ଭୁବନେଶ୍ବର: ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ତୃତୀୟ ବିଜୟ ହାସଲ କରିଛି। ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସି ଓ ଏସ୍ସି ଇଷ୍ଟ୍ ବେଙ୍ଗଲକୁ ପରାସ୍ତ କରିଥିବା ଏହି ଦଳ କିନ୍ତୁ ତୃ୍ତୀୟ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସ ଏଫ୍ସିଠୁ ହାରି ଯାଇଥିଲା।
ଶୁକ୍ରବାର ତିଲକ ମୈଦାନରେ ଖେଳିଥିବା ନିଜର ଚତୁର୍ଥ ମ୍ୟାଚ୍ରେ ଓଡ଼ିଶା ୧-୦ ଗୋଲ୍ରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ମାତ୍ ଦେଇଥିଲା। ମ୍ୟାଚ୍ର ୮୦ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ। ହେଲେ ୮୧ତମ ମିନିଟ୍ରେ ଥୋଇବା ସିଂହଙ୍କ ପାସ୍କୁ ଜୋନାଥାସ କ୍ରିଷ୍ଟିଆନ୍ ନର୍ଥଇଷ୍ଟ୍ ୟୁନାଇଟେଡ୍ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଓଡ଼ିଶା ଏଫ୍ସିକୁ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସୂଚକ ଗୋଲ୍ ଲାଗି କ୍ରିଷ୍ଟିଆନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।
ତୃତୀୟ ବିଜୟ ସହ ଓଏଫ୍ସି ୪ ମ୍ୟାଚ୍ରୁ ୯ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ୍ ୫ ମ୍ୟାଚ୍ ଖେଳି ୧ ବିଜୟ, ୧ ଅମୀମାଂସିତ ଏବଂ ୩ ପରାଜୟରୁ ୪ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନକୁ ଖସିଛି। ମୁମ୍ବାଇ ସିଟି ଏଫ୍ସି (୧୨ ପଏଣ୍ଟ୍) ପୂର୍ବ ପରି ଶୀର୍ଷ ସ୍ଥାନରେ ରହିଛି।