ଭୁବନେଶ୍ବର: ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ପଏଣ୍ଟ୍ ଟେବୁଲର ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ରବିବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ତା’ର ଶେଷ ମ୍ୟାଚ୍ ଖେଳିଥିଲା। କେରଳ ବ୍ଲାଷ୍ଟର୍ସ ଏଫ୍ସି ବିପକ୍ଷ ଏହି ମ୍ୟାଚ୍ ୪-୪ ଗୋଲ୍ରେ ଅମୀମାଂସିତ ରହିଥିଲା। ଫଳରେ ଓଡ଼ିଶା ଏଫ୍ସି ୧ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଥିଲା। ଦିଲ୍ଲୀ ଡାଇନାମୋସରୁ ଓଡ଼ିଶା ଏଫ୍ସି ନାମରେ ବଦଳିଥିବା ଏହି ଦଳ ଚଳିତ ସଂସ୍କରଣରେ ମୋଟ ୧୮ ମ୍ୟାଚ୍ ଖେଳି ୭ ଲେଖାଏଁ ବିଜୟ ଓ ପରାଜୟ ଏବଂ ୪ ଅମୀମାଂସିତ ସହ ୨୫ ପଏଣ୍ଟ୍ ପାଇ ତାଲିକାର ଷଷ୍ଠ ଏବଂ କେରଳ ବ୍ଲାଷ୍ଟର୍ସ ୪ ବିଜୟ, ୭ ଅମୀମାଂସିତ ଓ ୭ ପରାଜୟରୁ ୧୯ ପଏଣ୍ଟ୍ ପାଇ ତାଲିକାର ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଓଗବିଚିଙ୍କୁ ଲିମିଟ୍ଲେସ୍ ପ୍ଲେୟାର, ଜେସିଲ କାର୍ନିରୋ ବିଜୟୀ ପାସ୍, ଜେରିଙ୍କୁ ଉଦୀୟମାନ ଖେଳାଳି ଓ ଓନଉଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ମ୍ୟାଚ୍ର ପ୍ରଥମ ମିନିଟ୍ରେ ଜେରିଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ମାନୁଏଲ୍ ଓନଉଙ୍କ ଓଡ଼ିଶା ଏଫ୍ସିକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ହେଲେ ଷଷ୍ଠ ମିନିଟ୍ରେ ନାରାୟଣ ଦାସଙ୍କ ଆତ୍ମଘାତୀ ଗୋଲ୍ ଯୋଗୁଁ ମ୍ୟାଚ୍ ୧-୧ ସମାନସ୍ତରକୁ ଆସିଯାଇଥିଲା। ତେବେ ୨୮ ମିନିଟ୍ରେ ମେସି ବୌଲି ଗୋଲ୍ ଦେଇ ଅତିଥି ଦଳକୁ ଆଗରେ ରଖିଥିଲେ। ଓନଉ (୩୬ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଗୋଲ୍ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ୪୪ ମିନିଟ୍ରେ ଓଡ଼ିଶାକୁ ମିଳିଥିବା ପେନାଲ୍ଟିକୁ ମାର୍ଟିନ୍ ଗୁଏଦେଜ୍ ସଫଳତା ସହ କେରଳ ବ୍ଲାଷ୍ଟର୍ସ ଗୋଲ୍ପୋଷ୍ଟ୍କୁ ପଠାଇ ଦଳକୁ ୩-୨ରେ ଅଗ୍ରଣୀ ଦେଇଥିଲେ। ପ୍ରଥମାର୍ଧକୁ ଘରୋଇ ଦଳ ୩-୨ରେ ଶେଷ କରିଥିଲା। ଦ୍ବିତୀୟାର୍ଧରେ ଓନଉ (୫୧ ମିନିଟ୍) ବ୍ୟକ୍ତିଗତ ତୃତୀୟ ଗୋଲ୍ କରିବା ସହ ଦଳକୁ ୪-୨ରେ ଆଗୁଆ କରିଥିଲେ। ହେଲେ ଶେଷ ୧୦ ମିନିଟ୍ରେ ଅତିଥି ଦଳ ପାଇଥିବା ଦୁଇଟି ପେନାଲ୍ଟିକୁ ବାର୍ଥୋଲୋମିଉ ଓଗବିଚି (୮୨, ୯୦ ମିନିଟ୍) ଗୋଲ୍ରେ ରୂପାନ୍ତରିତ କରି ମ୍ୟାଚ୍ ଅମୀମାଂସିତ ରଖିଥିଲେ।