ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩-୨୪ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଯୁବ ୱିକେଟକିପର ଇଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦିଆଯାଇଛି। ଏହି ଦୁଇ ଖେଳାଳି ନିକଟରେ ଘରୋଇ କ୍ରିକେଟ୍ ଖେଳିବାରୁ ନିଜକୁ ଦୂରେଇ ନେଇଥିଲେ । ଏହାକୁ ବିସିସିଆଇ କ୍ଷୁବଧ ଥିବା କୁହାଯାଉଛି ।

Advertisment

ଉଭୟ ଇଶାନ ଓ ଶ୍ରେୟସଙ୍କ ଆଭିମୁଖ୍ୟରେ ବୋର୍ଡ ଖୁସି ନୁହେଁ ବୋଲି ଗତ କିଛି ଦିନ ଧରି ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା। ଏଥିସହିତ କେନ୍ଦ୍ରୀୟ ଚୁକ୍ତିରୁ ସେମାନେ ଓହରିଯିବା ମଧ୍ୟ ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଇଶାନ କିଶନ ଦଳରେ ଥିବା ସତ୍ତ୍ୱେ ନିଜ ନାମ ପ୍ରତ୍ୟାହାର କରିଥିବା ବେଳେ ଶ୍ରେୟସ ଆୟର ଏହି ସମୟରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟଖେଳିବା ପରେ ବାଦ୍ ପଡ଼ିଥିଲେ।

ରୋହିତ ଶର୍ମା ଓ ବିରାଟ କୋହଲି ଏ ପ୍ଲସ୍ ଗ୍ରେଡରେ ରହିଥିବା ବେଳେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଚୁକ୍ତିରୁ ବାଦ୍ ଦିଆଯାଇଛି। ସେହିପରି କେଏଲ ରାହୁଲ ପୂର୍ବରୁ ବି-ଗ୍ରେଡରେ ଥିବାବେଳେ ଏବେ ଏ ଗ୍ରେଡକୁ ଆସିଛନ୍ତି ।

ଗ୍ରେଡ ତାଲିକା : ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଗ୍ରେଡ୍ ଏ+ ବର୍ଗରେ ଥିବା ବେଳେ ଆର ଅଶ୍ୱିନ, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରେଡ୍ ଏ'ରେ ରହିଛନ୍ତି। ଗ୍ରେଡ୍ ବିରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୟସ୍ୱାଲ ରହିଛନ୍ତି।