ଚାଲିଗଲେ ଭାରତୀୟ ହକିର ‘ଲୌହ ପ୍ରାଚୀର’

ମାଇକେଲ କିଣ୍ଡୋଙ୍କ ପରଲୋକ ହକିଗଡ଼ରେ ଶୋକର ଛାୟା, ଆଜି ହେବ ଅନ୍ତିମ ସଂସ୍କାର

ରାଉରକେଲା/ ଭୁବନେଶ୍ବର: କରୋନା କବଳିତ କଠୋର ‘୨୦୨୦’ ବିଦାୟ ନେବାର ଠିକ୍ ପୂର୍ବରୁ ଓଡ଼ିଶା ସହ ସମଗ୍ର ଭାରତୀୟ କ୍ରୀଡ଼ା ଜଗତକୁ ଆଉ ଏକ ଶକ୍ତ ଓ ଦୁଃଖଦ ଧକ୍କା ଦେଇଛି। ବିଦାୟୀ ବର୍ଷର ଶେଷ ଦିନରେ ମହାନ ହକି ତାରକା, ଅର୍ଜୁନ ପୁରସ୍କାର ବିଜେତା, ୧୯୭୫ ହକି ବିଶ୍ବକପ୍ ବିଜୟୀ ତଥା ୧୯୭୨ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଓ ଭାରତୀୟ ହକିର ‘‌ଲୌହ ପ୍ରାଚୀର’ ମାଇକେଲ୍ କିଣ୍ଡୋ (୭୩)ଙ୍କର ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି। କିଣ୍ଡୋ ଚାଲିଯିବା ପରେ ଭାରତ, ବିଶେଷକରି ଓଡ଼ିଶା ହକି ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତା’ର ସୁଯୋଗ୍ୟ ପୋଷ୍ୟ ସନ୍ତାନକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି।

ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍‌ରେ କିଣ୍ଡୋ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ ସେ। ଆଜି ସକାଳେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ କିଣ୍ଡୋ। ନିଜର ଖେଳ ଲାଗି ବିଶ୍ବ ବିଖ୍ୟାତ ହୋଇଥିବା ଡିଫେଣ୍ଡର୍‌ ମାଇକେଲଙ୍କୁ ବିଶ୍ବ ହକି ଜଗତରେ ‘ଲୌହ ପ୍ରାଚୀର’ ଭାବେ ଅଭିହିତ କରାଯାଉଥିଲା। ତେଣୁ ଏହି କିଂବଦନ୍ତି ଖେଳାଳିଙ୍କ ବିୟୋଗରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ପୂର୍ବତନ ଜାତୀୟ ହକି ଖେଳାଳି ପିଟର ତିର୍କିଙ୍କ ସମେତ ବହୁ ପୂର୍ବତନ କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ, କ୍ରୀଡ଼ା ସଂଗଠନ ସଦସ୍ୟ ଅନ୍ତିମ ଦର୍ଶନରେ ଯୋଗଦେଇ ତାଙ୍କ ପ୍ରତି ଶେଷ ସମ୍ମାନ ଜଣାଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶୀଲା କିଣ୍ଡୋ ଓ ଏକମାତ୍ର ପୁଅ ଆଲବର୍ଟ ଚାର୍ଲ‌୍ସ କିଣ୍ଡୋ ଉପସ୍ଥିତ ଥିଲେ। ଦୁଇ ଝିଅ ଅନୀତା ଓ ସୁନୀତା ଯଥାକ୍ରମେ କପୁରତାଲା ଓ ବାରାଣାସୀରୁ ରାଉରକେଲା ଅଭିମୁଖେ ବାହାରିଥିବା ଜଣାପଡ଼ିଛି। କିଣ୍ଡୋଙ୍କ ମୃତଦେହ ଆଇଜିଏଚ୍‌ ଶବାଗାରରେ ରହିଛି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ଓଡ଼ିଶା ଥିଲା କର୍ମଭୂମୀ
ମହାନ ହକି ତାରକା ମାଇକେଲ କିଣ୍ଡୋଙ୍କ ଜନ୍ମ ଝାଡ଼ଖଣ୍ଡର ସୀମଡେଗା ଜିଲ୍ଲା କୁରଡ଼େଗା ଗ୍ରାମରେ ଜୁନ୍ ୨୦ ୧୯୪୭ ମସିହାରେ ହୋଇଥିଲା। ତେବେ ନିଜ ଜୀବନର ଅଧିକାଂଶ ସମୟ ସେ ରାଉ‌ରକେଲାରେ କଟାଇଥି‌ଲେ। ଶେଷ ନିଶ୍ବାସ ମଧ୍ୟ ସେହି ରାଉରକେଲାରେ ତ୍ୟାଗ କରିଥିଲେ। ଆରଏସ୍‌ପିରେ ଯୋଗ ଦେବା ପରେ ଓଡ଼ିଶା ହକି ଦଳର ପ୍ରତିନିଧିତ୍ବ ମଧ୍ୟ କରିଥିଲେ ସେ। ଆରଏସ୍‌ପିର କ୍ରୀଡ଼ା ବିଭାଗରୁ ଅବସର ନେବା ପରେ ମଧ୍ୟ ହକି ସହ ଜଡ଼ିତ ରହିଥିଲେ ସେ। ସେଲ୍ ହକି ଏକାଡେମିରେ ପ୍ରଶିକ୍ଷଣ ଦେବା ସହ ଉଦୀୟମାନ ହକି ତାରକାଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ ସହଯୋଗ କରୁଥିଲେ। ତାଙ୍କ ମାର୍ଗଦର୍ଶନରେ ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ଲାଭ କରିଥିଲେ। କିଣ୍ଡୋ କିନ୍ତୁ ଗାଁ ଦାଣ୍ଡରେ କାଠ ଫାଳିଆରେ ହକି ଖେଳିବା ଆରମ୍ଭ କରିଥିଲେ। ପରେ ହକି ତାଙ୍କର ନିଶା ପାଲଟି ଯାଇଥିଲା। ଉନ୍ନତ ମାନର ଖେଳ ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିଲେ। ନୌସେନା ପକ୍ଷରୁ ହକି ଖେଳିବା ସହ ସେ ଏକାଧିକବାର ଦଳକୁ ସଫଳତା ଆଣିଦେଇଥିଲେ। କ୍ରମାଗତ ଭାବେ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁଁ ଶ୍ରୀ କିଣ୍ଡୋ ୧୯୬୭-୬୮ ମସିହାରେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ଏହାପରେ ବହୁସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିଥିଲେ।

ହକି କିଂବଦନ୍ତି ମାଇକେଲ କିଣ୍ଡୋଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେ ମଧ୍ୟ ଶ୍ରୀ କିଣ୍ଡୋଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହାନ କିଣ୍ଡୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ମାଇକେଲ କିଣ୍ଡୋ ଜଣେ ମହାନ ହକି ଖେଳାଳି ଥିଲେ। ବିଶ୍ବ ହକି ପ୍ରତି ତାଙ୍କ ଅବଦାନକୁ ଭୁଲି ହେବନି। ବିଶ୍ବକପ୍‌ରେ ନିଜ ଚମତ୍କାର ପ୍ରଦର୍ଶନ ବଳରେ କିଣ୍ଡୋ ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି। ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି।

ସମ୍ବନ୍ଧିତ ଖବର