ନୂଆଦିଲ୍ଲୀ: ପ୍ୟାରିସ୍ର ସବୁଠୁ ବଡ଼ ଷ୍ଟାଡିୟମ୍ ‘ଷ୍ଟାଡେ ଡି ଫ୍ରାନ୍ସ’ରେ ଦୌଡ଼କୁଦ ପାଇଁ ସ୍ବତନ୍ତ୍ର ଭାବେ ଈଷତ୍ ବାଇଗଣୀ ରଙ୍ଗର ଟ୍ରାକ୍ ବିଛାଯାଇଛି। ପୂର୍ବରୁ ପ୍ରାୟତଃ ସବୁ ଦୌଡ଼କୁଦ ଷ୍ଟାଡିୟମ୍ମାନଙ୍କରେ ଲାଲ୍-ନାରଙ୍ଗୀ କିମ୍ବା ନୀଳ ରଙ୍ଗର ଟ୍ରାକ୍ ବିଛା ଯାଉଥିଲା। କିନ୍ତୁ ଏବେ ସବୁଠୁ ଭିନ୍ନ ଧରଣର ଟ୍ରାକ୍ ପ୍ରସ୍ତୁତ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ଜଣାଯାଇଛି। ଏହି ଟ୍ରାକ୍ରେ ଯେଉଁ ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଯାଇଛି, ଏହାଦ୍ବାରା ପ୍ୟାରିସ୍ ଅଲିମ୍ପକ୍ସରେ ଅନେକ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଅନ୍ୟପକ୍ଷରେ ଏହି ଈଷତ୍ ବାଇଗଣୀ ରଙ୍ଗର ଟ୍ରାକ୍ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ପାଇଁ ମଧ୍ୟ ଶୁଭଙ୍କର ହେବାକୁ ଯାଉଥିବା କୁହାଯାଉଛି। ଈଷତ୍ ବାଇଗଣୀ ମଣ୍ଡୋ ଟ୍ରାକ୍
ତେବେ ପ୍ରଶ୍ନ ଉଠୁଛି ଯେ କାହିଁକି ଈଷତ୍ ବାଇଗଣୀ ରଙ୍ଗ ବ୍ୟବହାର କରାଗଲା। ଅଲିମ୍ପିକ୍ସ ଆୟୋଜନ ପୂର୍ବରୁ ଯେଉଁ ସବୁ ରଙ୍ଗ ବଛାଯାଇଥିଲା, ତାହା ଭିତରୁ ଈଷତ୍ ବାଇଗଣୀ ରଙ୍ଗକୁ ପ୍ରାଥମିକତା ମିଳିଥିଲା। କାରଣ ଏହା ନୀଳ, ସବୁଜ ଓ ବାଇଗଣୀ ରଙ୍ଗ ସହିତ ପାଖାପାଖି ମିଶିଯାଇଥାଏ। ଅଲିମ୍ପିକ୍ସର ବିଭିନ୍ନ ଆୟୋଜନସ୍ଥଳୀଗୁଡ଼ିକରେ ଏହି ରଙ୍ଗ ଦୃଷ୍ଟି ଆକର୍ଷଣ କରିବ।
ଟ୍ରାକ୍ଗୁଡ଼ିକରେ ହାଲ୍କା ରଙ୍ଗ ଦିଆଯାଉଥିଲା ବେଳେ, ସର୍ଭିସ୍ ଅଞ୍ଚଳରେ ଗାଢ଼ା ରଙ୍ଗ ଏବଂ ମୋଡ଼ ଗୁଡ଼ିକରେ ଧୂଷର ରଙ୍ଗକୁ ବ୍ୟବହାର କରାଯାଉଛି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ୩ ବିଶ୍ବ କୀର୍ତ୍ତିମାନ ଓ ୧୨ ଅଲିମ୍ପିକ୍ କୀର୍ତ୍ତିମାନ ହୋଇଥିଲା। ଏହାର ସବୁଠୁ ବଡ଼ ଶ୍ରେୟ ‘ମଣ୍ଡୋ ଟ୍ରାକ୍’କୁ ଦିଆଯାଇଥିଲା। ଇଟାଲି କମ୍ପାନି ମଣ୍ଡୋ ଗ୍ରୁପ୍ ପକ୍ଷରୁ ଏହି ଟ୍ରାକ୍କୁ ୧୯୭୬ ମସିହାରୁ ପ୍ରତ୍ୟେକ ଅଲିମ୍ପିକ୍ସରେ ଯୋଗାଇ ଦିଆଯାଇ ଆସୁଛି। ଅଲିମ୍ପିକ୍ସରେ ମଣ୍ଡୋ ଟ୍ରାକ୍ର ପ୍ରାଥମିକ ପର୍ଯ୍ୟାୟରେ ଏହା ଅତି କଠିନ କାର୍ପେଟ୍ ଭଳି ରହୁଥିଲା। ଏହି ଟ୍ରାକ୍ରେ ଦୁଇଟି ସ୍ତର ରହୁଛି। ଏହାର ଉପର ଭାଗ ଭଲ୍କାନାଇଜ୍ଡ ରବରରେ ତିଆରି ହୋଇଛି, ଯାହା ଭଲ ଗ୍ରିପ୍ ଓ ଇଲାଷ୍ଟିସିଟି ପ୍ରଦାନ କରିବ। ତଳ ଭାଗରେ ପବନ ମିଶା କାଭିଟି ରହିଛି, ଯାହା ଭଲ ବାଉନ୍ସ ପ୍ରଦାନ କରିବ। ବିଶ୍ବର ଶୀର୍ଷସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ କ୍ରୀଡ଼ାବିତ୍ଙ୍କ ସହ ବିଚାରବିମର୍ଶ କରାଯାଇ ଏହି ଟ୍ରାକ୍ ପ୍ରସ୍ତୁତ କରାଯାଇଥିଲା ବେଳେ ବିଶ୍ବରେ ଏହା ଦ୍ରୁତତମ ସାବ୍ୟସ୍ତ ହୋଇଛି।
କେବଳ କଳିଙ୍ଗ ଷ୍ଟାଡିୟମ୍ରେ ଉପଲବ୍ଧ ଭାରତର ପ୍ରଥମ ଓ ଏକମାତ୍ର ଇନ୍ଡୋର୍ ଓ ଆଉଟ୍ଡୋର ସୁବିଧା କେବଳ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଉପଲବ୍ଧ। ଅନ୍ୟ କେଉଁଠାରେ ଏହି ଟ୍ରାକ୍ ଉପଲବ୍ଧ ନଥିବାରୁ ନୀରଜ ଚୋପ୍ରା ଅନେକ ଥର ସରକାରଙ୍କୁ ଏ ବାବଦରେ ଅନୁରୋଧ କରିଛନ୍ତି। ସୌଭାଗ୍ୟବସତଃ ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ଉଦ୍ଘାଟନ ହୋଇଥିବା ବେଳେ ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମ୍ ଭିତରେ ଏହାକୁ ବିଛା ଯାଇଥିବା ଜଣାପଡ଼ିଥିଲା। ଏହାବାଦ୍ ଜେଏସ୍ଡବ୍ଲ୍ୟୁର ଇନ୍ସ୍ପାୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସଠାରେ ଜମ୍ପ୍ ଇଭେଣ୍ଟ ସ୍ଥାନରେ ମଣ୍ଡୋ ଟ୍ରାକ୍ କରାଯାଇଛି। ଯେଉଁଠାରେ ଜେସୱିନ୍ ଆଲ୍ଡ୍ରିନ୍ ଗତବର୍ଷ ଲମ୍ବଡିଆଁରେ ଜାତୀୟ କୀର୍ତ୍ତିମାନ (୮.୪୨ ମିଟର) ରଚିଥିଲେ।
ଫାଇଦାରେ ରହିବେ ନୀରଜ ନୀରଜ ତାଙ୍କର ପ୍ରଶିକ୍ଷଣକୁ ୟୁରୋପିଆନ୍ ଦେଶରେ ଶେଷ କରିଛନ୍ତି। ତେଣୁ ସେଠାକାର ଟ୍ରାକ୍ ଓ ଭାରତୀୟ ଟ୍ରାକ୍ ଭିତରେ ଥିବା ଭିନ୍ନତାକୁ ସେ ଭଲଭାବେ ଜାଣିଛନ୍ତି। ଏଥିପାଇଁ ଭାରତରେ ମଣ୍ଡୋ ଟ୍ରାକ୍ ବିଛାଯିବା ପାଇଁ ସେ ଅନେକ ଥର ପ୍ରସ୍ତାବ ଦେଇଛନ୍ତି। ନୀରଜ ଜଣେ ପାୱାର ଥ୍ରୋୟର ନୁହଁନ୍ତି। ତେଣୁ ସେ ତାଙ୍କ ମାଂସପେଶୀର ଶକ୍ତି ଉପରେ ନିର୍ଭର କରି ନଥାନ୍ତି। ବରଂ ନୀରଜ ତାଙ୍କ ବୈଷୟିକ ଦିଗକୁ ଅଧିକ ଧ୍ୟାନ ଦେଇଥାନ୍ତି। ଟ୍ରାକ୍ରୁ ସେ ଶକ୍ତି ଉତ୍ପନ୍ନ କରିଥାନ୍ତି ଓ ଶରୀରକୁ ଏପରି ଭାବେ ଗତିଶୀଳ କରିଥାନ୍ତି, ଯାହାଦ୍ବାରା ସର୍ବାଧିକ ପ୍ରଭାବ ପରିଲକ୍ଷିତ ହୋଇପାରିବ। ଏଥିପାଇଁ ମଣ୍ଡୋ ଟ୍ରାକ୍ ତାଙ୍କ ବୈଷୟିକ ଦିଗକୁ ଅଧିକ ଶକ୍ତି ଯୋଗାଇବ। ଏଥିସହିତ ଟ୍ରାକ୍ରୁ ଯେଉଁ ଗ୍ରିପ୍ ମିଳିବ ତାହା ନୀରଜଙ୍କୁ ସକରାତ୍ମକ ଫଳ ଦେବ ବୋଲି ଆଶା କରାଯାଉଛି।