ଓଡ଼ିଶା ଏଫ୍‌ସିର ‘ଘରୋଇ ଅଭିଯାନ’ ଅଡ଼ୁଆ, ଭୁବନେଶ୍ବରର ୩ ମ୍ୟାଚ୍ ପୁନେ ଗଲା

ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆ‌ଇଏସଏଲ୍‌) ଫୁଟବଲ୍ ପ୍ରତିଯୋଗିତାରେ ପ୍ରଥମ ଥର ଖେଳିବାକୁ ଯାଉଥିବା ଓଡ଼ିଶା ଏଫ୍‌ସି (ପୂର୍ବରୁ ଏହା ଦିଲ୍ଲୀ ଡାଇନାମସ୍ ନାମରେ ଖେଳୁଥିବା)ର ଘରୋଇ ପଦାର୍ପଣ ବିଳମ୍ବିତ ହେବାକୁ ଯାଉଛି। କଳିଙ୍ଗ ଷ୍ଟାଡିୟମର ପିଚ୍ ନବୀକରଣ କାର୍ଯ୍ୟ ନିର୍ଧାରିତ ସମୟରେ ଶେଷ ହୋଇପାରି ନଥିବାରୁ ଓଡ଼ିଶା ଏଫ୍‌ସି ଭୁବନେଶ୍ବରରେ ଖେଳିବାକୁ ଥିବା ଘରୋଇ ମ୍ୟାଚ୍ ମଧ୍ୟରୁ ପ୍ରଥମ ତିନିଟି ପୁନେରେ ଖେଳିବାକୁ ନିଷ୍ପତ୍ତି ନେଇଛି। ଶନିବାର ଦଳ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ଖବର କିନ୍ତୁ ଓଡ଼ିଶା ଏଫ୍‌ସିର ଉତ୍ସାହୀ ପ୍ରଶଂସକଙ୍କୁ ନିରାଶ କରିଛି।

ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ଘରୋଇ ମ୍ୟାଚ୍ ଚଳିତ ମାସ ୨୪ ତାରିଖରେ ଏଟିକେ କୋଲକାତା ବିପକ୍ଷରେ ଖେଳିବାର ଥିଲା। ଏହାପରେ ଡିସେମ୍ବର ୪ରେ ବେଙ୍ଗାଲୁରୁ ଏଫ୍‌ସି ଏବଂ ଡିସେମ୍ବର ୧୧ରେ ହାଇଦ୍ରାବାଦ ଏଫ୍‌ସିକୁ ଭେଟିଥାଆନ୍ତା। ଏହି ତିନିଟି ମ୍ୟାଚ୍ ଏବେ ଓଡ଼ିଶା ଏଫ୍‌ସି ଦଳ ପୁନେର ଶ୍ରୀ ଶିବାଜୀ ଛତ୍ରପତି ସ୍ପୋର୍ଟସ ‌କଂପ୍ଲେକ୍ସରେ ଖେଳିବ। ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ଓଡ଼ିଶା ଏଫ୍‌ସି ମୋଟ ୯ ମ୍ୟାଚ୍ ଖେଳିବାର ଥିଲା। ପରବର୍ତୀ ତିନିଟି ମ୍ୟାଚ୍ ଲାଗି ପୁନେକୁ ବିକଳ୍ପ ଭାବେ ନିଆଯାଇଥିଲେ ମଧ୍ୟ ପରବର୍ତୀ ୬ ମ୍ୟାଚ୍ ପୂର୍ବ ନିର୍ଧାରିତ ସୂଚୀ ଅନୁସାରେ ଭୁବନେଶ୍ବରରେ ଖେଳାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ମ୍ୟାଚ୍‌ଗୁଡ଼ିକ ଦଳ ଜାମସେଦପୁର ଏଫସି (ଡିସେମ୍ବର ୨୭), ଚେନ୍ନାଇନ୍ ଏଫସି (ଜାନୁଆରି ୬), ମୁମ୍ବାଇ ସିଟି ଏଫ୍‌ସି (ଜାନୁଆରି ୧୧), ଏଫ୍‌ସି ଗୋଆ (ଜାନୁଆରି ୨୯), ନର୍ଥ ଇଷ୍ଟ ୟୁନାଇଟେଡ୍ (ଫେବ୍ରୁଆରି ୧୪) ଓ କେରଳ ବ୍ଲାଷ୍ଟର୍ସ (ଫେବ୍ରୁଆରି ୨୩) ବିପକ୍ଷରେ ଖେଳିବ। ଏଥିନେଇ ଦଳର ମାଲିକ ରୋହନ ଶର୍ମା କହିଛନ୍ତି ଯେ ଆମେ ଆମର ସମସ୍ତ ଘରୋଇ ମ୍ୟାଚ୍ ଭୁବନେଶ୍ବରରେ ଖେଳିବାକୁ ଚାହୁଁଥିଲୁ। ଦୁର୍ଭାଗ୍ୟଜନକ ଭାବେ ଲଗାଣ ବର୍ଷା ପାଇଁ କଳିଙ୍ଗ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ବିଳମ୍ବିତ ହେଲା। ଯାହା ଆମ ନିୟନ୍ତ୍ରଣରେ ଆଦୌ ନଥିଲା। ବାଧ୍ୟହୋଇ ଆମକୁ ପ୍ରଥମ ତିନିଟି ମ୍ୟାଚ୍ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ହେଲେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଆମେ ଚାହିଁ ବସିଛୁ। ଷ୍ଟାଡିୟମ ଏବଂ ପଡ଼ିଆର ସ୍ଥିତି ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରି କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା କହିଛନ୍ତି ଯେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଲାଗି ଫିଫା ନିୟମାବଳୀ ଅନୁସା‌ରେ କଳିଙ୍ଗ ଷ୍ଟାଡିୟମ ପିଚ୍‌ ପ୍ରସ୍ତୁତ କରିବା ଲାଗି ଅମେ ଆପ୍ରାଣ ଉଦ୍ୟମ କରୁଛୁ। ଚଳିତ ବର୍ଷ ‌ମୌସୁମୀ ବାୟୁ ବହୁତ ବିଳମ୍ବରେ ଓଡ଼ିଶା ଛାଡ଼ିଲା। ପାଗ ଅତି ଖରାପ ଥିବାରୁ ନିର୍ଧାରିତ ସମୟରେ ପିଚ୍ ନିର୍ମାଣ ଶେଷ ‌ହୋଇପାରିନି। ତେବେ ଡିସେମ୍ବର ମଧ୍ୟଭାଗରୁ ଓଡ଼ିଶା ଏଫ୍‌ସିକୁ କଳିଙ୍ଗ ଷ୍ଟାଡିୟମ୍ ପିଚ୍ ମିଳିଯିବ ବୋଲି ଆଶା ରଖିଛୁ।

ଅଧିକ ମ୍ୟାଚ୍ ସ୍ଥାନାନ୍ତର ଆଶଙ୍କା
ଡିସେମ୍ବର ମଧ୍ୟଭାଗରୁ କଳିଙ୍ଗ ଷ୍ଟାଡିୟମ୍ ପିଚ୍ ଓଡ଼ିଶା ଏଫ୍‌ସିକୁ ମିଳିବ ବୋଲି କୁହାଯାଉଥିଲେ ମଧ୍ୟ ଏହା ଆହୁରି ବିଳମ୍ବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପିଚ୍‌ ପ୍ରସ୍ତୁତି ଦାୟିତ୍ବରେ ଥିବା କଂପାନିର ଜଣେ ଅଧିକାରୀଙ୍କ କହିବା ଅନୁସାରେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ପାଇଁ ଏଠାରେ ଫିଫା ମାନର ପିଚ୍ ପ୍ରସ୍ତୁତ ହେଉଛି। ଆମକୁ ଏଥିଲାଗି ପୂର୍ବରୁ ଥିବା ପିଚ୍‌କୁ ସଂପୂର୍ଣ୍ଣ ଖୋଳିବାକୁ ପଡ଼ିଥିଲା। ନିୟମିତ ବର୍ଷା ପାଇଁ ଏଥିରେ କିନ୍ତୁ ନିର୍ଧାରିତ ସମୟ ଭିତରେ ବାଲି ଭର୍ତି କରିବା ସମ୍ଭବ ହୋଇ ନଥିଲା। ଏବେ ବାଲି ଭର୍ତି କାମ ଚାଲିଛି। ଯାହା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି କାମ ସରିଯିବ। ଏହା ପରେ ଆମେ ସିଡିଂ (ମଞ୍ଜି ବୁଣିବା) କରିବୁ। ସେଥିରୁ ଅ‌ଙ୍କୁରୋଦଗମ ହୋଇ ମ୍ୟାଚ୍ ଉପଯୋଗୀ ଘାସ ହେବା ଲାଗି ପାଖାପାଖି ୯୦ ଦିନ ଲାଗିବ। ୯୦ ଦିନ ପୂର୍ବରୁ ଏଥିରେ ମ୍ୟାଚ୍ କରିବା ସମ୍ଭବ ନୁ‌ହେଁ। ଏଭଳି କଲେ ପିଚ୍ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ କୌଣସି ମ୍ୟାଚ୍ ନକରିବାକୁ ମୁଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବି। ଆଇଏସଏଲ୍ ମ୍ୟାଚ୍ ଖେଳା ହେବା ପରେ ପିଚ୍‌ର କୌଣସି କ୍ଷତି ହେଲେ ଫିଫା ଅଧିକାରୀମାନେ ଏଥିନେଇ ଆପତ୍ତି ଉଠାଇବାର ଯଥେଷ୍ଟ ଆଶଙ୍କା ରହିଛି। ସଂପୃକ୍ତ ଅଧିକାରୀଙ୍କ ପରାମର୍ଶକୁ ଯଦି ରାଜ୍ୟ ସରକାର ଗ୍ରହଣ କରନ୍ତି, ତାହାଲେ ଫେବ୍ରୁଆରି ଶେଷ ପୂର୍ବରୁ କଳିଙ୍ଗ ଷ୍ଟାଡିୟମର ନୂଆ ଫୁଟବଲ୍ ପିଚ୍‌ରେ ମ୍ୟାଚ୍ ହେବା ସମ୍ଭବ ନୁ‌ହେଁ। ଓଡ଼ିଶା ଏଫ୍‌ଏସି ତା’ ଶେଷ ଘରୋଇ ମ୍ୟାଚ୍ ଫେବ୍ରୁଆରି ୨୩ରେ ଖେଳିବ। ସେଥିପାଇଁ ଚଳିତ ଋତୁରେ ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ କେବଳ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ହିଁ ଖେଳି ପାରିବ।

ସ୍ୟାଣ୍ଡ୍‌ ପିଚ୍ ପାଇଁ ଲାଗୁଛି ସମୟ
ଆଥଲେଟିକ୍ ଷ୍ଟାଡିୟମ୍ ମଧ୍ୟରେ ଥିବା କଳିଙ୍ଗ ଷ୍ଟାଡିୟମ୍ ଫୁଟ୍‌ବଲ୍ ପିଚ୍ ଆଗରୁ ‘କ୍ଲେ ପିଚ୍’ ଥିଲା। ଏବେ ଏହାକୁ ଫିଫା ମାନ୍ୟତା ଅନୁସାରେ ସାଣ୍ଡ୍ ପିଚ୍ ବା ବାଲି ପିଚ୍‌ରେ ପରିବର୍ତନ କରାଯାଉଛି। ଏହାଦ୍ବାରା ଖେଳାଳିମାନେ ଆହତ ହେବାର ଆଶଙ୍କା ପୂର୍ବାପେକ୍ଷା କମିବ। ସାରା ଭାରତରେ ଏଭଳି ମାତ୍ର ଦୁଇଟି ପିଚ୍ ଥିଲା ବେଳେ କଳିଙ୍ଗ ଷ୍ଟାଡିୟମ ତୃତୀୟ ହେବ। ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌କୁ ଆଖି ଆଗରେ ରଖି ପିଚ୍ ପ୍ରସ୍ତୁତି ବେଳେ ଫିଫାର ଅନ୍ୟାନ୍ୟ ନିୟମାବଳୀକୁ ମଧ୍ୟ ଅନସୁରଣ କରାଯାଉଛି। ସେଥିପାଇଁ ପିଚ୍ ନିର୍ମାଣ ‌ନିର୍ଧାରିତ ସମୟରେ ଶେଷ ହୋଇ ପାରିଲା ନାହିଁ। ଏଭଳି ମନ୍ତବ୍ୟ ପିଚ୍ ନିର୍ମାଣ ଦାୟିତ୍ବରେ ଥିବା ଦିଲ୍ଲୀର ଏଲଆର ବ୍ରଦର୍ସ କଂପାନିର କର୍ମଚାରୀ କହିଛନ୍ତି। ସେହିଭଳି ଲଗାଣ ବର୍ଷାକୁ ମଧ୍ୟ ଏଥିପାଇଁ ସେ ଦୋଷ ଦେଇଛନ୍ତି। ପିଚ୍ ନିର୍ମାଣ ସହ ଆଥଲେଟିକ୍ ଷ୍ଟାଡିୟମର ଏକ ନମ୍ବର ଗେଟ୍ ପାଖରେ ନିର୍ମାଣ ହେଉଥିବା ଶୌଚାଳୟ କାମ ଆରମ୍ଭ ହୋଇଛି। ଏହି କାମ ବିଶ୍ବକପ୍ ପୂର୍ବରୁ ସରିଯିବ ବୋଲି ଦାୟିତ୍ବରେ ଥିବା ସଂସ୍ଥାର କର୍ମଚାରୀ କହିଛନ୍ତି। ପ୍ରକାଶ ଥାଉ କି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ଆସନ୍ତାବର୍ଷ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ବିଶ୍ବକପ୍‌ର କେତେକ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧିତ ଖବର