ଆଜିଠୁ ଆଇଏସ୍‌ଏଲ୍‌, କରୋନା ପରେ ଭାରତରେ ପ୍ରଥମ ବଡ଼ ପ୍ରତିଯୋଗିତା

ଖେଳି ପାରିବ ଓଡ଼ିଶା ଏଫ୍‌ସି, ୮୨ଟି ଅଞ୍ଚଳରେ ସିଧା ପ୍ରସାରଣ

ବାମ୍ବୋଲିମ (ଗୋଆ): ‌କରୋନା ମହାମାରୀ ଲାଗି ୮ ମାସ ଧରି ଭାରତରେ ବନ୍ଦ ରହିଥିବା ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଇଣ୍ଡିଆନ୍ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ମାଧ୍ୟମରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ବନ୍ଦ ଦ୍ବାର ପଛରେ (ବିନା ଦର୍ଶକ) ୧୧ ଦଳକୁ ନେଇ ଗୋଆର ୩ଟି ଷ୍ଟାଡିୟମରେ ଖେଳାଯିବ। ଚଳିତଥର ଭାଗ ନେବାକୁ ଥିବା ଦଳଗୁଡ଼ିକ ହେଲେ ଏଟିକେ ମୋହନବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଚେନ୍ନାଇନ୍ ଏଫ୍‌ସି, ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି, ଜାମସେଦପୁର ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ମୁମ୍ବାଇ ସିଟି ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ୍, ଓଡ଼ିଶା ଏଫ୍‌ସି ଓ ଇଷ୍ଟବେଙ୍ଗଲ। ନୂଆ ଦଳ ଭାବେ ଚଳିତ ବର୍ଷ ଇ‌ଷ୍ଟ୍‌ ବେଙ୍ଗଲ ଆଇଏସ୍‌ଏଲ୍‌ରେ ଯୋଗଦେଇଛି। ଏହି ଲିଗ୍‌ରେ ମୋଟ ଉପରେ ୧୧୧ ମ୍ୟାଚ୍ ଖେଳାଯିବ। ଶୁକ୍ରବାର ବାମବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯିବାକୁଥିବା ଉଦ୍‌ଘାଟନୀ ମୁକାବିଲାରେ ପୂର୍ବତନ ବିଜେତା ଏଟିକେ ମୋହନ ବାଗାନ ଏବଂ କେରଳ ବ୍ଲାଷ୍ଟର୍ସ ମୁହାଁମୁହିଁ ହେବେ।

୮୨ଟି ଅଞ୍ଚଳରେ ସିଧା ପ୍ରସାରଣ

ଭାରତରେ ଆୟୋଜିତ ଏହି ଲିଗ୍‌ ବିଶ୍ବର ୮୨ଟି ଅଞ୍ଚଳରେ ଟିଭି ଓ ଡିଜିଟାଲ୍‌ ପ୍ଲାଟଫର୍ମରେ ସିଧାପ୍ରସାରଣ କରାଯିବ। ଅନ୍ତର୍ଜାତୀୟସ୍ତରରେ ଅଷ୍ଟ୍ରେଲିଆ, ଆମେରିକା, ୟୁରୋପର କିଛି ଅଞ୍ଚଳ, ମଧ୍ୟ ଏସିଆ, ଦକ୍ଷିଣ ପୂର୍ବ ଏସିଆ, ଏସିଆ ପାସିଫିକ୍‌‌ର ଫୁଟ୍‌ବଲ୍‌ପ୍ରେମୀ ସିଧା ପ୍ରସାରଣ ମାଧ୍ୟମରେ ଆଇଏସ୍‌ଏଲ୍‌ର ମଜା ନେଇପାରିବେ। ଭାରତରେ ଷ୍ଟାର ସ୍ପୋର୍ଟ୍ସ ଗ୍ରୁପ୍‌ ସହ ଡିଜ୍‌ନେ ହଟ୍‌ଷ୍ଟାର ଏବଂ ଜିଓ ଟିଭିରେ ପ୍ରସାରିତ ହେବ। ଅନ୍ତର୍ଜାତୀୟସ୍ତରରେ ପ୍ରସାରଣ ଲାଗି ଆଇଏସ୍‌ଏଲ୍‌ ସହ ଇଏସ୍‌ପିଏନ୍‌, ଫକ୍ସ ସ୍ପୋର୍ଟ୍ସ, ୧ପ୍ଲେ ଷ୍ଟୋର (ଫେସ୍‌ବୁକ୍‌ ଓ ୟୁଟ୍ୟୁବ ପେଜ୍‌), ୟୁପ ଟିଭି, ଡିଜିସିଏଲ୍‌ ପିଏନ୍‌ଜି, ଏସିଆନ୍‌ ପ୍ଲସ୍‌, ଜଲ୍‌ସା ମୁଭି ଭାଗୀଦାରି ହୋଇଛି।

ଆବଶ୍ୟକ ମାନଦଣ୍ଡ ପୂରଣ କରି ନଥିବାରୁ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)ର ଲାଇସେନ୍ସିଂ କମିଟି ଓଡ଼ିଶା ଏଫ୍‌ସି ସମେତ ୫ ଆଇଏସ୍‌ଏଲ୍ ଦଳକୁ ଜାତୀୟ ଏବଂ ଏଏଫ୍‌ସି କ୍ଲବ୍ ଲାଇସେନ୍ସ ପ୍ରଦାନ କରି ନଥିଲା। ଗୁରୁବାର କିନ୍ତୁ କମିଟି ଏହି ପେସାଦାର ଫୁଟବଲ୍‌ କ୍ଲବ୍‌କୁ ଏଥିରୁ ଛାଡ଼ ଦେଇଛି। ଫଳରେ ଲାଇସେନ୍ସ ବିନା ଓଡ଼ିଶା ଏଫ୍‌ସି ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଆଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ଖେଳିବା ନିଶ୍ଚିତ ହୋଇଛି। କମିଟିର ଏହି ନିଷ୍ପତ୍ତି ପରେ ଦଳର ଫୁଟ୍‌ବଲ୍ ପରିଚାଳନା ମୁଖ୍ୟ ଅଭିକ ଚାଟାର୍ଚୀ କହିଛନ୍ତି ଯେ ଆମେ ଓଡ଼ିଶା ଫୁଟବଲ୍ ପ୍ରେମୀ ଏବଂ ସତ୍ତ୍ବାଧିକାରୀମାନଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁ ଯେ କ୍ଲବ୍ ୨୦୨୦-୨୧ ଆଇଏସ୍‌ଏଲ୍‌ରେ ଅଂଶ ଗ୍ରହଣ କରିବ। ଆସନ୍ତା ଋତୁରେ ଆମେ ଆପଣଙ୍କ ସହଯୋଗ କାମନା କରୁଛୁ। ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ଅସନ୍ତା ୨୩ ତାରିଖରେ ଗୋଆର ବାମ୍ବୋଲିନସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ହାଇଦ୍ରାବାଦ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର