ଭୁବନେଶ୍ବର : ଶନିବାର ଆଇଏସ୍ଏଲ୍ ମୁକାବିଲାରେ ଓଡ଼ିଶା ଏଫସି ଭେଟିବ ଗୋଆ ଏଫସିକୁ। ଉଭୟ ଦଳ ଚଳିତ ଋତୁରେ ନିଜ ନିଜ ପଞ୍ଚମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଓଡ଼ିଶା ଏଫସି ମାତ୍ର ୧ ପଏଣ୍ଟ୍ ସହିତ ଦଶମ ସ୍ଥାନରେ ସଂଘର୍ଷ କରୁଥିବା ବେଳେ ଗୋଆ ଗୋଟିଏ ବିଜୟ ସହ ୫ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନରେ ରହିଛି। ବୋର୍ଡରେ ଅଧିକ ପଏଣ୍ଟ୍ ପାଇଁ ଆମେ କଠିନ ପରିଶ୍ରମ କରୁଛୁ ବୋଲି ଶୁକ୍ରବାର ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍। ଆପଣ ଯଦି ଆମ ବିଗତ ମ୍ୟାଚ୍ଗୁଡିକୁ ସାମଗ୍ରିକ ଭାବେ ଦେଖିବେ ଜାଣିବେ ଆରମ୍ଭ ଭଲ ରହୁନାହିଁ, କିନ୍ତୁ ଏହା ବିପର୍ଯ୍ୟୟ ସ୍ଥିତି ବି ରଖୁନାହିଁ। ପ୍ରତିଟି ମ୍ୟାଚ୍ରେ ଅମେ ନିର୍ଦ୍ଧିଷ୍ଟ ସମୟରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ ଖେଳୁଛୁ। ହାଇଦ୍ରାବାଦ ବିପକ୍ଷରେ ଆମେ ପେନାଲଟିରେ ହାରିଲୁ, ତଥାପି ଏହା ଖେଳର ଅଂଶବିଶେଷ। ପ୍ରତି ମ୍ୟାଚ୍କୁ ଦେଖିଲେ ଆମେ ଭଲ ଖେଳୁଛୁ। ଭଲ ପସନ୍ଦର ଖେଳାଳି ଏବଂ ଭଲ ନିଷ୍ପତ୍ତି ନିଶ୍ଚିତ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ ପ୍ରଦାନ କରିବ। ଖେଳାଳିଙ୍କୁ ନେଇ କିଛି ଅସୁବିଧା ନାହିଁ। ଡିସେମ୍ବର ୩ ଓ ୬ ତାରିଖରେ କଳିଙ୍ଗ ବୀରମାନେ ଲଗାତାର ମ୍ୟାଚ୍ ଖେଳିଥିବାରୁ ଖେଳାଳିଙ୍କୁ ଏହା ଲୟକୁ ଆଣିଛି। ଦଳ ଭିତରେ ଭଲ ମୁଡ୍ ଆଣି ଦେଇଛି, ଖେଳାଳିମାନେ ଅଗ୍ରଗତି କରିଥିବା ବିଶ୍ବାସ ବି ଆସିଛି। ପ୍ରତିପକ୍ଷ ଗୋଆ ସମ୍ପର୍କରେ ୬୭ ବର୍ଷୀୟ ବକ୍ସଟର୍ କହିଥିଲେ ସେମାନଙ୍କ ଷ୍ଟ୍ରାଇକର୍ ଗୋଲ୍ ଦେଉଛନ୍ତି ଏହା ସବୁବେଳେ ସମସ୍ୟା। ଦଳର ଅନ୍ୟ ଖେଳାଳିମାନେ ସେଭଳି ସାଧାରଣ। ତଥାପି ସେମାନେ ଏକ ଉନ୍ନତ ଦଳ, ଆମକୁ ସମ୍ମାନ ବି କରିବାକୁ ହେବ। ଭିନିତ ରାଏ ଏବେ ଫିଟ୍ ହୋଇସାରିଛନ୍ତି, କିନ୍ତୁ ମ୍ୟାଚ୍ ଫିଟ୍ନେସ୍ ସ୍ତରକୁ ଆସିଥିଲେ ସେ ଶନିବାର ଖେଳିବେ କି ନା ବିଚାର କରିବାକୁ ହେବ ବୋଲି ପ୍ରକାଶ କରିଥିଲେ ଏହି ଦକ୍ଷିଣ ଆଫ୍ରିକା ଜାତୀୟ ଦଳର ପୂର୍ବତନ ବ୍ରିଟିସ୍ ପ୍ରଶିକ୍ଷକ।
ଏଟିକେ-ହାଇଦ୍ରାବାଦ ମ୍ୟାଚ୍ ଅମୀମାଂସିତ
ଫତୋର୍ଦା : ଚଳିତ ଆଇଏସ୍ଏଲ୍-୭ ଘରୋଇ ଫୁଟ୍ବଲ୍ ପ୍ରତିଯୋଗିତାରେ ଶୁକ୍ରବାର ଖେଳାଯାଇଥିବା ହାଇଦ୍ରାବାଦ ଏଫସି ବନାମ ଏଟିକେ ମୋହନ ବାଗାନ୍ ମୁକାବିଳା କଡ଼ା ସଂଘର୍ଷପୂର୍ଣ୍ଣ ଭାବେ ୧-୧ ଗୋଲରେ ଅମୀମାଂସିତ ରହିଛି। ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ ହୋଇଥିଲା। ରକ୍ଷଣଭାଗ ତ୍ରୁଟିରୁ ଫାଇଦା ଉଠାଇ ମୋହନ ବାଗାନ୍ ପାଇଁ ୫୪ତମ ମିନିଟରେ ମାନବୀର ସିଂହ ଗୋଲ୍ ଖାତା ଖୋଲିଥିଲେ। ତେବେ ୧୦ ମିନିଟ୍ ପରେ ମାନବୀର ବକ୍ସ ଅଞ୍ଚଳରେ ନିଖିଲ ପୂଜାରିଙ୍କୁ ଫାଉଲ୍ ମାରିବାରୁ ହାଇଦ୍ରାବାଦକୁ ମିଳିଥିବା ପେନାଲଟିକୁ ଜାଓ ଭିକ୍ଟର ଗୋଲରେ ପରିଣତ କରି ଦେଇଥିଲେ। ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ମ୍ୟାଚ୍ ଶେଷ ହେବାରୁ କୌଣସି ପକ୍ଷ ପରାଜୟ ସ୍ବୀକାର କରିବା ସ୍ଥିତିରେ ନଥିଲେ। ଏଥି ସହିତ ଏଟିକେ ୧୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୬ ପଏଣ୍ଟ ସହ ପଞ୍ଚମକୁ ଉନ୍ନୀତ ହୋଇଛି।