ଆଇଏସ୍‌ଏଲ୍‌, ପ୍ରତିଶୋଧ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ବୁଧବାର ଗତଥରର ବିଜେତା ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ। ଏହି ଦଳ ବିପକ୍ଷରେ ପୁଣେରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୦-୧ ଗୋଲ୍‌ରେ ହାରିଯାଇଥିଲା। ବୁଧବାର ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବା ଷ୍ଟାଡିୟମ୍‌ରେ ଘରୋଇ ଦଳକୁ ହରାଇ ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟ‌ରେ ରହିଛି ଏହି ଭୁବନେଶ୍ବର ଦଳ। ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଲଗାତାର ୩ ମ୍ୟାଚ୍ ଜିତି ହ୍ୟାଟ୍ରିକ୍‌ କରିଥିବା ଓଡ଼ିଶା ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ମାତ୍‌ ଦେଇ ମନୋବଳକୁ ଦୃଢ଼ ରଖିଛି। ଏଥିସହ ଲଗାତାର ବିଜୟ ମଧ୍ୟ ଦଳକୁ ଶୀର୍ଷ ୪ରେ ପହାଞ୍ଚାଇ ଦେଇଛି। ୧୩ ମ୍ୟାଚ୍‌ରୁ ୬ ବିଜୟ, ୩ ଅମୀମାଂସିତ ଓ ୪ ପରାଜୟରୁ ମୋଟ ୨୧ ପଏଣ୍ଟ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଯଦି ଦଳ ବୁଧବାର ମ୍ୟାଚ୍‌ରେ ବେଙ୍ଗାଲୁରୁକୁ ହରାଇ ଦିଏ ତେବେ ଶୀର୍ଷରେ ଥିବା ଦୁଇ ଦଳ ଏଟିକେ ଏଫ୍‌ସି ଓ ଏଫ୍‌ସି ଗୋଆ (୨୪ ପଏଣ୍ଟ୍‌)ଙ୍କ ସମକକ୍ଷ ହୋଇ ତୃତୀୟ ସ୍ଥାନରେ ପହଞ୍ଚିବ। ଶେଷ ୪ ମ୍ୟାଚ୍‌ରେ ଓଡ଼ିଶା ୮ ଗୋଲ୍‌ ସ୍କୋର୍‌ କରିଛି। ଏହାର ଅଗ୍ରଭାଗ ଖେଳାଳି ଆରିଦାନେ ସାନ୍ତନା ୯ ଗୋଲ୍‌ ସ୍କୋର୍‌ କରି ସ୍ବର୍ଣ୍ଣ ଜୋତା ଦୌଡ଼ରେ ଆଗରେ ରହିଛନ୍ତି। ଗତ ୪ ମ୍ୟାଚ୍‌ରେ ସେ ୫ ଗୋଲ୍‌ କରିଛନ୍ତି। ହେଲେ ନନ୍ଦକୁମାର ଶେକର ଆହତ ଏବଂ ବିନିତ ରାୟ ବାସନ୍ଦ ହେବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। କିନ୍ତୁ ପ୍ରଶିକ୍ଷକ ଜୋଶେପ ଗୋମ୍ବାଉ ବିଜୟୀ ହେବା ନେଇ ଦୃଢ଼ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ବେଙ୍ଗାଲୁରୁ ସଂପ୍ରତି ୨୨ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଅଛି। ‌ଓଡ଼ିଶା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଥିବାରୁ ଘରୋଇ ପଡ଼ିଆରେ ମଧ୍ୟ ଏହି ଧ‌ାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଏହି ବିଜୟ ସହ ଦଳ ପଏଣ୍ଟ୍‌ ତାଲିକାର ଶୀର୍ଷକୁ ମଧ୍ୟ ଉଠିଯିବ। ତେବେ ଗତ ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସିଠୁ ୦-୨ ଗୋଲ୍‌ରେ ହାରିବା ଦଳ ପାଇଁ ବଡ଼ ଝଟ୍‌କା ଲାଗିଥିଲା। ଏଥିସହ ବୁଧବାର ମ୍ୟାଚ୍‌ରେ ଦଳର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ସୁନୀଲ ଛେତ୍ରୀ (୮ ଗୋଲ୍) ଖେଳିବା ନେଇ ସନ୍ଦେହ ରହିଛି। ଆସିକ କୁରୁନିୟାନ୍ ଓ ଉଦାନ ସିଂହଙ୍କ ପ୍ରଦର୍ଶନ ଭଲ ମଧ୍ୟ ନାହିଁ। ଉଭୟ ଚୂଡ଼ାନ୍ତ ଏକାଦଶରେ ସ୍ଥା‌ନ ନେଇ ସଂଘର୍ଷ କରୁଛନ୍ତି। କେବଳ ମୁମ୍ବାଇଠୁ ପରାଜୟ ଛଡ଼ା ଘରୋଇ ପଡ଼ିଆରେ ବେଙ୍ଗାଲୁରୁ ଭଲ କରିଛି। ଏହି ଦୃଷ୍ଟିରୁ ଘରୋଇ ପଡ଼ିଆରେ ଓଡ଼ିଶା ବିପକ୍ଷରୁ ୩ ପଏଣ୍ଟ୍‌ ପାଇବା ଆଶା ରଖିଛନ୍ତି ପ୍ରଶିକ୍ଷକ କ‌ାର୍ଲେସ କୁଆଡ୍ରାଟ୍‌।

ସମ୍ବନ୍ଧିତ ଖବର