ପଦାର୍ପଣ ଦିନିକିଆ ଶୃଙ୍ଖଳାର ମଜାଦାର କାହାଣୀ କହିଲେ ଈଶାନ୍ତ

ତୁମେ କାହିଁକି ବୋଲିଂ କରୁନ ବୋଲି ପଚାରିଥିଲେ ଦ୍ରାବିଡ୍‌

ନୂଆଦିଲ୍ଲୀ: ”ତୁ‌ମେ କାହିଁକି ବୋଲିଂ କରୁନ”? ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଏଭଳି ପ୍ରଶ୍ନ ଥିଲା ରାହୁଲ ଦ୍ରାବିଡ୍‌ଙ୍କର। ଅବସର ଥିଲା ଆୟଲାଣ୍ଡ୍‌ରେ ଈଶାନ୍ତଙ୍କ ପଦାର୍ପଣ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାର ବେଳ। ସେତେବେଳେ ବ୍ୟାଟିଂ କିଂବଦନ୍ତି ଦ୍ରାବିଡ୍‌ଙ୍କ ପ୍ରଶ୍ନର କ’ଣ ଉତ୍ତର ରଖିଥିଲେ ତାହା ମୟଙ୍କ ଅଗ୍ରୱାଲଙ୍କ ସହ ଏକ ବିସିସିଆଇ ଭିଡିଓରେ ସେହି ମଜାଦାର କାହାଣୀର ସ୍ମୃତି ଚାରଣ କରିଛନ୍ତି ଈଶାନ୍ତ।

ଈଶାନ୍ତଙ୍କ କହିବା କଥା ଥିଲା, ଆୟର୍ଲାଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ସହ ମୋର ନାମ ନଥିଲା। ମୋ ନାମ କେବଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଥିଲା। ଯାହାକି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପରେ ପରେ ହୋଇଥିଲା। ଏପରିକି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଦଳରେ ନଥିଲି। ମୋତେ ସେତେବେଳେ ୧୭ ବର୍ଷ ବୟସ। ମୁଁ ଘରେ ଥଣ୍ଡାରେ ରହୁଥିଲି ଏବଂ ମୋର ବି କୌଣସି ଅଭିଳାଷ ନଥିଲା। କିନ୍ତୁ ପରେ ମୁଁ ଫୋନ୍‌ କଲ୍‌ ପାଇଲି ଯେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବା ପାଇଁ ମୋତେ ଆୟର୍ଲାଣ୍ଡ୍‌ ଯିବାକୁ ପଡ଼ିବ। ଗଲି ମଧ୍ୟ। ମୋ ସାଙ୍ଗମାନଙ୍କୁ ସେଠାର ଅନୁଭୂତି କହିଲି। ସେଠାରେ ପ୍ରବଳ ଥଣ୍ଡା ଥିଲା। ଯାହାକି ଆମ ପାଇଁ ବରଫ ସଦୃଶ ଥିଲା। ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ରବିନ୍‌ ଉଥପ୍ପା ଓ ରୁଦ୍ର ପ୍ରତାପ ସିଂହଙ୍କ ସମେତ ଅଧିକାଂଶ ଲୋକ ପାଣିପାଗ ଅବସ୍ଥାରେ ପରିବର୍ତନ ଯୋଗୁଁ ଅସୁସ୍ଥତା ଅନୁଭବ କରିଥିଲେ। ଅତି କମ୍‌ରେ ୬/୭ ଜଣ ଜ୍ବରରେ ପଡ଼ିଯାଇଥିବା ଘଟଣାକୁ ଈଶାନ୍ତ ମନେ ପକାଇଥିଲେ। ପୁଣି ଆୟର୍ଲାଣ୍ଡ ଯାତ୍ରା ବେଳେ ହୋଟେଲକୁ ଯିବା ବାଟରେ ତାଙ୍କ ଲଗେଜ୍‌ କିପରି କେଉଁଆଡେ ଉଭାନ୍‌ ହୋଇଯାଇଥିଲା ଏବଂ ନେଟ୍‌ସରେ ବୋଲିଂ କରିବାକୁ ଆସିବା ପୂର୍ବରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ସେ ମଜାଦାର କଥା ମଧ୍ୟ ବଖାଣିଥିଲେ ଈଶାନ୍ତ।

ମୁଁ ଆୟର୍ଲାଣ୍ଡ୍‌ ପହଞ୍ଚିବା ପରେ ମୋର ଲଗେଜ୍‌କୁ ଅପେକ୍ଷା କରିଥାଏ। ସେଥିପାଇଁ ମୋ ମ୍ୟାନେଜରଙ୍କୁ ଫୋନ୍‌ କଲି। ମ୍ୟାନେଜର କହିଲେ, ଲଗେଜ୍‌ ସିଧାସଳଖ ତୁମ ରୁମ୍‌ରେ ପହଞ୍ଚିଯିବ। ମୁଁ ଖୁସୀ ହୋଇଗଲି। ‘ୱହ’ ଏଭଳି ସୁବିଧା ବି ରହିଛି ବୋଲି ଭାବିଲି। ଖୁବ୍‌ ସୁନ୍ଦର। ରଣଜୀ ମ୍ୟାଚ୍‌ରେ ଆମ ନିଜ ଜିନିଷ ଆମକୁ ହିଁ ବୋହିବାକୁ ପଡୁଥିଲା ବୋଲି ଈଶାନ୍ତ କହିଥିଲେ। ଦିନେ ସମସ୍ତେ ଅଭ୍ୟାସ କରୁଥାନ୍ତି। ମୁଁ ମାତ୍ର ସେଠା‌ରେ ଛିଡ଼ା ହୋଇଥାଏ। ଏହାକୁ ଦେଖି ରାହୁଲ ଦ୍ରାବିଡ୍‌ ମୋ ପାଖକୁ ଆସିଲେ ଏବଂ ପଚାରିଲେ, ଈଶାନ୍ତ ତୁମେ କାହିଁକି ବୋଲିଂ କରୁନାହଁ। ମୁଁ ତାଙ୍କ ପ୍ରଶ୍ନରେ ଘାବରଇ ଯାଇଥିଲି ଏବଂ କିଛି ଗୋଟେ କହିଦେଲି। ସେ ପଚାରିଲେ କ’ଣ କହିଲ। ମୁଁ କହିଲି, ରାହୁଲ ଭାଈ, ମୋ ବ୍ୟାଗ୍‌ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ସେ କହିଲେ ତା’ ମାନେ କ’ଣ। ମୁଁ କହିଲି, ବିମାନରେ ମୁ ରଖିଥିଲି, ହେଲେ ଏପର୍ଯ୍ୟନ୍ତ ପାଇନାହିଁ। ସେଥିରେ ସବୁ ଜିନିଷ ରହିଯାଇଛି। ତେବେ ମୁଁ ପରଦିନ କିପରି ମ୍ୟାଚ୍‌ ଖେଳିବି ବୋଲି ଦ୍ରାବିଡ୍‌ ମୋତେ ପଚାରିଲେ। ତେଣୁ ମୁଁ ପୁଣି ଥରେ ଲଜ୍ଜିତ ହେଲି ବୋଲି ହସିହସି ସେହି କଥାକୁ ମନେ ପକାଇଥିଲେ ଈଶାନ୍ତ। ତଥାପି ମୁଁ ଜାହିର ଖାନ୍‌ଙ୍କଠାରୁ ଜୋତା ଧାର ଆଣିଲି ଏବଂ ମୋର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲି ବୋଲି ମୟଙ୍କ ଅଗ୍ରୱାଲଙ୍କ ଆଗରେ ଈଶାନ୍ତ ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ।

ସମ୍ବନ୍ଧିତ ଖବର