ଆଇଏସ୍‌ଏଲ୍‌ ଫୁଟ୍‌ବଲ୍ ପ୍ରତିଯୋଗିତା : ଓଡ଼ିଶାକୁ ପ୍ରଥମ ଥର ହରାଇଲା ମୁମ୍ବାଇ

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ରବିବାର ଓଡ଼ିଶା ଏଫସି ବିପକ୍ଷରେ ମୁମ୍ବାଇ ସିଟି ଏଫସି ୨-୦ ଗୋଲରେ ବିଜୟୀ ହୋଇଛି। ଗତ ଋତୁରେ ଉଭୟ ମୁକାବିଲା ଓଡ଼ିଶା ଏଫସି ଜିତିଥିବା ବେଳେ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ହୋଇଛି। ସେହିଭଳି ଓଡ଼ିଶାକୁ ପ୍ରଥମ ଥର ହରାଇ ମୁମ୍ବାଇ ସିଟି ଏଫସି ଏହି ଭୁବନେଶ୍ବର ଦଳ ବିପକ୍ଷରେ ନିଜ ପରାଜୟ ଧାରା ଭାଙ୍ଗିବାରେ ସକ୍ଷମ ହୋଇଛି। ଓଡ଼ିଶା ଏଫସି କିନ୍ତୁ ୪ ମ୍ୟାଚ୍‌ରୁ ୩ ପରାଜୟ ସହ ନିରାଶା ଜାରି ରଖିଛି। ରବିବାରର ବିଜୟ ସହ ମୁମ୍ବାଇ ସିଟି ଏଫସି ୪ ମ୍ୟାଚ୍‌ରୁ ୩ ବିଜୟ ସହିତ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଉନ୍ନୀତ ହୋଇଛି। ଏଟିକେ ମୋହନ ବାଗାନ ୩ ମ୍ୟାଚ୍‌ରୁ ୯ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନ ଦୃଷ୍ଟିରୁ ଦ୍ବିତୀୟ ସ୍ଥାନକୁ ଖସିଛି।

ଗୋଆ ବାମ୍ବୋଲିମ୍‌ରେ ରବିବାର ସଂଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୦ତମ ମିନିଟରେ ପେନାଲଟିରୁ ବାଥୋଲୋମି ଓଗେଚେ ପ୍ରଥମ ଗୋଲ୍ ଦେଇଥିଲେ। ୪୫ତମ ମିନିଟରେ ରାଓଲିନ୍‌ ବର୍ଜେସଙ୍କ ଗୋଲ୍‌ ବଳରେ ମୁମ୍ବାଇ ନିଜ ସ୍ଥିତି ଦୃଢ଼ କରି ନେବା ସହ ପ୍ରଥମାର୍ଧକୁ ୨-୦ରେ ଶେଷ କରିଥିଲା। ପ୍ରଥମାର୍ଧର ଚତୁର୍ଥ ମିନିଟରେ ଓଡ଼ିଶା ଏଫସି ପାଇଁ ଡିଏଗୋ ମୋରିସିଓଙ୍କ ସୁନ୍ଦର ପ୍ରୟାସ କ୍ରସ୍ ବାରରେ ବାଜିବା ପରେ ଖେଳାଳିମାନେ ଆଉ ଲକ୍ଷ୍ୟ ଭେଦି ପାରିନଥିଲେ। ମୁମ୍ବାଇ ଖେଳାଳି କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ମ୍ୟାଚ୍‌ର ୩୮ ମିନିଟରେ ଓଡ଼ିଶା ଏଫସି ଗୋଲରକ୍ଷକ କମଲଜିତଙ୍କୁ ମସ୍ତିସ୍କାଘାତ ଆଶଙ୍କାରେ ବିଶ୍ରାମ ଦିଆଯିବାରୁ ରବି କୁମାରଙ୍କୁ ଖେଳିବା ସୁଯୋଗ ମିଳିଥିଲା। ଉଭୟ ଗୋଟିଏ ଲେଖାଏଁ ଗୋଲ୍ ବରଣ କରିଥିଲେ। ଦ୍ବିତୀୟାର୍ଧ ଗୋଲଶୂନ୍ୟ ରହିବାରୁ ମୁମ୍ବାଇ ସିଟି ଏଫ୍‌ସି ସହଜରେ ବିଜୟୀ‌ ହୋଇଥିଲା।

ଗୋଆ ୩-୧ରେ ଜିତିଲା
ରବିବାରର ଦ୍ବିତୀୟ ମ୍ୟାଚ୍‌ରେ ଗୋଆ ଏଫସି ୩-୧ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ ହରାଇ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଦୁଇଟି ଅମୀମାଂସିତ ପାଇଥିବାରୁ ଗୋଆ ମଧ୍ୟ ଚତୁର୍ଥ ମ୍ୟାଚ୍‌ରୁ ୫ ପଏଣ୍ଟ୍ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ରବିବାର ଗୋଆ ପାଇଁ ଆଗୁରୋ ଆଙ୍ଗୁଲୋ (୩୦ ଓ ୯୦ ମିନିଟ୍‌) ଦୁଇଟି ଏବଂ ଅର୍ଟିଜ୍ (୫୨ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। କେରଳ ପାଇଁ ଏକମାତ୍ର ଗୋଲ୍‌ ଭିନସେଣ୍ଟ୍ ଗୋମେଜ୍‌ (୯୦ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର