ଇଣ୍ଡିଆନ୍ ସୁପରଲିଗ୍: ଏଟିକେଠୁ ହାରିଲା ଓଡ଼ିଶା ଏଫ୍‌ସି

କୋଲକାତା: ଇଣ୍ଡିଆନ୍ ସୁପରଲିଗ୍ (ଆଇଏସ୍‌ଏଲ୍) ଫୁଟ୍‌ବଲ୍ ପ୍ରତିଯୋଗିତାର ଶନିବାର ଖେଳିଥିବା ମହତ୍ବପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଏଫ୍‌ସି ୧-୩ ଗୋଲ୍‌ରେ ଏଟିକେ କୋଲକାତାଠାରୁ ହାରି ଯାଇଛି। ଫଳରେ ୧୬ ମ୍ୟାଚ୍‌ରୁ ୨୧ ପଏଣ୍ଟ୍‌ ପାଇ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଟିକେ (୩୩), ଗୋଆ ଏଫ୍‌ସି (୩୩) ଓ ବେଙ୍ଗାଲୁରୁ ଏଫ୍‌ସି (୨୮) ପ୍ଲେଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା ବେଳେ ଚତୁର୍ଥ ସ୍ଥାନ ପାଇଁ ଏବେ ଓଡ଼ିଶା ଏଫ୍‌ସି, ଚେନ୍ନାଇନ୍ ଓ ମୁମ୍ବାଇ ସିଟି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ। ମୁମ୍ବାଇ ସିଟି ୨୬ ପଏଣ୍ଟ୍‌ ପାଇ ସବୁଠାରୁ ଦୃଢ଼ ସ୍ଥିତିରେ ରହିଛି। ପ୍ଲେଅଫ୍ ପାଇଁ ଏହି ଦଳକୁ ଅନ୍ୟୁନ ଶେଷ ଦୁଇଟି ମ୍ୟାଚ୍‌ରୁ ଗୋଟିକୁ ଅମୀମାଂସିତ ରଖିବାକୁ ହେବ। ଅନ୍ୟ ପକ୍ଷରେ ୨୧ ପଏଣ୍ଟ୍‌ ଲେଖାଏଁ ପାଇଥିବା‌ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ୍ ନିଜ ନିଜର ଶେଷ ଦୁଇ ମ୍ୟାଚ୍ ଜିତି‌ଲେ ଯାଇ ପ୍ଲେ ଅଫ୍ ଦୌଡ଼ରେ ରହିବେ। ଓଡ଼ିଶା ଏଫ୍‌ସି ତା’ର ‌‌ଶେଷ ଦୁଇ ମ୍ୟାଚ୍ ଚଳିତ ମାସ ୧୪ରେ ନର୍ଥଇଷ୍ଟ ୟୁନାଇଟେଡ୍ ଏବଂ ୨୩ ତାରିଖରେ କେରଳ ବ୍ଲାଷ୍ଟର୍ସକୁ କଳିଙ୍ଗ ଷ୍ଟାଡିୟମରେ ଭେଟିବ।

ସ୍ଥାନୀୟ ସଲ୍ଟଲେକ୍‌ସ୍ଥିତ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଖେଳା ଯାଇଥିବା ଶନିବାରର ମ୍ୟାଚ୍‌ର ପ୍ରଥମାର୍ଧରେ ଓଡ଼ିଶା ଏଫ୍‌ସି ପ୍ରତିପକ୍ଷ ଏଟିକେ ଦଳର କଡ଼ା ମୁକାବିଲା କରିଥିଲା। ନିଜେ ଗୋଲ୍ କରି ପାରି ନଥିଲେ ବି ଏଟିକେକୁ ଗୋଲ୍ ଦେବାକୁ ଦେଇ ନଥିଲା। ତେବେ ଦ୍ବିତୀୟାର୍ଧରେ ତିନିଟି ଗୋଲ୍ ବରଣ କରି ପରାଜିତ ହୋଇଥିଲା। ଏହି ଅର୍ଧରେ ଓଡ଼ିଶା ଦଳ ମାତ୍ର ଗୋଟିଏ ଗୋଲ୍ ଦେଇ ପାରିଥିଲା। ଏଟିକେ ପକ୍ଷରୁ କୃଷ୍ଣ ରାୟ (୪୯, ୬୦, ୬୩ ମିନିଟ୍) ହ୍ୟାଟ୍ରିକ୍ ଗୋଲ୍ ଦେଇ ନିଜ ଦଳର ପଏଣ୍ଟ୍‌ ସଂଖ୍ୟାକୁ ୩୩କୁ ବଢ଼ାଇଥିଲେ। ଓଡ଼ିଶା ଏଫସିର ଏକମାତ୍ର ଗୋଲ୍ ମାନୁଏଲ୍ ଓନୁ (୬୭ ମିନିଟ୍) ଦେଇଥିଲେ।

ସମ୍ବନ୍ଧିତ ଖବର