ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ : ଆଜି ଓଡ଼ିଶା-ନର୍ଥଇଷ୍ଟ୍‌ ଲଢ଼େଇ

ବିଜୟ ଲକ୍ଷ୍ୟରେ ରହିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ରେ ଓଡ଼ିଶା ଏଫ୍‌ସି ଶୁକ୍ରବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ନର୍ଥଇ‌ଷ୍ଟ୍‌ ୟୁନାଇଟେଡ୍‌କୁ ଭେଟିବାକୁ ଯାଉଛି। ସଂପ୍ରତି ଘରୋଇ ଦଳ ୧୬ ମ୍ୟାଚ୍‌ ଖେଳି ୬ ବିଜୟ, ୩ ଅମୀମାଂସିତ ଓ ୭ ପରାଜୟରୁ ୨୧ ପଏଣ୍ଟ୍‌ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଥିଲେ ମଧ୍ୟ ସେମିଫାଇନାଲ୍‌ ଖେଳିବା ଆଶା ଏବେ ଅତୁଟ ରହିଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସି ୧୫ ମ୍ୟାଚ୍‌ ଖେଳି ୨ ବିଜୟ, ୭ ଅମୀମାଂସିତ ଓ ୬ ପରାଜୟରୁ ୧୨ ପଏଣ୍ଟ୍‌ ପାଇ ତାଲିକାର ନବମ ସ୍ଥାନରେ ରହି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୀର୍ଷ ୪ ଦଳ ମଧ୍ୟରେ ରହିବାକୁ ହେଲେ ଓଡ଼ିଶାକୁ ନିଜର ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଜିତିବା ନିଶ୍ଚିତ ହୋଇଯାଇଛି। ଏଥିସହ ଅନ୍ୟ ଦୁଇ ଦଳ (ମୁମ୍ବାଇ ସିଟି ଓ ଚେନାୟିନ୍‌)ର ମ୍ୟାଚ୍‌ ଫଳାଫଳ ଏବଂ ଗାଣିତିକ ଗଣନା ଉପରେ ଓଡ଼ିଶା ଏଫ୍‌ସିର ଭାଗ୍ୟ ନିର୍ଭର କରୁଛି। ପୂର୍ବରୁ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ବିପକ୍ଷ ମ୍ୟାଚ୍‌‌‌କୁ ଓଡ଼ିଶା ୧-୨ ଗୋଲ୍‌ରେ ହାରିଥିଲା। ଏହା ନର୍ଥଇଷ୍ଟ୍‌ର ‌ଘରୋଇ ପଡ଼ିଆ ଗୁଆହାଟୀରେ ଖେଳାଯାଇଥିଲା। ଶୁକ୍ରବାର ମ୍ୟାଚ୍‌ ଜିତି ଓଡ଼ିଶା ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଧ୍ୟ ରହିବ। କଳିଙ୍ଗରେ ଓଡ଼ିଶାର ପ୍ରଦର୍ଶନ ଭଲ ଥିଲା ବେଳେ କେବଳ ଏଫ୍‌ସି ଗୋଆଠୁ ହାରିଛି।

ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ: ଗୋମ୍ବାଉ
ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଆମ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଶୁକ୍ରବାର ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏବଂ ଆସନ୍ତା ସପ୍ତାହରେ କେରଳ ବ୍ଲାଷ୍ଟର୍ସ (୨୩ ତାରିଖ) ବିପକ୍ଷରେ ‌କଳିଙ୍ଗ ଷ୍ଟାଡିୟମରେ ଖେଳିବୁ। ସେମିଫାଇନାଲ୍‌ ଖେଳିବାର ସୁଯୋଗ ଏବେ ବି ଆମ ପାଇଁ ଖୋଲା ଅଛି। ‌ହେଲେ ଆମକୁ ଏହି ଦୁଇଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ। ‌ଘରୋଇ ପଡ଼ିଆରେ ଏହି ଦୁଇ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଶୁକ୍ରବାର ନର୍ଥଇ‌ଷ୍ଟ୍‌ ୟୁନାଇଟେଡ୍‌କୁ ନିଶ୍ଚିତ ହରାଇବା ଲାଗି ଯୋଜନା କରିଛୁ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଯୋଶେପ ଗୋମ୍ବାଉ। ବିଜୟକୁ ନେଇ ଖେଳାଳିଙ୍କ ଉପରେ କୌଣସି ଚାପ ନାହିଁ। ‌ସେମାନେ ନିଜ ନିଜର ‌ଶ୍ରେଷ୍ଠ ଦେବା ଉପରେ ଗୁରୁତ୍ବ ଦେବେ। ମୋର ବିଶ୍ବାସ ଘରୋଇ ଦର୍ଶକଙ୍କ ସମର୍ଥନ ସହ ପିଲାମାନେ ଭଲ କରିବେ ଏବଂ ନିଶ୍ଚିତ ବିଜୟୀ ହେବୁ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ତାର ସହ କହିଛନ୍ତି ଗୋମ୍ବାଉ।

ହିରୋ ଏଲିଟ୍‌ ଲିଗ୍‌: ଅକ୍ଷୁଣ୍ଣଙ୍କ ହ୍ୟାଟ୍ରିକ୍‌ରେ ଓଡ଼ିଶା ଏଫ୍‌ସି ବିଜୟୀ
ଭୁବନେଶ୍ବର: ଅକ୍ଷୁଣ୍ଣ ତ୍ୟାଗୀଙ୍କ ହ୍ୟାଟ୍ରିକ୍ ଓ ଋଷଭ ଡୋବ୍ରିୟାଲଙ୍କ ଯୁଗଳ ଗୋଲ୍‌ ବଳରେ ଓଡ଼ିଶା ଏଫ୍‌ସି ଯୁବ ଦଳ (୧୮ ବର୍ଷରୁ କମ୍‌) ଚଳିତ ହିରୋ ଏଲିଟ୍‌ ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗୁରୁବାର ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ଦଳ ୫-୨ ଗୋଲ୍‌ରେ ବାଇଚୁଙ୍ଗ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ (ବିବିଏଫ୍‌ଏସ୍‌)କୁ ପରାସ୍ତ କରି ଦେଇଛି। ଋଷଭ (୨୩, ୨୭ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଅଗ୍ରଣୀ ନେଇଥିଲା। ଏହା ପରେ ଅକ୍ଷୁଣ୍ଣ (୩୯, ୭୭, ୯୦ ମିନିଟ୍‌) ଲଗାତାର ୩ ଗୋଲ୍‌ ଦେଇ ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ବିବିଏଫ୍‌ଏସ୍‌ ପକ୍ଷରୁ ରାହୁଲ ନେପ‌ାଲି (୩୫ ମିନିଟ୍‌) ଓ କୁଶାଲ ଥାପା (୫୭ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ପରବର୍ତୀ ମ୍ୟାଚ୍‌ ୧୮ ତାରିଖରେ ମାକ୍ସିମସ୍‌ ପ୍ରାଇମ୍‌ ସ୍ପୋର୍ଟ୍ସକୁ ଭେଟିବ।

ସମ୍ବନ୍ଧିତ ଖବର