ସିଂହଳୀ ତାମିଲ ଭାବେ ଜନ୍ମ ନେବା କ’ଣ ମୋ‌ର ଭୁଲ?

କଲମ୍ବୋ: ଶ୍ରୀଲଙ୍କାର କିଂବଦନ୍ତି ସ୍ପିନର ମୁଥୟା ମୁରଲୀଧରନ୍‌ଙ୍କ ଆତ୍ମଜୀବନୀ ‘୮୦୦’କୁ ନେଇ ବିବାଦ ଉପୁଜିଛି। ସେନେଇ ମୁହଁ ଖୋଲିଛନ୍ତି ମୁରଲୀ। ‘‘କୌଣସି ବିବାଦ ମୋତେ ଏତେଟା ପ୍ରଭାବିତ କରେନି। କାରଣ ମୁଁ ବିବାଦ ସହ ପୂର୍ବରୁ ପରିଚିତ। ହେଲେ ସଦ୍ୟ ଉଠିଥିବା ବିବାଦକୁ ନେଇ ମୁଁ ମୋର ଭାବନା ବ୍ୟକ୍ତ କରିବାକୁ ଚାହେଁ। ମୋ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯେତେବେଳେ ପ୍ରଯୋଜକ ମୋତେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ସେତେବେଳଠୁ ମୁଁ ଦ୍ବିଧାରେ ଥିଲି। ହେଲେ ଏହି ଚଳଚ୍ଚିତ୍ର ମୋର ସଫଳତାରେ ଅଭିଭାବକ, ଶିକ୍ଷକ, ପ୍ରଶିକ୍ଷକ ଏବଂ ସାଥୀ ସହଯୋଗୀ ଖେଳାଳିମାନଙ୍କ ଅବଦାନକୁ ସ୍ବୀକୃତି ଦେବାରେ ସଠିକ୍‌ ସୁଯୋଗ ହେବାନେଇ ପରେ ଭାବିଥିଲି’’ ବୋଲି କହିଛନ୍ତି ମୁରଲୀ।

ଏହି ମୁଭିରେ ମୁରଲୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ବିଜୟ ସେଥୁପାଥି ରାଜି ହୋଇଥିଲେ। ହେଲେ ତାହା ହିଁ ତ‌ାମିଲନାଡୁରେ ରାଜନୈତିକ ଅଶାନ୍ତି ସୃଷ୍ଟି କରିଛି। ଏହାର କାରଣ ହେଉଛି ମୁରଲୀଧରନ୍‌ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦା ରାଜ୍‌ପକ୍ସଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ଯିଏକି ୩୦ ବର୍ଷର ଗୃହଯୁଦ୍ଧ ଅବସରରେ ଶ୍ରୀଲଙ୍କାକୁ ତଳିତଳାନ୍ତ କରିଦେଇଥିଲେ। ଯେତେବେଳେ ପ୍ରଥମେ ଗୃହଯୁଦ୍ଧ ହୋଇଥିଲା ସେତେବେଳେ ଭାରତୀୟ ବଂଶୋଦ୍ଭବଙ୍କ ସହ ମାଲୟାଗା ତାମିଲ ଅଧିକ ପ୍ରଭାବିତ ହୋଇଥିଲେ ବୋଲି ମୁରଲୀ ଦାବି କରିଛନ୍ତି। ସେତେବେଳେ ଯୁଦ୍ଧର ଭୟାବହତା ଓ କ୍ଷତ ମୁଁ ଅନଭବ କରିଛି। ଶ୍ରୀଲଙ୍କାରେ ୩୦ରୁ ଅଧିକ ବର୍ଷ ଧରି ଆମେ ଯୁଦ୍ଧର ଘନଘଟା ମଧ୍ୟରେ ବଞ୍ଚି ରହିଥିଲୁ। ସେଭଳି ସମୟ ଓ ପରିସ୍ଥିତି ସତ୍ତ୍ବେ ମୁଁ ଯେ କିପରି କ୍ରିକେଟ୍‌ ଦଳରେ ଯୋଗ ଦେବାରେ ସମର୍ଥ ହୋଇଥିଲି ଏବଂ ସଫଳତାର ସ୍ବାଦ ଅନୁଭବ କରିଥିଲି ବିବାଦୀୟ ‘୮୦୦’ ହିଁ ସେସବୁର କାହାଣୀ ବଖାଣିପାରିବ ବୋଲି ମୁରଲୀଧରନ୍‌ କହିଛନ୍ତି। ହେଲେ ମୋର ବୟାନକୁ ଭୁଲ୍‌ ଭାବେ ଚିତ୍ରଣ କରି ତାଙ୍କ ଉପରେ ଅପବାଦ ଲଦି ଦିଆଯିବାର ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି। ଏଥିପାଇଁ ସେ ଉଦାହରଣ ମଧ୍ୟ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ୨୦୧୯ରେ ମୁଁ ୨୦୦୯ ମୋ ଜୀବନର ସବୁଠୁ ଖୁସୀର ବର୍ଷ ଥିଲା ବୋଲି କହିଥିଲି। କିନ୍ତୁ ଲୋକମା‌ନେ ଏହାକୁ କଦର୍ଥ କରି ଲେଖିଲେ ‘‘ଯେଉଁ ବର୍ଷ ତାମିଲମାନଙ୍କୁ ହତ୍ୟା କରାଯାଉଥିଲା ସେହିବର୍ଷ ମୋ ଜୀବନର ଖୁସୀର ବର୍ଷ ଥିଲା’’ ବୋଲି ମୁରଲୀ କହିଛନ୍ତି। ୨୦୦୯ ମେ’ ମାସରେ ତାମିଲ ଟାଇଗର୍‌ଙ୍କ ପରାଜୟ ସହିତ ଗୃହଯୁଦ୍ଧର ଅବସାନ ଘଟିଥିଲା।

ଜଣେ ସାଧାରଣ ଲୋକର ଦୃଷ୍ଟିକୋଣରୁ ଚିନ୍ତା କରନ୍ତୁ। ମୁଁ ଯୁ୍ଦ୍ଧ ଅବସରରେ ହିଁ ବଢ଼ିଥିଲି। ଆଉ ତା’ପରେ କ’ଣ ଘଟିଲା, ସେକଥା ତୁମେ କଦାପି ଭାବିପାରିବ ନାହିଁ। ସ୍କୁଲ୍‌ରେ ମୋର ଜଣେ ଖେଳସାଥୀ ମୋ ସହ ତା’ ପରଦିନ ଖେଳିବାକୁ ଆଉ ବଞ୍ଚି ରହିନଥିଲା। ସେଭଳି ସ୍ଥିତିରେ ଯୁଦ୍ଧର ଯବନିକା ପଡ଼ିଥିଲା। ଜଣେ ସାଧାରଣ ନାଗରିକ ଭାବେ ମୁଁ ସୁରକ୍ଷା ସଂପର୍କରେ ଭାବିଥିଲି। ଏବଂ ଗତ ୧୦ ବର୍ଷ ମଧ୍ୟରେ ଉଭୟ ପକ୍ଷରୁ ଆଉ କୌଣସି ଜୀବନହାନୀ ଘଟିନଥିଲା। ଖାସ୍‌ ସେଇଥିପାଇଁ ୨୦୦୯ ମୋ ପାଇଁ ସବୁଠୁ ଖୁସୀର ବର୍ଷ ଥିଲା ବୋଲି ମୁଁ କହିଥିଲି। ମୁଁ କୌଣସି ମୃତ୍ୟୁବରଣ କରିଥିବା ନୀରିହ ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ଆଘାତ ପହଞ୍ଚାଇବା ଉଦେଶ୍ୟରେ ଏଭଳି କହିନଥିଲି ବୋଲି ସ୍ପଷ୍ଟ କରିଛନ୍ତି ମୁରଲୀ। ସେ ତାମିଲଙ୍କୁ ଆଦୗ ଜାଣନ୍ତିନି ବୋଲି ହେଉଥିବା ଅଭିଯୋଗକୁ ମୁରଲୀ ଖଣ୍ଡନ କରିଛନ୍ତି। ଦେଶରେ ମୋର ସଂଖ୍ୟାଲଘୁ ମାନ୍ୟତା ଯୋଗୁଁ ମୁଁ ହୀନ ମନେକରେ। ମୋର ଅଭିଭାବକ ମଧ୍ୟ ସେହି ମନୋଭାବ ସଂପନ୍ନ ବୋଲି ସେ କହିଛନ୍ତି। ମୋର କଠୋର ପରିଶ୍ରମ ବଳରେ କ୍ରିକେଟ୍‌ ଦଳରେ ନିଆରା ସ୍ଥାନ ସୃଷ୍ଟି କରିପାରିଥିଲି। କ୍ରିକେଟ୍‌ରେ କେବେ ବି ସିଂହଳୀଙ୍କ ମଧ୍ୟରେ ମାଲୟାଗା, ତାମିଲ ଏବଂ ଇଲମ ତାମିଲର ଫରକ ଦେଖିନଥିଲି ବୋଲି କହିଛନ୍ତି ମୁରଲୀ। ମୁଁ ଜଣେ ସିଂହଳୀ ତାମିଲ ଭାବେ ଜନ୍ମ ଗ୍ରହଣ କରିବା କ’ଣ ମୋର ଅପରାଧ ବୋଲି ପ୍ରଶ୍ନ କରିଛନ୍ତି ମୁରଲୀ। ମୁଁ ଶ୍ରୀଲଙ୍କା କ୍ରକେଟ୍‌ ଦଳର ସଦସ୍ୟ ରହିଥିବାରୁ ମୋତେ ଭୁଲ୍‌ ଭାବେ ଚିତ୍ରଣ କରାଯାଉଛି। ମୁରଲୀଙ୍କ କହିବା କଥା, ମୁଁ ଯଦି ଭାରତରେ ଜନ୍ମ ଗ୍ରହଣ କରିଥା’ନ୍ତି ତାହା‌ଲେ ଭାରତୀୟ ଦଳରେ ସାମିଲ ହେବାର ପ୍ରୟାସ କରିଥା’ନ୍ତି।

ଯେଉଁ ଲୋକମାନେ ମୋ ଜୀବନୀ ସଂପର୍କରେ ଜାଣିନାହାନ୍ତି (କେତେକ ଉପେକ୍ଷା ଯୋଗୁଁ ତ ଆଉ କେତେକ ରାଜନୀତି କାରଣରୁ) ସେମାନେ ମୋତେ ତାମିଲ ସଂପ୍ରଦାୟ ବିରୋଧରେ ଚିତ୍ରିତ କରୁଛନ୍ତି ବୋଲି ମୁରଲୀ କ୍ଷୋଭର ସହ କହିଛନ୍ତି। ଏଭଳି ମିଥ୍ୟା ଖବର ପ୍ରଚାର କରାଯାଉଥିବାରୁ ଏହା ମୋତେ ଖୁବ୍‌ କଷ୍ଟ ଦେଉଛି। ତେଣୁ ମୁଁ ନିରପେକ୍ଷ ଓ ସାଧାରଣ ଲୋକମାନଙ୍କୁ ମୋର ସ୍ପଷ୍ଟୀକରଣ ଦେବାକୁ ଉଚିତ ମନେ କଲି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର