ସଞ୍ଜୁ ସିଙ୍ଗଲ୍‌ ନନେବା ଯଥାର୍ଥ କି ?

ମୁମ୍ବାଇ: ଆଇପିଏଲ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସର ୨୨୧ ରନ୍‌କୁ ପଶ୍ଚାତଧାବନ କରି ରାଜସ୍ଥାନ ରୟାଲ୍ସ ୨୧୭ ରନ୍‌ରେ ଅଟକିଯାଇଥିଲା। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ଲଢ଼ୁଆ ଶତକ ୧୧୯ (୬୩ ବଲ୍‌) ଦଳକୁ ବିଜୟ ଦେବାରେ ଯଥେଷ୍ଟ ହୋଇନଥିଲା। କିନ୍ତୁ ଶେଷ ଓଭର ପଞ୍ଚମ ବଲ୍‌ରୁ ସିଙ୍ଗଲ୍‌ ରନ୍‌ ନନେବା ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି। ଶେଷ ଦୁଇ ବଲ୍‌ରୁ ୫ ରନ୍‌ ଆବଶ୍ୟକ ପଡିଥିବା ବେଳେ ସଞ୍ଜୁ ଶେଷ ଓଭର ବୋଲିଂ କରୁଥିବା ଅର୍ଶଦୀପଙ୍କ ପଞ୍ଚମ ବଲ୍‌କୁ ଲଙ୍ଗ ଅଫ୍‌ ଅଞ୍ଚଳକୁ ଖେଳିଥିଲେ। ଏକ ରନ୍ ସଂଗ୍ରହର ସ‌ୁଯୋଗ ଥିଲେ ମଧ୍ୟ ନନେଇ ଶେଷ ବଲ୍‌କୁ ବଡ଼ ସଟ୍‌ ଖେଳିବା ନିଷ୍ପତ୍ତି ନେଇଥିଲେ। ଅପରପାର୍ଶ୍ବରେ ୧୬.୨୫ କୋଟିରେ ନିଲାମ ହୋଇଥିବା ଦକ୍ଷିଣ ଆଫ୍ରିକାର କ୍ରିସ୍‌ ମୋରିସ୍‌ ରହିଥିଲେ। ମୋରିସ୍‌ ସେତେବେଳକୁ ୪ ବଲ୍‌ ଖେଳି ୨ ରନ୍ କରିଥିଲେ। ମୋରିସ୍‌ ବଲ୍‌କୁ ଭଲ ଭାବେ ଷ୍ଟ୍ରାଇକ୍ କରିପାରୁନଥିବାରୁ ସାମସନ୍‌ ଭରସା କରିପାରିଥିଲେ। ନିଜ ଉପରକୁ ଦାୟିତ୍ବ ନେଇଥିଲେ ମଧ୍ୟ ଶେଷ ବଲ୍‌କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଏକ୍ସଟ୍ରା କଭର ଅଞ୍ଚଳରେ ଧରାପଡ଼ିଥିଲେ। ପଞ୍ଜାବ କିଙ୍ଗ୍ସ ୪ ରନ୍‌ରେ ମ୍ୟାଚ୍‌ ଜିତିଯାଇଥିଲା। ପ୍ରଥମ ଅଧିନାୟକ ଭାବେ ସାମସନ୍‌ ଶତକ ହାସଲ କରିଥିଲେ। ସଞ୍ଜୁ ଶେଷ ଓଭର ପଞ୍ଚମ ବଲ୍‌ରୁ ସିଙ୍ଗଲ୍ ରନ୍‌ ନେଇ ମୋରିସଙ୍କୁ ଶେଷ ବଲ୍‌ ଖେଳିବାକୁ ଦେବା ଉଚିତ୍ ଥିଲା କି? ବୋଲି ଏବେ ହେଉଥିବା ଚର୍ଚ୍ଚାରେ ଅଧିକାଂଶ କ୍ରିକେଟ୍ ବିଶାରଦମାନେ ସଞ୍ଜୁଙ୍କ ସପକ୍ଷରେ ମତ ଦେଇଛନ୍ତି।

 କୁମାର ସାଙ୍ଗାକାରା, ଆର୍‌ଆର୍‌ ନିର୍ଦେଶକ: ମୋ ବିଶ୍ବାସ ଥିଲା ସଞ୍ଜୁ ନିଜେ କାମ ଶେଷ କରିବାର ବିଶ୍ବାସ ରଖିଥିଲେ। ସେ ଶେଷ ବଲ୍‌କୁ ଛକା ମାରିବାଠାରୁ ୫/୬ ଗଜ ଦୂରରେ ରହିଯାଇଥିଲେ। ଫର୍ମରେ ଥିବାବେଳେ ଛକା ମାରିବାର ବିଶ୍ବାସା ଥାଏ। ନିଜ ଉପରକୁ ଦାୟିତ୍ବ ନେବା ବାସ୍ତବିକ ଉତ୍ସାହଜନକ। ସକାରାତ୍ମକ ମନୋଭାବ ସବୁଠାରୁ ବଡ଼ କଥା। ପରବର୍ତୀ ଥର ସେ ନିଶ୍ଚିତ ୧୦ ଗଜ ଅଧିକ ଲମ୍ବାର ଛକା ମାରି ଦଳକୁ ଜିତାଇବେ।
 ସ୍ନେହାଲ୍ ପ୍ରଧାନ, ପୂର୍ବତନ ମହିଳା କ୍ରିକେଟର୍‌: ସଞ୍ଜୁ ଏକ ରନ୍‌ ନନେବା ପଛରେ କିଛି ଅସୁବିଧା ନଥିଲା। ବାଉଣ୍ଡରି ମାରିବା ନେଇ ନିଜ ଉପରେ ବିଶ୍ବାସ ରଖିପାରିଥିଲେ।
 ଜିମ୍ନି ନିସାମ୍‌: ସାମସନ୍‌ ଯେଭଳି ବ୍ୟାଟିଂ କରୁଥିଲେ ସେ ମୋରିସ୍‌ଙ୍କ ଚ‌ୌକା ଛକା ଅପେକ୍ଷା ନିଜ ଛକା ଉପରେ ଅଧିକ ବିଶ୍ବାସ ରଖିଥିଲେ।
 ସୁରେଶ ରାଇନା: ଚମତ୍କାର ପାଳି, ବଢ଼ିଆ ‌ଖେଳିଲ ସାମସନ୍‌। ନିଶ୍ଚିତ ଆଜି ଅନେକ ହୃଦୟ ଜିତିଲ, ଏହାକୁ ଜାରି ରଖ।
 ଯଶପ୍ରୀତ୍ ବୁମରା: ବହୁତ ଖୁସି ସାମସନ୍‌, ‌ଉଚ୍ଚ ଶ୍ରେଣୀୟ ପାଳି ଖେଳିଲ।
 ଆକାଶ ଚୋପ୍ରା: ସଞ୍ଜୁଙ୍କ ପାଳି ପରାଜୟ ପାର୍ଶ୍ବରେ ରହିଲେ ବି ଅନ୍ୟତମ ଉତ୍କୃଷ୍ଟ ଭାବେ ସ୍ମରଣୀୟ ରହିବ।
 ଇଆନ୍ ବିଶପ: ସଞ୍ଜୁଙ୍କ ପାଳି ମନୋରଂଜନ ଭରା ରହିଲା।
 ସଞ୍ଜୟ ମଞ୍ଜରେକର: ପ୍ରଥମ ଓଭରରେ ଆସି ଶେଷ ବଲ୍‌ ଯାଏଁ ଖେଳି‌‌‌ଲ ସଞ୍ଜୁ। ଏଭଳି ଫର୍ମ ଆଇପିଏଲ୍‌ ସାରା ଜାରି ରଖ।

ସମ୍ବନ୍ଧିତ ଖବର