ଆଇଏସ୍‌ଏଲ୍‌, ଚେନ୍ନା‌ୟିନ୍‌ର ଦ୍ବିତୀୟ ବିଜୟ

ଗୋଆ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ‌ଚେନ୍ନାୟିନ୍‌ ଏଫ୍‌ସି ଦ୍ବିତୀୟ ବିଜୟ ପାଇଛି। ଶନିବାର ଫାଟୋର୍ଡ଼ା ଷ୍ଟାଡିୟମରେ ଖେଳାଯାଇଥିବା ୩୩ତମ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲ୍‌ରେ ଏଫ୍‌ସି ଗୋଆକୁ ମାତ୍‌ ଦେଇଛି। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ‌ଚେନ୍ନାୟିନ୍‌ ରାଫେଲ କ୍ରିଭେଲାରୋଙ୍କ ଗୋଲ୍‌ ବଳରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ଅଗ୍ରଣୀ ଅଧିକ ସମୟ ‌ରହିନଥିଲା। ଏହାର ୪ ମିନିଟ୍‌ ପରେ ଜର୍ଜ କ୍ବିଜ୍‌ ମେଣ୍ଡୋଜା (୯ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ଫଳରେ ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ‌ଚେନ୍ନାୟିନ୍‌ର ରହିମ ଅଲ୍ଲୀ (୫୩ ମିନିଟ୍‌) ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ‌ଚେନ୍ନାୟିନ୍‌ ୬ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ପାଇ ତାଲିକାର ସପ୍ତମକୁ ଉଠିଛି। ଗୋଆ (୮ ପଏଣ୍ଟ୍‌) ୭ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହିଛି। ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି ଏବଂ ଦ୍ବିତୀୟରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଓ ଏସ୍‌ସି ଇଷ୍ଟବେଙ୍ଗଲ ମୁହାଁମୁହିଁ ‌ହେବେ।

ସମ୍ବନ୍ଧିତ ଖବର