କୋଲ୍‌କାତା: ଭାରତୀୟ ଘରୋଇ ଫୁଟ୍‌ବଲ୍‌ର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଶନିବାର ରାତିରେ ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଲିଗ୍ ବିଜେତା‌ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌ ସମ୍ମୁଖରେ ରହିଛି ଅନ୍ୟତମ ପ୍ରତିଷ୍ଠିତ କ୍ଲବ୍ ବେଙ୍ଗାଲୁରୁ ଏଫ୍‌ସି। ଦୁଇ ଦଳ ପୂର୍ବରୁ ଥରେ ଲେଖାଏଁ ଏହି କପ୍‌ ଜିତିଛନ୍ତି। ଗତବର୍ଷ ମୁମ୍ବାଇ ସିଟି ନିକଟରୁ ଫାଇନାଲ୍‌ରେ ହାରିଥିବା ମୋହନ ବାଗାନ ସୁପର୍ ଜାଏଣ୍ଟ୍‌ ଏଥର କିନ୍ତୁ ବିଜୟ ସହ ଯୁଗଳ ସଫଳତା ଅର୍ଜନ କରିବା ଲକ୍ଷ୍ୟରେ ରହିଛି।

Advertisment

ସେହିଭଳି ୨୦୧୮-୧୯ରେ ବିଜେତା ହେବା ପରଠାରୁ ଆଉ କେବେ ଫାଇନାଲ୍ ଆସିପାରି ନଥିବା ବେଙ୍ଗାଲୁରୁ ଏଫ୍‌ସି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇବ ବୋଲି ବିଶ୍ବାସ ରଖିଛି। ବିଏଫ୍‌ସି ଅଧିନାୟକ ଗୁରପ୍ରୀତ୍‌ ସିଂହ ସାନ୍ଧୁ କୋଲକାତାକୁ ‘ଦ୍ବିତୀୟ ଘର’ ଆଖ୍ୟା ଦେଇଥିବାରୁ ଏଠାରେ ମଧ୍ୟ ସ୍ମରଣୀୟ ଛାପ ଛାଡ଼ିବା ଆଶାରେ ରହିଛନ୍ତି। ସଲ୍ଟ ଲେକ୍‌ର ବିବେକାନନ୍ଦ ଯୁବା ଭାରତୀ କ୍ରୀଡ଼ାଙ୍ଗନରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌ ଏହି ଋତୁରେ ଅପରାଜିତ ଥିବାରୁ ଫାଇନାଲ୍‌ରେ ମଧ୍ୟ ଏହାକୁ‌ ଦୋହରାଇବା ଲକ୍ଷ୍ୟରେ ରହିବ ବୋଲି ଏହାର ଅଧିନାୟକ ଶୁଭାଶିଷ ବୋଷ ପ୍ରକାଶ କରିଛନ୍ତି। ଉଭୟ ଦଳ ନିଜ ନିଜ ଚତୁର୍ଥ ଫାଇନାଲ୍‌ ଖେଳି ଦ୍ବିତୀୟ ଟ୍ରଫି ସନ୍ଧାନରେ ରହିଛନ୍ତି।