ଭୁବନେଶ୍ବର : ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଓ ପ୍ରସ୍ତୁତିକୁ ନେଇ ସାରା ଦେଶରେ ପ୍ରଶ୍ନ ଉଠୁଛି । ଏଥିପାଇଁ କେତେକ ବିଶେଷଜ୍ଞ ଆଇପିଏଲକୁ ମଧ୍ୟ ଦାୟୀ କରିବାକୁ ପଛଉନାହାନ୍ତି ।

Advertisment

ଡବ୍ଲୁଟିସି ଫାଇନାଲ ମ୍ୟାଚର ମାତ୍ର ୬-୭ ଦିନ ପୂର୍ବରୁ ଭାରତୀୟ ଦଳର ଅଧିକାଂଶ ଖେଳାଳି ଲଣ୍ଡନରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ଆଇପିଏଲ୍ ଛାଡ଼ି ଟେଷ୍ଟ ଫାଇନାଲ୍ ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ତାହାର ସୁଫଳ ଅଷ୍ଟ୍ରେଲିଆକୁ ମିଳିଲା ।

ମ୍ୟାଚ୍ ପରେ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କ ଦଳକୁ ପ୍ରସ୍ତୁତି ପାଇଁ ୨୦-୨୫ ଦିନ ଦରକାର ଥିଲା । ଏଭଳି ପରିସ୍ଥିତିରେ ସେ କାହାକୁ ଦାୟୀ କରିବାକୁ ଚେଷ୍ଟା କରୁଛନ୍ତି ?  ସେ ନିଜେ ଓ ତାଙ୍କ ଦଳର ବାକି ସଦସ୍ୟ ଆଇପିଏଲ୍ ଖେଳିବାରେ ବ୍ୟସ୍ତ ଥିଲେ ।

ରୋହିତ ଶର୍ମା ନିଜେ ଏହି ବୟାନ ଦେଇ ଜାଲରେ ପଡ଼ିଛନ୍ତି । କାରଣ ଡବ୍ଲ୍ୟୁଟିସି ଫାଇନାଲର ୨୦-୨୫ ଦିନ ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଆଇପିଏଲ୍ ଖେଳିବାରେ ବ୍ୟସ୍ତ ଥିଲେ। ଏପରିକି ଦଳର ଅଧିକାଂଶ ଖେଳାଳି ମ୍ୟାଚର ମାତ୍ର ୬-୭ ଦିନ ପୂର୍ବରୁ ଲଣ୍ଡନରେ ପହଞ୍ଚିଥିଲେ।

ଆଇପିଏଲ ଆରମ୍ଭ ହେବା ପୂର୍ବରୁ କେତେକ ପୂର୍ବତନ ଖେଳାଳି ମତ ଦେଇଥିଲେ ଯେ ବିଶ୍ୱକପ୍ ପାଇଁ ଥିବା ଖେଳାଳିମାନେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ନେବା ଉଚିତ, ଯାହାଦ୍ୱାରା ସେମାନେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ସତେଜ ରହିପାରିବେ । ସେତେବେଳେ ରୋହିତ କିନ୍ତୁ ଆଇପିଏଲ ଖେଳିବା ସପକ୍ଷରେ ମତ ଦେଇଥିଲେ । ଏବେ ଡବ୍ଲୁଟିସି ଫାଇନାଲ ଫଳ ଭାରତୀୟ ଟିମର ସବୁ ଦୁର୍ବଳତାକୁ ପଦାରେ ପକାଇଦେଇଛି ।