ରୋମାଞ୍ଚକର ମୋଡ଼ରେ ଆଇଏସ୍‌ଏଲ୍‌

ନୂଆଦିଲ୍ଲୀ : ପେସଦାର ଫୁଟବଲ୍‌ ଲିଗ୍‌ ଆଇପିଏଲ୍‌ ଏବେ ରୋମାଞ୍ଚକର ମୋଡ଼ରେ ରହିଛି। ଲିଗ୍‌ର ୯୦ ମ୍ୟାଚ୍‌ ମଧ୍ୟରୁ ୭୧ଟି ଖେଳା ଯାଇ ସାରିଥିଲା ବେଳେ ଆସନ୍ତା ତିନି ସପ୍ତାହରେ ପ୍ଲେ ଅଫ୍‌ ସ୍ଥାନ ଲାଗି ଜୋରଦାର ଲଢ଼େଇ ହେବାର ଆଶା ରହିଛି। ପଦାର୍ପଣକାରୀ ବେଙ୍ଗାଲୁରୁ ଏଫ୍‌ସି ଆଉ ତିନିଟି ମ୍ୟାଚ୍‌ ଖେଳିବାର ଥିଲେ ମଧ୍ୟ ପଏଣ୍ଟ ତାଲିକାର ଶୀର୍ଷରେ ଥିବାରୁ ଏହି ଦଳର ପ୍ଲେ ଅଫ୍‌ ଟିକେଟ ପକ୍କା ହୋଇ ଯାଇଛି। ୧୫ ମ୍ୟାଚରୁ ୧୧ ବିଜୟ ହାସଲ କରି ବେଙ୍ଗାଲୁରୁ ଏଫସି ମୋଟ ୩୩ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ଦୃଢ଼ ରହିଛି। ପୁନେ ଏଫସି ୨୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳ ଗୋଟିଏ ପାଦ ପ୍ଲେ ଅଫ୍‌ରେ ରଖି ସାରିଛି।

ହେଲେ ଆହୁରି ତିନିଟି ମ୍ୟାଚ୍‌ ଖେଳିବାର ଥିବାରୁ ପୁନେର ପ୍ଲେ ଅଫ୍‌ ପ୍ରବେଶ ପୂରା ପକ୍କା ହୋଇ ନାହିଁ। ତାଲିକାର ଶେଷ ତିନିଟି ସ୍ଥାନରେ ଥିବା ଏଟିକେ (୧୩), ନର୍ଥଇଷ୍ଟ ୟୁନାଇଟେଡ୍‌ (୧୧) ଓ ଦିଲ୍ଲୀ ଡାଇନାମସ୍‌ (୮)ର ପ୍ଲେ ଅଫ୍‌ ଆଶା ମଉଳି ଯାଉଛି। ଏଣୁ ପ୍ଲେ ଅଫ୍‌ ବା ସେମିଫାଇନାଲର ବଳକା ତିନିଟି ସ୍ଥାନ ପାଇଁ ଜାମସେଦପୁର ଏଫସି (୨୫), ଚେନ୍ନାଇ ଏଫ୍‌ସି (୨୪), କେରଳ ବ୍ଲାଷ୍ଟର୍ସ (୨୧), ଗୋଆ ଏଫ୍‌ସି (୨୦) ଓ ମୁମ୍ବାଇ ଏଫସି (୧୭) ମଧ୍ୟରେ ହେବ। ସେଥିମଧ୍ୟରୁ ଜାମସେଦପୁର, ପୁନେ ଓ କେରଳ ୧୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି। ମୁମ୍ବାଇ ଚେନ୍ନାଇ ୧୪ ଏବଂ ଗୋଆ ୧୩ ମ୍ୟାଚ୍‌ ଖେଳିଛି। ଏଣୁ ଏହି ସବୁ ଦଳ ପାଖରେ ସେମିକୁ ଯିବାର ସୁଯୋଗ ରହିଛି।

ସମ୍ବନ୍ଧିତ ଖବର