ଆଇଏସ୍‌ଏଲ୍‌ ଫାଇନାଲ୍‌ ଆଜି

ବେଙ୍ଗାଲୁରୁ ବନାମ ଚେନ୍ନାଇ

ବେଙ୍ଗାଲୁରୁ: ହିରୋ ଆଇଏସ୍‌ଏଲ୍‌ର ଚତୁର୍ଥ ଋତୁର ଫାଇନାଲ୍‌ ମ୍ୟାଚ୍‌ ଶନିବାର ରାତିରେ ଖେଳାଯିବ। ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିିୟମ୍‌ରେ ରାତି ୮ଟାରେ ଖେଳାଯିବାକୁ ଥିବା ଏହି ଫାଇନାଲ୍‌ରେ ପରସ୍ପରକୁ ମୁକାବିଲା କରିବେ ସ୍ଥାନୀୟ ଦଳ ବେଙ୍ଗାଲୁରୁ ଏଫସି ଏବଂ ଚେନ୍ନାଇନ୍‌ ଏଫ୍‌ସି। ବେଙ୍ଗାଲୁରୁ ପ୍ରଶଂସକଙ୍କୁ ମଧ୍ୟ ଭଲ ଭାବରେ ଜଣା ଯେ କୌଣସି ଦଳ ନିଜ ଘରୋଇ ମାଟିରେ ଆଇଏସ୍‌ଏଲ୍‌ ମୁକୁଟ ଜିତିନାହିଁ। ୨୦୧୫ ମସିହାରେ ଗୋଆ ଏଫ୍‌ସି ଏବଂ ୨୦୧୬ରେ କେରଳା ବ୍ଲାଷ୍ଟର୍ସ ଏଭଳି ଦୁଃଖଦ ସ୍ମୃତି ପାଇଥିଲେ। ଆଉ ଏକ କଥା ହେଉଛି ୨୦୧୪ରୁ ଆଇଏସ୍‌ଏଲ୍‌ ଆରମ୍ଭ ହେବା ଦିନରୁ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ମଧ୍ୟ ଅଦ୍ୟାବଧି ଟ୍ରଫି ହାସଲ କରିନାହିଁ। ସେହି ଦୃଷ୍ଟିରୁ ଏହି ଦକ୍ଷିଣ ଭାରତୀୟ ଡର୍ବିରେ ସୁନୀଲ ଛେତ୍ରୀଙ୍କ ଦଳକୁ ଅନେକ ଅଡୁଆ ଟପିବାକୁ ପଡ଼ିବ। କିନ୍ତୁ ଆତ୍ମବିଶ୍ୱାସର ଶିଖରରେ ଥିବା ଛେତ୍ରୀ ବାହିନୀ ଶ୍ରୀକାନ୍ତିରବାରୁ ଯେଭଳି ଅଭିଯାନ ଆରମ୍ଭ କରି ପ୍ରାଧାନ୍ୟ ବିସ୍ତାର କଲେ ଏବେ ସେହିଭଳି ଢ଼ଙ୍ଗରେ ଶେଷ କରିବା ଆଶାରେ ଅଛନ୍ତି।

ଏଏଫ୍‌ସି କପ୍‌ ଦୃଷ୍ଟିରୁ ଆମେ ଅନ୍ୟ ଦଳ ତୁଳନାରେ ଆଗୁଆ ପ୍ରସ୍ତୁତି କରିଥିଲୁ। ଦଳ ଏବେ ଠିକଣା ପଥରେ ରହିଛି। ପ୍ରଶଂସକମାନେ ଆମ ସାଥିରେ ସବୁବେଳେ ରହିଛନ୍ତି। ଶନିବାର ଚଳିତ ଋତୁର ସବୁଠାରୁ ବଡ଼ ମ୍ୟାଚ୍‌ ଖେଳାଯିବ। ଚେନ୍ନାଇନ୍‌ ବିପକ୍ଷ ମୁକାବିଲା ସହଜ ହେବ ନାହିଁ, ଏହା ସବୁଠାରୁ ଉଚ୍ଚମାନର ଦଳ ବୋଲି କହିଛନ୍ତି ବେଙ୍ଗାଲୁରୁ ଏଫ୍‌ସି ପ୍ରଶିକ୍ଷକ ଆଲବର୍ଟ ରୋକା। ଚଳିତ ଋତୁରେ ବେଙ୍ଗାଲୁରୁ କିନ୍ତୁ ସବୁଠାରୁ ଦୃଢ଼ ଦଳ ଭାବେ ଉଭା ହୋଇଛି। ୩୮ ଗୋଲ୍‌ ଦେଇ ୧୭ ବରଣ କରିଛି। ଗୋଲରକ୍ଷକ ଗୁରପ୍ରୀତ୍‌ ସିଂହ ସାନ୍ଧୁଙ୍କ ଭେଦିବା ଅନ୍ୟ ଦଳ ପାଇଁ କାଠିକର ପାଠ ହୋଇଛି। ଶେଷ ୧୦ ମ୍ୟାଚ୍‌ରେ ବେଙ୍ଗାଲୁରୁ ଅପରାଜିତ ରହିବା ସହ ୮ ଜିତିଛି। ତଥାପି ଏହି ଦଳ ସପକ୍ଷରେ ସବୁକିଛି ନାହିଁ। ଲିଗ୍‌ ପର୍ଯ୍ୟାୟରେ ଧନପାଲ୍‌ ଗଣେଶଙ୍କ ଶେଷ ମିନିଟ୍‌ ଗୋଲ୍‌ ବଳରେ ଚେନ୍ନାଇନ୍‌ ୨-୧ରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଏହି ବିଜୟ ଭିତ୍ତିରେ ଚେନ୍ନାଇନ୍‌ ନିଶ୍ଚିତ ଦୋହରାଇବାକୁ ଚାହିଁବ ଏବଂ ଦ୍ୱିତୀୟ ଥର ମୁକୁଟ ହାସଲ କରିବା ଲକ୍ଷ୍ୟରେ ରହିବ। ସେମିଫାଇନାଲ୍‌ରେ ଚେନ୍ନାଇ ଯେଭଳି ଭାବେ ଗୋଆର ଆକ୍ରମଣାତ୍ମକ ଅଗ୍ରଭାଗକୁ ବଶୀଭୂତ କରି ମ୍ୟାଚ୍‌ ଜିତିଥିଲା ତାହା ଉଲ୍ଲେଖନୀୟ। ଫେରାନ୍‌ କୋରୋମିନାସ ଓ ମାନୁଏଲ୍‌ ଲଞ୍ଜାରୋତ୍‌ଙ୍କ ବିପକ୍ଷ ପ୍ରଦର୍ଶନକୁ ସେମାନେ ସୁନୀଲ ଛେତ୍ରୀ ଓ ମିକୁଙ୍କ ବିପକ୍ଷରେ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ବେଙ୍ଗାଲୁରୁର ୩୮ ଗୋଲରୁ ଏହି ଦୁଇ ଜଣ ମିଳିତ ଭାବେ ୨୭ ଦେଇଛନ୍ତି। ଆମେ କାହାରିକୁ ଭୟ କରୁ ନାହୁଁ। ବେଙ୍ଗାଲୁରୁକୁ ସେମାନଙ୍କ ଘରୋଇ ପଡିଆରେ ହରାଇବାରେ ଆମେ ମଧ୍ୟ ଏକମାତ୍ର ଦଳ ନୁହଁ। ଆମେ ସବୁ ଦଳକୁ ସମ୍ମାନ ଦେଇ ଖେଳୁ ଏବଂ ଦଳର ନାଁ ଚେନ୍ନାଇନ୍‌ ବୋଲି କହିଛନ୍ତି ପୁରୁଣା ଖେଳାଳି ଗ୍ରେଗରୀ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଭାବେ ମାଇଲ୍‌ସନ୍‌ ଆଲଭେସ୍‌, ରାଫାଲ୍‌ ଅଗଷ୍ଟୋ, ଜେଜେ ଲାଲପେଖଲୁଆ, କରଣଜିତ୍‌ ସିଂହ ୨୦୧୫ ବିଜେତା ଚେନ୍ନାଇନ୍‌ ଦଳର ସଦସ୍ୟ ଥିବାରୁ ଦ୍ୱିତୀୟ ଥର ବିଜୟ ମୁକୁଟର ସ୍ପର୍ଶ ପାଇବା ଆଶାରେ ମଧ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର