ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଶନିବାର ହାଇଦ୍ରାବାଦ ଏଫ୍ସିକୁ ଭେଟିବ। ଘରେ ଲଗାତାର ଦୁଇ ମ୍ୟାଚ୍ ଜିତିବା ପରେ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ଗସ୍ତ କରିଛି ଏହି ଦଳ। ଓଡ଼ିଶା ଏଫ୍ସି ୪ ମ୍ୟାଚ୍ରୁ ୨ଟି ଲେଖାଏଁ ବାହାରେ ଓ ଘରେ ଖେଳିଛି। ବାହାରେ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଛି। ହେଲେ ନିଜ ଘରୋଇ ଷ୍ଟାଡିୟମ କଳିଙ୍ଗରେ ଦଳ ଦୁଇଟି ଯାକ ମ୍ୟାଚ୍ (କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍ସି ବିପକ୍ଷ) ଜିତି ମୋଟ ୪ରୁ ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟ ପାଇ ହାଇଦ୍ରାବାଦ (୧୦ ପଏଣ୍ଟ୍) ପଛକୁ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଶନିବାର ଏହି ଭୁବନେଶ୍ବର ଭିତ୍ତିକ ଦଳ ତୃତୀୟ ବାହାର ମ୍ୟାଚ୍ ଖେଳିବାକୁ ଯାଉଛି।
ଏହା ପୂର୍ବରୁ ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ଯୋଶେଫ ଗୋମ୍ବାଉ ଓ ତାରକା ଖେଳାଳି ଥୋଇମ୍ବା ସିଂହ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଆଭିମୁଖ୍ୟ ବଖାଣିଛନ୍ତି। ‘‘ଆମେ ଆଉ ଏକ ଭଲ ଖେଳ ଖେଳିବାକୁ ଯାଉଛୁ। ଏଠାରେ ଲଗାତାର ଦୁଇ ବିଜୟ ଆମ ଖେଳାଳିମାନଙ୍କ ମନୋବଳକୁ ଦୃଢ଼ ରଖିଛି। ବାହାରେ ଆମେ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ପରାଜୟ ପାଇଛୁ। ଏବେ ହାଇଦ୍ରାବାଦରେ ହାଇଦ୍ରାବାଦ ଏଫ୍ସି ସହ ଖେଳିବାକୁ ଯାଉଛୁ। ହାଇଦ୍ରାବାଦ ଏ ପର୍ଯ୍ୟନ୍ତ ଅପରାଜେୟ ରହିଥିଲା ବେଳେ ଭଲ ଦଳ ମଧ୍ୟ। ଫୁଟ୍ବଲ୍ରେ କିଛି ବି ଘଟିପାରେ। ମ୍ୟାଚ୍ ଦିନର ପ୍ରଦର୍ଶନ ହିଁ ଫଳାଫଳ ଦେଇଥାଏ। ଆମେ ବିଜୟ ମାନସିକତା ଓ ସାହସ ସହ ପଡ଼ିଆକୁ ଓହ୍ଲାଇବୁ। କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ପଛରେ ରହିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲୁ। ବେଙ୍ଗାଲୁରୁ ବିପକ୍ଷରେ ରଣନୀତିରେ କିଛି ବଦଳାଇଥିଲୁ। ପାସିଂ ଉପରେ ଅଧିକ ଧ୍ୟାନ ଦେଇଥିଲୁ। ପ୍ରଥମାର୍ଦ୍ଧରେ ଗୋଲ୍ କରି ବିପକ୍ଷ ଦଳକୁ ଚାପରେ ରଖି ବିଜୟ ସୁନିଶ୍ଚିତ କରିଥିଲୁ। ହାଇଦ୍ରାବାଦ ବିପକ୍ଷରେ ବିଜୟ ସହ ପୂରା ୩ ପଏଣ୍ଟ ଅଣିବାକୁ ଚେଷ୍ଟା କରିବୁ। ପ୍ରଶିକ୍ଷକ ଭାବେ ଖେଳାଳିଙ୍କ ବ୍ୟାକ୍ତିଗତ ଭୁଲ୍କୁ ସୁଧାରିବା ଏବଂ ଦଳକୁ ଏକାଠି ରଖିବାକୁ ସର୍ବଦା ଚେଷ୍ଟା କରେ’’ ବୋଲି ଗୋମ୍ବାଉ କହିଛନ୍ତି।
‘‘ଓଡ଼ିଶା ଏଫ୍ସି ସହ ୩ ଋତୁ ହୋଇଥିଲେ ମଧ୍ୟ ପ୍ରଥମ ବର୍ଷ ଆହତ ଯୋଗୁଁ ବାଦ୍ ପଡ଼ିଥିଲି। ଗତ ବର୍ଷ ପ୍ରତ୍ୟବର୍ତ୍ତନ କରିବା କଷ୍ଟକର ହୋଇଥିଲା। ତଥାପି ଦଳ ମୋ ଉପରେ ଭରସା ରଖି ଏଥର ୪ଟି ଯାକ ମ୍ୟାଚ୍ରେ ସୁଯୋଗ ଦେଇଛି। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଖେଳି ବହୁତ ଖୁସି। ଏଠାକାର ଦର୍ଶକଙ୍କ ସମ୍ମୁଖରେ ଖେଳିଲେ ଅତିରିକ୍ତ ବଳ ମିଳିଯାଉଛି। ଗୋଲ୍ କରିନଥିଲେ ମଧ୍ୟ ଅଧିକ ଗୋଲ୍ ଦେବାକୁ ଚେଷ୍ଟା କରିବି। ପ୍ରଶିକ୍ଷକ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଆମେ ଜିତିବା ଲାଗି ଚେଷ୍ଟା କରିବୁ’’ ବୋଲି ଦଳର ମଧ୍ୟଭାଗ ଖେଳାଳି ଥୋଇବା ସିଂହ କହିଛନ୍ତି।