ଭୁବନେଶ୍ବର: ଫର୍ମରେ ଥିବା ଦୁଇ ଦଳ ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଙ୍ଗଳବାର ଭାସ୍କୋସ୍ଥିତ ତିଲକ ମୈଦାନରେ ଚଳିତ ଆଇଏସ୍‌ଏଲ୍‌ର ୨୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଗତ ଋତୁରେ ପଏଣ୍ଟ୍‌ ଟେବୁଲର ଶେଷ ସ୍ଥାନରେ ଥିବା ଓଡ଼ିଶା ଚଳିତ ସଂସ୍କରଣରେ ଚମତ୍କାର ଆରମ୍ଭ କରିଛି। ଏହି ଦଳ ୪ ମ୍ୟାଚ୍‌ ଖେଳି ୩ ବିଜୟ ଓ ୧ ପରାଜୟରୁ ମୋଟ ୯ ପଏଣ୍ଟ ପାଇ ମୁମ୍ବାଇ ସିଟି (୧୨ ପଏଣ୍ଟ୍‌) ତଳକୁ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ସ୍ପେନ୍‌ର କିକୋ ରାମିରେଜଙ୍କ ପ୍ରଶିକ୍ଷିତ ଏହି ଦଳ ‌ଗତ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ହରାଇ ଜାମସେଦପୁର ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମନୋବଳକୁ ବଢ଼ାଇଛି। ଦଳରେ ଥିବା ନୂଆ ବିଦେଶୀ ଖେଳାଳି ହେକ୍ଟର ରୋଡାସ, ଭିକ୍ଟର ମୋଙ୍ଗିଲ, ଜାଭି ହର୍ଣ୍ଣାଡେଜ, ଆରିଦାଇ ସୁଆରେଜ ଓ ‌‌‌‌ୟୋନାଥାସଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଏମାନେ ଦଳର ୧୧ ଗୋଲ୍‌ ମଧ୍ୟରୁ ୯ଟି ଦେଇଛନ୍ତି।

Advertisment

‘‘ଆମ ଖେଳାଳିମାନେ ଅଗାମୀ ମ୍ୟାଚ୍‌ରେ ନିଜର ୧୦୦ ପ୍ରତିଶତ ଦେବାକୁ ବଦ୍ଧ ପରିକର ଅଛନ୍ତି। ଖେଳାଳିମାନେ ମ୍ୟାଚ୍‌ର ଶେଷ ମିନିଟ୍‌ ପର୍ଯ୍ୟନ୍ତ ପୂରା ଲୟରେ ରହିବା ହେଉଛି ଗୁରୁତ୍ବପୂର୍ଣ୍ଣ। ତେଣୁ ଆମେ ଏହା ଉପରେ ଅଧିକ କାମ କରୁଛୁ। ଜାମସେଦପୁର ପ୍ରଶିକ୍ଷକ ୱେନ୍‌ କୋଲେ ଭଲ କାମ କରୁଛନ୍ତି। ତାଙ୍କ ଦଳ ଚଳିତ ଋତୁର ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ରହିଛି। ପଡ଼ିଆରେ କ’ଣ ଘଟିବ ତାହା ଉପରେ ସେମାନଙ୍କର ଜ୍ଞାନ ରହିଛି। ଆମେ ଏହି ଦଳକୁ ହାଲ୍‌କା ନେବୁନି। ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଆମର ଯୋଜନା ପରିବର୍ତ୍ତନ କରିବୁ’’ ବୋଲି ମ୍ୟାଚ୍‌ ପୂର୍ବ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ୫୬ ବର୍ଷୀୟ ରାମିରେଜ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଜାମସେଦପୁର ନିଜର ଶେଷ ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସିଠୁ ୨-୪ ଗୋଲ୍‌ରେ ପରାଜୟ ବରଣ କରିଥିଲା। ହେଲେ ଏହି ମ୍ୟାଚ୍‌ରେ ଦଳ ପ୍ରଥମ ୨୪ ମିନିଟ୍‌ରେ ୦-୩ରେ ପଛୁଆ ଥିଲା। ‌‌ହେଲେ ଦ୍ବିତୀୟାର୍ଦ୍ଧରେ ଦଳ ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୨-୩ କରିଥିଲା। ସଂପ୍ରତି ଜାମସେଦପୁର ୫ ମ୍ୟାଚ୍‌ ଖେଳି ୨ ଲେଖାଏଁ ବିଜୟ ଓ ଅମୀମାଂସିତ ଏବଂ ଗୋଟିଏ ପରାଜୟରୁ ୮ ପଏଣ୍ଟ୍‌ ପାଇ ‌ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ‘‘ଗତ ମ୍ୟାଚ୍‌ ପରାଜୟ ଆମ ପାଇଁ କ‌ଷ୍ଟକର ଥିଲା। ଏହି ଭୁଲ୍‌କୁ ଓଡ଼ିଶା ବିପକ୍ଷରେ ସୁଧାରି ପୂରା ୩ ପଏଣ୍ଟ୍‌ କରାୟତ୍ତ କରିବା ଲକ୍ଷ୍ୟରେ ରହିଛୁ। ଗତ ମ୍ୟାଚ୍‌ରେ କରିଥିବା କିଛି ବ୍ୟକ୍ତିଗତ ଭୁଲ୍‌କୁ ଏଥିରେ ସୁଧାରିବାକୁ ପଡ଼ିବ। ଯଦି ଏହା କରିପାରିବୁ ତେବେ ଆମ ପାଇଁ ବିଜୟ ସୁଯୋଗ ରହିବ। ଓଡ଼ିଶା ଦଳ ଭଲ ‌ଖେଳାଳିଙ୍କୁ ଚଳିତ ଋତୁରେ ନେଇଛି ଏବଂ ସେମାନେ ଚମତ୍କାର ଖେଳୁଛନ୍ତି ମଧ୍ୟ। ତେଣୁ ତା ଉପରେ ଆମେ ନଜର ରଖିବୁ’’ ବୋଲି ଜାମସେଦପୁରର ମୁଖ୍ୟ ପ୍ରଶିକ୍ଷକ କୋଲେ କହିଛନ୍ତି।