ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା: ପ୍ଲେ ଅଫ୍‌ ଆଶା ନେଇ କୋଲ୍‌କାତା ଗଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଲଗାତାର ୪ (ଘରେ ୩, ବାହାରେ ୧) ବିଜୟ ପରେ ଓଡ଼ିଶା ଏଫ୍‌ସି ପ୍ଲେ ଅଫ୍‌ ଖେଳିବା ଆଶା ସଂଚାର କରିଥିଲା। ହେ‌ଲେ ଶେଷ ଦୁଇ ମ୍ୟାଚ୍‌ ବେଙ୍ଗାଲୁରୁଠୁ ୦-୩ (ବ‌ାହାର) ଓ ଗୋଆଠୁ ୨-୪ (ଘରେ) ପରାଜୟ ପରେ ଏହି ରାସ୍ତା କଷ୍ଟକର ହୋଇଯାଇଛି। ସଂପ୍ରତି ଦଳ ୧୫ ମ୍ୟାଚ୍‌ରୁ ୨୧ ପଏଣ୍ଟ୍‌ ପାଇ ଷଷ୍ଠ ସ୍ଥାନରେ ରହିଛି। ଆଉ ୩ ମ୍ୟାଚ୍‌ ବାକି ରହିଥିଲା ବେଳେ ଗାଣିତିକ ବିକଳ୍ପ ହିଁ ଦଳକୁ ପ୍ଲେ ଅଫ୍‌ରେ ପହଞ୍ଚାଇ ପାରିବ। ‌ଶେଷ ବାହାର ମ୍ୟାଚ୍‌ରେ ଦଳ ଶନିବାର ଏଟିକେ ବିପକ୍ଷରେ କୋଲ୍‌କାତାରେ ଖେଳିବ। ଏହା ପରେ ଘରେ ଦୁଇଟି ମ୍ୟାଚ୍‌ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ ଓଡ଼ିଶାର ଏହି ନିଜସ୍ବ ଦଳ।

ଦଳର ପ୍ରଶିକ୍ଷକ ଭାବେ ମୁଁ ଭାବୁଛି ପ୍ଲେ ଅଫ୍‌ରେ ପହଞ୍ଚିବା ଲାଗି ଆମ ପାଖରେ କେବଳ ଗାଣିତିକ ବିକଳ୍ପ ଖୋଲା ରହିଛି ଏବଂ ଏଥିଲାଗି ଆମେ ଲଢ଼ିବୁ ବୋଲି କୋଲ୍‌କାତା ଗସ୍ତ ପୂର୍ବରୁ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପ୍ରଶିକ୍ଷକ ଯୋଶେପ ଗୋମ୍ବାଉ। ଆମେ ଜାଣିଛୁ ଏଟିକେ ଭଲ ଦଳ। ଘରୋଇ ପଡ଼ିଆ ପୁଣେରେ ଏହି ଦଳ ବିପକ୍ଷ ମ୍ୟାଚ୍‌କୁ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରଖିପାରିଥିଲୁ। ଶନିବାର ସହ ଆଗାମୀ ୩ ମ୍ୟାଚ୍‌ରେ ଆମେ ଶ୍ରେଷ୍ଠ ଦେବା ଲକ୍ଷ୍ୟ ନେଇ ଜୋରଦାର ଅଭ୍ୟ‌ାସ କରିଛୁ ଏବଂ ଜିତିବାକୁ ଚେଷ୍ଟା କରିବୁ ବୋଲି ଗୋମ୍ବାଉ କହିଛନ୍ତି। ପ୍ରତି ମ୍ୟାଚ୍‌ ଅନୁଯାୟୀ ଆମର ଯୋଜନା ଭିନ୍ନ ଭିନ୍ନ। ଏବେ ଏଟିକେ ବିପକ୍ଷ ଲାଗି ଯୋଜନା ପ୍ରସ୍ତୁତ କରିଛୁ। ଏହା ପରେ ଦୁଇଟି ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ରହିଛି। ଘରେ ଆମେ ଭଲ କରିଥିବାରୁ ଘରୋଇ ମ୍ୟାଚ୍‌ ଆମେ ଜିତି ପାରିବୁ। ଆମ ଦଳର କୌଣସି ଖେଳାଳି ଆଘାତ ଜନିତ ସମସ୍ୟାରେ ନାହାଁନ୍ତି। ଏହା ଦଳ ପାଇଁ ଭଲ ଖବର। ସମସ୍ତ ଖେଳାଳି ମ୍ୟାଚ୍‌ ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ଲେ ଅଫ୍‌ ପାଇଁ ଆଗାମୀ ୩ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ଏଥି ପାଇଁ ମାନସିକ ଭାବେ ପ୍ରସ୍ତୁତ ଅଛୁ ‌ବୋଲି ଗୋମ୍ବାଉ କହିଛନ୍ତି।

ପ୍ରଶିକ୍ଷକ ଦଳ ଏବଂ ଦଳୀୟ ସାଥୀଙ୍କୁ ନେଇ ମୁଁ ବହୁତ ଖୁସି। ଆମେ ଜାଣିଛୁ ‌କିପରି ଖେଳିବାକୁ ହେବ। ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ମୁଁ ଭାଗ୍ୟବାନ ରହିଥିଲି। ମୋ ନାମରେ ହିଁ ଗୋଲ୍‌ ହୋଇଥିଲା। ଆଗାମୀ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଥି ପାଇଁ ଭଲ ଅଭ୍ୟାସ କରିଛୁ। ଭୁବନେଶ୍ବର ଦର୍ଶକ ବହୁତ ଭଲ। ଦର୍ଶକଙ୍କ ସମର୍ଥନ ଲାଗି ଏଫ୍‌ସି ଗୋଆ ବିପକ୍ଷରେ ୦-୩ରେ ପଛୁଆ ରହି ମଧ୍ୟ ଦୁଇଟି ଗୋଲ୍‌ କରିପାରିଥିଲି। ଏଟି‌କେ ‌ବିପକ୍ଷରେ ମୁଁ ଗୋଲ୍ କରି ପାରିଲେ ଦଳ ପାଇଁ ଲାଭ ଦାୟକ ହେବ ବୋଲି ଆହତ ଆରିଡାନେ ସାନ୍ତାନାଙ୍କ ସ୍ଥାନ ନେଇଥିବା ମାନୁ‌ଏଲ୍‌ ଓନୁ କହିଛନ୍ତି।

ମୁମ୍ବାଇ ସିଟି ବିଜୟୀ
ମୁମ୍ବାଇ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗୁରୁବାର ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିଜୟୀ ହୋଇଛି। ମୁମ୍ବାଇ ସ୍ଥିତ ମୁମ୍ବାଇ ଫୁଟ୍‌ବଲ୍‌ ଏରିନାରେ ଘରୋଇ ଦଳ ୨-୧ ଗୋଲ୍‌ରେ ଜାମ‌ସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ସପ୍ତମ ମିନିଟ୍‌ରେ ନୋଏ କୋଷ୍ଟାଙ୍କ ଗୋଲ୍‌ରେ ଜାମସେଦପୁର ଆଗୁଆ ହୋଇଥିଲା। ଏହି ଗୋଲ୍‌ଟି ମୁମ୍ବାଇର ଆମିନେ ଚେର୍ମିଟି (୬୦ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ଦେଇଥିଲେ। ତେବେ ଇନ୍‌ଜୁରି ସମୟ‌ରେ ବିଦ୍ୟାନନ୍ଦ ସିଂହ (୯୦ ମିନିଟ୍‌)ଙ୍କ ଗୋଲ୍‌ରେ ମୁମ୍ବାଇ ମ୍ୟାଚ୍‌ ଜିତି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ (୨୬ ପଏଣ୍ଟ୍‌) ଚତୁର୍ଥ ସ୍ଥାନକୁ ଦୃଢ଼ କରିଛି। ଅନ୍ୟ ପକ୍ଷରେ ଏହି ପରାଜୟ ଜାସେଦପୁର ଏଫ୍‌ସି (୧୬ ପଏଣ୍ଟ୍‌, ୧୫ ମ୍ୟାଚ୍‌)ର ପ୍ଲେ ଅଫ୍‌ ଖେଳିବା ବାଟ ପୂରା ବନ୍ଦ ହୋଇଯାଇଛି। ପଏଣ୍ଟ୍‌ ଟେବୁଲ୍‌ରେ ଏଫ୍‌ସି ଗୋଆ (୩୩ ପଏଣ୍ଟ୍‌) ଶୀର୍ଷ ସ୍ଥାନ ବଜାୟ ରଖିବା ସହ ‌ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରି ସାରିଥିଲା ବେଳେ ଏଟିକେ ଏଫ୍‌ସି (୩୦ ପଏଣ୍ଟ୍‌) ଦ୍ବିତୀୟ ଓ ବେଙ୍ଗାଲୁରୁ ଏଫ୍‌ସି (୨୮ ପଏଣ୍ଟ୍‌) ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର