ବ୍ୟକ୍ତିଗତ ମାଇଲଖୁଣ୍ଟ୍‌ ନୁହେଁ, ବିଜୟ ଉପରେ ଈଶାନ୍ତଙ୍କ ନଜର

ଅହମ୍ମଦାବାଦ: ୧୦୦ ଟେଷ୍ଟ୍‌ ଖେଳିବା କେବଳ ଏକ ‘ବ୍ୟକ୍ତିଗତ ମାଇଲଖୁଣ୍ଟ’, ମୋ ନଜର କିନ୍ତୁ ଦଳର ବିଜୟ ଉପରେ ଏକାଗ୍ର ରହିଛି ବୋଲି କହିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ଈାଶାନ୍ତ ଶର୍ମା। ମୋଟେରାରେ ବୁଧବାରଠାରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ଦିବାରାତ୍ର ଖେଳାଯିବ। ଟର୍ନିଂ ଟ୍ରାକ୍ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଦ୍ରୁତ‌ ବୋଲରଙ୍କ ଭଲ ଭୂମିକା ରହିବ। ଏହି ଟେଷ୍ଟ୍‌ରେ ଦିଲ୍ଲୀ ତାରକା ଈଶାନ୍ତ ଶର୍ମା ନିଜ ୧୦୦ତମ ଟେଷ୍ଟ୍‌ ଖେଳିବେ। ଚଳିତ ଶୃଙ୍ଖଳାରେ ତୃତୀୟ ଭାରତୀୟ ଦ୍ରୁତ ବୋଲର ତଥା ମୋଟ ଉପରେ ଷଷ୍ଠ ଭାରତୀୟ ବୋଲର ଭାବେ ୩୦୦ ୱିକେଟ୍ ପୂର୍ଣ୍ଣ କରି ସାରିଥିବା ୩୨ ବର୍ଷୀୟ ଈଶାନ୍ତ ମୋଟେରାର ବୃହତ ଷ୍ଟାଡିୟମ୍‌ରେ ନିଜ ମାଇଲଖୁଣ୍ଟ୍ ମ୍ୟାଚ୍‌ର ଛାପ ଛାଡ଼ିବାକୁ ବି ଆଶାବାଦୀ ରହିଛନ୍ତି।

ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ମୋ ପାଇଁ ‘ବିଶ୍ବ କପ୍‌’ ଭଳି ବୋଲି ଈଶାନ୍ତ ପ୍ରକାଶ କରିଛନ୍ତି। ନିଜ ଖେଳ ଜୀବନର ୧୪ ବର୍ଷ ଭିତରେ ସେ କୌଣସି ଗୋଟିଏ ମୁହୂର୍ତକୁ ଶ୍ରେଷ୍ଠ ବାଛିନଥିଲେ। ‘୧୪ ବର୍ଷ ଧରି ଖେଳୁଥିବା ବେଳେ କୌଣସି ଗୋଟିଏକୁ ମୁଖ୍ୟାଂଶ କରିହେବ ନାହିଁ। ଏହା କହିବା କଷ୍ଟକର, ପ୍ରତି ଖେଳାଳିଙ୍କ ଜୀବନରେ ଉତ୍‌ଥାନ ପତନ ଥାଏ। ତଥାପି ମୁଁ ୧୦୦ ଟେଷ୍ଟ୍‌ ଖେଳିବାକୁ ଯାଉଥିବାରୁ ଭଲ ଅନୁଭବ ପାଉଛି। ଜାହିର୍‌ ଖାନଙ୍କଠାରୁ ମୁଁ ଢେର କିଛି ଶିଖିଛି, ତାଙ୍କ କର୍ମନୀତି ବେଶ ଶିକ୍ଷଣୀୟ। ମୁଁ ସମସ୍ତଙ୍କୁ କୁହେ, ତୁମେ ଯଦି ଫିଟନେସ୍‌ ଉପରେ କାମ କରି ଚାଲିବ,‌ ତେବେ ଏହାର ପୁରସ୍କାର ନିଶ୍ଚିତ ପାଇବ’ ବୋଲି ଈଶାନ୍ତ ସୋମବାର ଏକ ଭର୍ଚୁଆଲ୍‌ ପ୍ରେସ୍‌ ମିଟ୍‌ ଅବସରରେ କହିଥିଲେ।
୨୦୦୭ ମସିହାରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବାଧୀନ ଦଳ ଅଧୀନରେ ପଦାର୍ପଣ କରିଥିବା ଈଶାନ୍ତ ୨୦୧୪ରେ ଲର୍ଡସରେ ୭/୭୪ର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ୨୦୦୭-୦୮ ଋତୁରେ ନିଜ ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ରିକି ପଣ୍ଟିଂଙ୍କୁ ବିପକ୍ଷରେ ଏକ ସ୍ମରଣୀୟ ସ୍ପେଲ୍ ପକାଇଥିଲେ।

ସମ୍ବନ୍ଧିତ ଖବର