ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଏଫ୍ସି ଗୁରୁବାର ଚେନ୍ନାୟିନ୍ ଏଫ୍ସି ସହ ପଏଣ୍ଟ ବାଣ୍ଟିଛି। ଚେନ୍ନାଇସ୍ଥିତ ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଏହି ପଏଣ୍ଟ ସହ ଓଡ଼ିଶା ଏଫ୍ସି (୨୩ ପଏଣ୍ଟ) ସପ୍ତମରୁ ଗୋଟିଏ ସ୍ଥାନ ଉଠି ଷଷ୍ଠରେ ପହଞ୍ଚିଛି। ତେବେ ଚେନ୍ନାୟିନ୍ (୧୯ ପଏଣ୍ଟ) ପୂର୍ବ ପରି ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ମ୍ୟାଚ୍ର ୨୪ତମ ମିନିଟ୍ରେ ଈସାକ ଭାନଲାଲରୁଆତଫେଲାଙ୍କ ପାସ୍ରେ ଗୋଲ୍ ଦେଇ ଡିଏଗୋ ମୌରିସିଓ ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଅଗ୍ରଣୀ ବେଶୀ ସମୟ ରହିନଥିଲା। ଏହାର ଗୋଟିଏ ମିନିଟ୍ ପରେ ଚେନ୍ନାୟିନ୍ର ଆକାଶ ସାଙ୍ଗୱାନଙ୍କ ପାସ୍ରେ ଅନିରୁଦ୍ଧ ଥାପ୍ପା (୨୫ ମିନିଟ୍) ଗୋଲ୍ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା। ୪୮ତମ ମିନିଟ୍ରେ ନନ୍ଦକୁମାର ସେକରଙ୍କ ପାସ୍ରେ ଈସାକ ଭାନଲାଲରୁଆତଫେଲା ଗୋଲ୍ କରି ପୁଣି ଥରେ ଓଡ଼ିଶାକୁ ଆଗୁଆ କରିଥିଲେ। ୫୭ତମ ମିନିଟ୍ରେ ଆବ୍ଦେନାସର ଇ ଖାୟାତିଙ୍କ ଗୋଲ୍ ବଳରେ ଚେନ୍ନାୟିନ୍ ମ୍ୟାଚ୍କୁ ସମାନ ସ୍ତରକୁ ଆଣିଥିଲା। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନ ହେବାରୁ ମ୍ୟାଚ୍ ୨-୨ରେ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/isl.jpg)