୋହଲିଙ୍କ ନେତୃତ୍ବରେ ନଖେଳିବା ଇର୍ଫାନଙ୍କ ଅବସୋସ
‘ଦ୍ରାବିଡ଼ ଶତ ପ୍ରତିଶତ ଶ୍ରେଷ୍ଠ ଅଧିନାୟକ’
ଭଦୋଦରା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ ୨୦୦୩ ମସିହା ଡିସେମ୍ବର ମାସରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ସେହିଭଳି ୨୦୦୭ରେ ବୀରେନ୍ଦ୍ର ସେହବାଗଙ୍କ ନେତୃତ୍ବରେ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିଲେ। ଏହା ପରେ ରାହୁଲ ଦ୍ରାବିଡ଼ଙ୍କ ଅଧିନାୟକତ୍ବରେ ୨୦୦୭ ଏକଦିବସୀୟ ବିଶ୍ବକପ୍, ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାର ସୌଭାଗ୍ୟ ପାଇଥିଲେ। ନିଜ ଶେଷ ଟେଷ୍ଟ୍ ମ୍ୟାଚ୍ ସେ ଅନିଲ କୁମ୍ବଲେଙ୍କ ଅଧିନାୟକତ୍ବରେ ୨୦୧୨ ଅକ୍ଟୋବର ମାସରେ ଖେଳିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ କୌଣସି ମ୍ୟାଚ୍ ଖେଳି ନଥିଲେ। ଏପରିକି କିଙ୍ଗ୍ସ ଏକାଦଶ ପଞ୍ଜାବ, ଦିଲ୍ଲୀ ଡେୟାରଡେଭିଲ୍ସ (ଏବେ ଦିଲ୍ଲୀ କ୍ୟାପିଟାଲ୍ସ), ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ, ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ଓ ଗୁଜୁରାଟ ଲାୟନ୍ସ ଭଳି ଦଳରୁ ଆଇପିଏଲ୍ ଖେଳିଥିଲେ ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ କେବେବି ଖେଳି ନାହାନ୍ତି। କୋହଲିଙ୍କ ଅଧିନାୟକତ୍ବରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନପାରିବା ଇର୍ଫାନଙ୍କ ଜୀବନର ଅନ୍ୟତମ ଅବସୋସ ବୋଲି ସେ ପରୋକ୍ଷ ସଙ୍କେତ ଦେଇଛନ୍ତି। ନିକଟରେ ଦେଇଥିବା ଏକ ଅନ୍ଲାଇନ୍ ସାକ୍ଷାତକାରରେ ଇର୍ଫାନ କହିଛନ୍ତି ଯେ ଏହାକୁ ଗୋଟିଏ ବାକ୍ୟରେ କହିବା ଠିକ୍ ହେବ ନା ନାହିଁ ମୁଁ ଜାଣିନି। ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଖେଳିବାକୁ କିନ୍ତୁ ମୁଁ ବହୁତ ପସନ୍ଦ କରି ଥାଆନ୍ତି। ସେ ଏଭଳି ଜଣେ ଅଧିନାୟକ ଯିଏ ନିଜ ଖେଳାଳିଙ୍କୁ ଦୃଢ଼ ସମର୍ଥନ କରନ୍ତି। ଏପରିକି ନିଜ ଖେଳାଳିମାନଙ୍କୁ ସମର୍ଥନ କରିବା ଲାଗି ସେ ନିର୍ଦ୍ଧାରିତ ପଥ ବାହାରକୁ ଯିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଜଣେ ଅଧିନାୟକଙ୍କ ସଜ୍ଞା ଯାହା ହେବା ଦରକାର ସେ ସବୁଗୁଣ କୋହଲିଙ୍କ ପାଖରେ ରହିଛି। ସେହିଭଳି ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଠାନ ଜଣେ ପରିପକ୍ବ ଅଧିନାୟକ ଭାବେ ବର୍ଣ୍ଣନା କରିଥିଲେ। ‘‘ସମୟ ଅନୁସାରେ ଧୋନିଙ୍କ ନେତୃତ୍ବ ଦକ୍ଷତା ଅଧିକ ପରିପକ୍ବ ହୋଇଥିଲା। ୨୦୧୩ ମସିହା ବେଳକୁ ସେ ପୂରା ଶାନ୍ତ ହୋଇଯାଇଥିଲେ। ୨୦୦୭ ମସିହାରେ ନୂଆ ନୂଆ ଭାରତୀୟ ଦଳର ନେତୃତ୍ବ ନେଉଥିବାରୁ ସବୁଖେଳାଳିଙ୍କ ସହ ସେ ମଧ୍ୟ ଉତ୍ସାହିତ ରହୁଥିଲେ। ଧୋନିଙ୍କର ଗୋଟିଏ କଥା କିନ୍ତୁ ଅପରିବର୍ତ୍ତିତ ରହିଥିଲା। ସେ କେବେବି ୫ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଦଳୀୟ ବୈଠକ କରୁ ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଧାୱନଙ୍କ ପାଇଁ ରୋହିତଙ୍କୁ ସମୟ ମିଳେ
ଶିଖର ଧାୱନ ଓ ରୋହିତ ଶର୍ମା ୭ ବର୍ଷ ତଳେ ଅର୍ଥାତ୍ ୨୦୧୩ ମସିହାରେ ଭାରତ ପାଇଁ ଏକାଠି ପାଳି ଆରମ୍ଭ କରିଥିଲେ। ସେବେଠାରୁ ଏହୁ ଦୁଇ ଜଣ ସୀମିତ ଓଭର କ୍ରିକେଟ୍ରେ ବିଶ୍ବର ଅନ୍ୟତମ ସଫଳ ପ୍ରାରମ୍ଭିକ ଯୋଡ଼ିର ମାନ୍ୟତା ପାଇ ଆସୁଛନ୍ତି। ଧାୱନ-ରୋହିତଙ୍କ ଯୋଡ଼ିକୁ ପ୍ରଶଂସା କରିବାକୁ ଯାଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ କହିଛନ୍ତି ଯେ ଆମେ ସମସ୍ତେ ଜାଣିଛେ ଧାୱନ ଚାପ ମୁକ୍ତ ଭାବେ ଓ ହାତ ଖୋଲା ସଟ୍ ଖେଳିବାକୁ ଭଲ ପାଆନ୍ତି। ସେ ରୋହିତଙ୍କୁ ସମୟ ଦିଅନ୍ତି। ରୋହିତ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ରନ୍ ଗତି ବଢ଼ାଇବାକୁ ପୂରା ସକ୍ଷମ। କ୍ରିଜ୍ରେ ଜମିବା ଲାଗି କିନ୍ତୁ ସେ କିଛି ସମୟ ନିଅନ୍ତି। ଉଭୟ ଖେଳାଳି ପରସ୍ପରର ଦକ୍ଷତା ଓ ଦୁର୍ବଳତାକୁ ଚିହ୍ନନ୍ତି ଏବଂ ତଦନୁଯାୟୀ ଖେଳନ୍ତି। ଧାୱନ ପ୍ରଥମେ ଆକ୍ରମଣ କରନ୍ତି, ସ୍ପିନର ଆସିଲା ବେଳକୁ ରୋହିତ ଜମି ସାରି ଥାଆନ୍ତି। ଯାହା ଫଳରେ ଉଭୟ ଦୃଢ଼ ମୂଳଦୁଆ ପକାଇବାକୁ ସକ୍ଷମ ହୁଅନ୍ତି। ସୂଚନାଯୋଗ୍ୟ ଯେ ରୋହିତ ଓ ଧାୱନ ଏପର୍ଯ୍ୟନ୍ତ ୧୬ଟି ଶତକୀୟ ଭାଗୀଦାରି କରି ସାରିଛନ୍ତି। ଏହା କରି ସେମାନେ ଅଷ୍ଟ୍ରେଲିଆର ଆଦାମ ଗିଲକ୍ରିଷ୍ଟ ଓ ମାଥ୍ୟୁ ହେଡେନଙ୍କ ସମକକ୍ଷ ହୋଇ ପାରିଛନ୍ତି। ଏକଦିବସୀୟ କ୍ରିକେଟ୍ରେ ସର୍ବାଧିକ ଶତକୀୟ ପ୍ରାରମ୍ଭିକ ଭାଗୀଦାରି (୨୧) କରିବାର କୀର୍ତ୍ତିମାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି।
‘ଦ୍ରାବିଡ଼ ଶତ ପ୍ରତିଶତ ଶ୍ରେଷ୍ଠ ଅଧିନାୟକ’
ନୂଆଦିଲ୍ଲୀ: ଯେତେବେଳେ ଭାରତର ସଫଳ ଅଧିନାୟକଙ୍କ କଥା ଆଲୋଚନା କରାଯାଏ ୧୯୮୩ ବିଶ୍ବକପ୍ ବିଜେତା କପିଳ ଦେବ, ୩ ଆଇସିସି ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ସହ ସୌରଭ ଗାଙ୍ଗୁଲି ଏବଂ ଏବର ଅଧିନାୟକ ବିରାଟ କୋହଲିଙ୍କ ନାଁ ଆଗରେ ଆସିଥାଏ। ହେଲେ ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେଷ୍ଠ ଅଧିନାୟକ ଭାବେ ବାଛିଛନ୍ତି ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ। ଇନ୍ଷ୍ଟାଗ୍ରାମ ଲାଇଭ୍ ଚାଟ୍ ସୋ’ ‘ବିୟଣ୍ଡ ଦ ଫିଲ୍ଡ’ରେ ଇର୍ଫାନ୍ଙ୍କୁ ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ଉପସ୍ଥାପକ ରୌନକ କାପୁର ପଚାରିଥିଲେ ଦ୍ରାବିଡ଼ଙ୍କ ଅଧିନାୟକ ବିଷୟରେ ବର୍ଣ୍ଣନା କର। ଏହାର ଉତ୍ତରରେ ଇର୍ଫାନ୍ କହିଥିଲେ, ଦ୍ରାବିଡ଼ ହେଉଛନ୍ତି ଶତ ପ୍ରତିଶତ ଶ୍ରେଷ୍ଠ ଅଧିନାୟକ। ସମସ୍ତ ଅଧିନାୟକ ନିଜ ନିଜର ରାସ୍ତାରେ ଯିବା ଲାଗି ଅଲଗା ଚିନ୍ତା କରିଥା’ନ୍ତି। କିନ୍ତୁ ରାହୁଲ ଦ୍ରାବିଡ଼ ଏକ ମାତ୍ର ଅଧିନାୟକ ଯିଏ ଅଲଗା ପ୍ରକାର ଭାବିଥା’ନ୍ତି ଏବଂ ସବୁବେଳେ ତାଙ୍କର କଥାବର୍ତ୍ତା ସଫା ଥାଏ। ସେ ଖେଳାଳିଙ୍କୁ ସେମାନଙ୍କ କାମ କ’ଣ କହିବା ସହ ସେହି ଅନୁଯାୟୀ କାର୍ଯ୍ୟ ତୁଲାଇବାକୁ ପରାମର୍ଶ ଦେଇଥା’ନ୍ତି। ସେ ଚାହାନ୍ତି ତୁମେ ସବୁକିଛି କର। ସେ କ୍ରିକେଟ୍କୁ ଭଲ ଭାବରେ ଖେଳିଥା’ନ୍ତି। ୱିକେଟ୍ରକ୍ଷଣ ସହ ପ୍ରାରମ୍ଭିକ ଓ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଭଳି ସବୁ କରିବାର ଦକ୍ଷତା ତାଙ୍କ ପାଖରେ ଥିଲା। ଲୋକେ କୁହନ୍ତି ସେ ଭଲ ଦିନିକିଆ କ୍ରିକେଟର୍ ନୁହଁନ୍ତି। କିନ୍ତୁ ସେ ୫୦ ଓଭରିଆ ମ୍ୟାଚ୍ରେ ୧୦,୦୦୦ ରନ୍ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ସେ ଦଳ ପାଇଁ ଜଣେ ମହାନ୍ ଖେଳାଳି ଥିଲେ। ତାଙ୍କ ନେତୃତ୍ବ ନେବାର ଶୈଳୀ ଦଳ ପାଇଁ ଉପଯୋଗୀ ଥିଲା ବୋଲି ପଠାନ କହିଛନ୍ତି। ଯେତେବେଳେ ଅସୁବିଧା ଥାଏ ସେ ସେଠାରେ ଥା’ନ୍ତି। ଜଣେ ଖେଳାଳି ରାତି ୨ଟାରେ ଅସୁବିଧା ନେଇ ତାଙ୍କ ପାଖକୁ ଗଲେ ସେ ଏହାର ସମାଧାନ ବାଟ ବତାଇଥା’ନ୍ତି। ସେ ଏମିତି ଜଣେ ଅଧିନାୟକ ଯିଏ ସବୁ ଖେଳାଳିଙ୍କ ସହ ଭଲ ଯୋଗାଯୋଗ ରଖୁଥିଲେ ବୋଲି ପଠାନ କହିଛନ୍ତି।