ଆଇଏସଏଲ୍‌: ଓଡ଼ିଶା-ମୁମ୍ବାଇ ମୁକାବିଲା ଆଜି

ଭୁବନେଶ୍ବର: ଚଳିତ ଆଇଏସଏଲ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଭୁବନେଶ୍ବର ଦଳ ଓଡ଼ିଶା ଏଫସି ନିଜ ଚତୁର୍ଥ ମ୍ୟାଚ୍‌ରେ ରବିବାର ଭେଟିବ ମୁମ୍ବାଇ ସିଟିକୁ। ୩ ମ୍ୟାଚ୍‌ ସୁଦ୍ଧା ବିଜୟଶୂନ୍ୟ ରହିଥିବା ଓଡ଼ିଶା ଏଫସି ମାତ୍ର ଗୋଟିଏ ପଏଣ୍ଟ୍ ପାଇଛି। ଅନ୍ୟପକ୍ଷରେ ମୁମ୍ବାଇ ସିଟି କିନ୍ତୁ ୩ ମ୍ୟାଚ୍‌ରୁ ୨ ବିଜୟ ସହ ୬ ପଏଣ୍ଟ୍‌ ପାଇ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ରହିଛି। ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କିନ୍ତୁ ଓଡ଼ିଶା ଏଫସି ବିଜୟ ଆଭିମୁଖ୍ୟ ନେଇ ଖେଳିବ ବୋଲି ଆତ୍ମବିଶ୍ବାସରେ ରହିଛି।

ଗତବର୍ଷ ଓଡ଼ିଶା ଏଫସି ନିଜ ଉଭୟ ଘର ଓ ବାହାର ମ୍ୟାଚ୍‌ରେ ମୁମ୍ବାଇ ସିଟିକୁ ପରାସ୍ତ କରିଥିବାରୁ ଏହି ଧାରାକୁ ଆଗକୁ ନେବାକୁ ଆଶାୟୀ ରହିଛି। ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍‌ କିନ୍ତୁ କହିଛନ୍ତି ‘ଅତୀତ ପ୍ରଦର୍ଶନର କୌଣସି ପ୍ରଭାବ ଏହି ମ୍ୟାଚ୍‌ରେ ରହିବ ନାହିଁ। ଓଡ଼ିଶା ଖେଳାଳିମାନେ ରବିବାର ମ୍ୟାଚ୍‌କୁ ଓହ୍ଲାଇବା ବେଳେ ନିଶ୍ଚିତ ନିଜ ଚରିତ୍ରର ପ୍ରଦର୍ଶନ କରିବେ’। ମ୍ୟାଚ୍‌ ପୂର୍ବଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବ୍ରିଟିଶ୍ ପ୍ରଶିକ୍ଷକ କହିଥିଲେ, ‘ଗତବର୍ଷ କ’ଣ ଘଟିଥିଲା ତା’ର ଏବେ କିଛି ପ୍ରାସଙ୍ଗିକତା ନାହିଁ। ଏବେ ଭିନ୍ନ ପ୍ରଶିକ୍ଷକ, ଭିନ୍ନ ଦଳ, ଭିନ୍ନ ଖେଳାଳିଙ୍କୁ ନେଇ ମୁକାବିଲା ହେବାକୁ ଯାଉଛି। ଏକ ଭଲ ମ୍ୟାଚ୍‌ ହେବ ବୋଲି ଆଶା ରଖିଛୁ। ପ୍ରଥମ ୩ ମ୍ୟାଚ୍‌ରେ ଦଳର ପ୍ରଦର୍ଶନକୁ ନେଇ ବକ୍ସଟର୍‌ ଖୁସି ନଥିବା ପ୍ରକାଶ କରିଥିଲେ। ମ୍ୟାଚ୍‌ର ଶେଷ ତୃତୀୟାଂଶ ‌ଖୋଲା ଖେଳ ହୁଏ। ଫିନିସିଂ ଏବଂ ସମନ୍ବୟର ଆବଶ୍ୟକତା ରଖିଥାଏ। ଆମର ବଲ୍‌ ନିୟନ୍ତ୍ରଣ ‌ଶ୍ରେଷ୍ଠ ମାନର ରହିନାହିଁ। ବକ୍ସ ଅଞ୍ଚଳରେ ଆମ ଉପସ୍ଥିତି ସେତେଟା ଭଲ ରହିନାହିଁ। ବଲ୍‌ ନିୟନ୍ତ୍ରଣରେ ଉନ୍ନତି ଆସିଥିବାରୁ ଫରୱାର୍ଡ ପୋଜିସନ୍‌ରେ ଅଧିକ ଖେଳାଳିଙ୍କୁ ପାଇବା ସହ ଗୋଲ ରୂପାନ୍ତର କରିବାକୁ ପ୍ରୟାସ ହେବ ବୋଲି ବକ୍ସଟର୍ ପ୍ରକାଶ କରିଥିଲେ। ମୋହନ ବାଗାନ୍‌ ବିପକ୍ଷ ଗତ ମ୍ୟାଚ୍‌ରେ ଓଡ଼ିଶା ଏଫସି ୯୪ ମିନିଟ୍‌ ଗୋଲଶୂନ୍ୟ ରଖିଥିଲେ ମଧ୍ୟ ଶେଷ କ୍ଷଣରେ ଗୋଲ୍ ବରଣ କରି ହାରିଯାଇଥିଲା। ‘ସାମାନ୍ୟ ଭାଗ୍ୟର ଆବଶ୍ୟକତା ଥିଲା। ଆମେ ଢେର ଭଲ ଖେଳିଥିଲୁ, କିନ୍ତୁ ଭଲ ଫଳାଫଳ ପାଇଲୁ ନାହିଁ’ ବୋଲି ବକ୍ସଟର୍ ପ୍ରକାଶ କରିଥିଲେ। ମୁମ୍ବାଇ ସିଟି ସମ୍ପର୍କରେ ବକ୍ସଟର୍ କହିଥିଲେ, ‘ସେମାନେ ଖୋଲା ଖେଳ ଖେଳନ୍ତି ଓ ବଡ଼ ପ୍ରଭାବ ପକାଇଥାନ୍ତି। ଦଳରେ ମଧ୍ୟ କିଛି ପ୍ରଭାବୀ ଖେଳାଳି ରହିଛନ୍ତି। ଆମେ ସେମାନଙ୍କୁ ବ୍ୟାକ୍‌ ଫୁଟ୍‌ରେ ରଖିବା ସ୍ଥିତି ଆଣିବୁ’। ରବିବାର ଆଇଏସଏଲ୍‌ରେ ଡବଲ୍‌ ହେଡର୍‌ ରହିଛି। ଭାରତୀୟ ସମୟ ସଂଧ୍ୟା ୫.୦୦ରେ ଓଡ଼ିଶା ଏଫସି-ମୁମ୍ବାଇ ସିଟି ଏଫସି ମୁକାବିଲା ହେବା ପରେ ରାତି ମ୍ୟାଚ୍‌ (୭.୩୦)ରେ ଗୋଆ ଏଫସି-କେରଳ ବ୍ଲାଷ୍ଟର୍ସ ଏଫସି ମୁହାଁମୁହିଁ ହେବେ।

ନର୍ଥଇଷ୍ଟଠୁ ହାରିଲା ଇଷ୍ଟ ବେଙ୍ଗଲ୍‌
ଶନିବାର ମ୍ୟାଚ୍‌ରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ୨-୧ ଗୋଲ୍‌ରେ ଏସସି ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଏହି ବିଜୟ ସହ ନର୍ଥଇଷ୍ଟ୍ ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲ୍‌ର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମୋହନ ବାଗାନ୍‌ ୯ ପଏଣ୍ଟ ସହ ଶୀର୍ଷରେ ରହିଛି। ଇଷ୍ଟବେଙ୍ଗଲ୍ ଶେଷ ସ୍ଥାନରେ ସଂଘର୍ଷ କରୁଛି। ଶନିବାର ଏସ୍ ଚାନ୍ଦମଙ୍କ ଆତ୍ମଘାତୀ (୩୩ତମ ମିନିଟ) ଗୋଲ କାରଣରୁ ନର୍ଥଇଷ୍ଟ୍ ଆଗୁଆ ହୋଇଥିଲା। ୯୦ତମ ମିନିଟରେ ରାଛାରାଜେଲା ଦ୍ବିତୀୟ ଗୋଲ୍ ସହ ନର୍ଥଇଷ୍ଟକୁ ସହଜ ବିଜୟ ଦେଇଥିଲେ।

ସମ୍ବନ୍ଧିତ ଖବର