ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ୍ ପରେ ପେସାଦାର ଫୁଟବଲ୍ ଲିଗ୍ ଆଇଏସ୍ଏଲ୍ ଓଡ଼ିଶାରେ ପଦାର୍ପଣ କରିବାକୁ ଯାଉଛି। ୧୭ ବର୍ଷରୁ କମ୍ ବିଶ୍ୱକପ୍ ଆୟୋଜନ ପରେ ଭାରତୀୟ ଫୁଟବଲ୍ରେ ନୂଆ ମୋଡ଼ ଆସିଥିଲା ବେଳେ ଆଇଏସଏଲ୍ ଓଡ଼ିଶା ଫୁଟ୍ବଲ୍ରେ ସେହି ଧାରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। କନିଷ୍ଠରେ ଭଲ କରୁଥିବା ଓଡ଼ିଶା ଖେଳାଳିମାନେ ବରିଷ୍ଠ ସ୍ତରରେ ସେହି ସଫଳତା ଦୋହରାଇବା ଲାଗି ଏହି ପ୍ରତିଯୋଗିତାକୁ ପ୍ରେରଣା ଭାବ ନେଇ ପାଇବେ। ଆଇଏସ୍ଏଲ୍ ରାଜ୍ୟ ଫୁଟବଲ୍ରେ ସକ୍ରୀୟ ଥିବା ଏବଂ ଏହି କ୍ଷେତ୍ରକୁ ଆସିବାକୁ ଇଚ୍ଛୁକ ଯୁବ ପ୍ରତିଭାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବାର ବି ଯଥେଷ୍ଟ ସମ୍ଭାବନା ରହିଛି। କହିବାକୁ ଗଲେ ଓଡ଼ିଶାରେ ଆଇଏସ୍ଏଲ୍ ଆୟୋଜନ ସାଂପ୍ରତିକ ପରିସ୍ଥିତିରେ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଭାରତର ବିଭିନ୍ନ ଷ୍ଟାଡିୟମରେ ଇଣ୍ଡିଆନ୍ ସୁପରଲିଗ୍ ବା ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ଦଶଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଦିଲ୍ଲୀ ଡାଇନାମସ୍, ଗୋଆ, କେରଳ ବ୍ଳାଷ୍ଟର୍ସ, ମୁମ୍ବାଇ ସିଟି, ନର୍ଥଇଷ୍ଟ ୟୁନାଇଟେଡ୍, ଏଟିକେ କୋଲକାତା, ଚେନ୍ନାଇଁ ଓ ପୁନେ ସିଟି ସହିତ ଜାମସେଦପୁର ଟାଟା ଷ୍ଟିଲ, ଏବଂ ଆଇ-ଲିଗ୍ର ଦୁଇ ଥର ବିଜେତା ବେଙ୍ଗାଲୁରୁ ଫୁଟବଲ୍ କ୍ଲବ୍ ବି ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ପ୍ରତିଯୋଗିତାର ନିୟମ ଅନୁସାରେ ପ୍ରତ୍ୟେକ ଦଳ ଘରୋଇ ଏବଂ ବିଦେଶ ଭିତ୍ତିରେ ୯ ଟି ଲେଖାଏଁ ମ୍ୟାଚ୍ ଖେଳିବାର ଅଛି। ଏବର୍ଷ ଜାମସେଦପୁର ଟାଟା ଷ୍ଟିଲ୍ ଦଳ କଳିଙ୍ଗ ଷ୍ଟାଡିୟମକୁ ତା’ର ଦ୍ୱିତୀୟ ଘରୋଇ ପଡ଼ିଆ ମନୋନୀତ କରିଛି। ଫେବ୍ରୁଆରି ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଫୁଟ୍ବଲ୍ କ୍ଲବ୍ ସହିତ ଟାଟା ଏକାଦଶ ମ୍ୟାଚ୍ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ମ୍ୟାଚ୍ ଖେଳାଯିବାର ସମ୍ଭାବନା ବି ରହିଛି। ତେବେ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇ ନାହିଁ। ଦୁଇଟି ଯାକ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଗଲେ କିନ୍ତୁ ରାଜ୍ୟ ଫୁଟ୍ବଲ୍ ପାଇଁ ଏହା ଏକ ସଫଳତା ହେବ। ଓଡ଼ିଶା ଖେଳାଳିମାନେ ନିଜ ପ୍ରିୟ ତାରକାଙ୍କୁ ପାଖରୁ ଦେଖିବାର ଦୁଇଟି ସୁଯୋଗ ପାଇବେ।
ବେଙ୍ଗାଲୁରୁ ଫୁଟ୍ବଲ୍ କ୍ଲବରେ ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ତାରକା ଖେଳାଳି ଗୁରପ୍ରୀତ ସିଂହ ସାନ୍ଧୁ, ମିକୁ ଉଦାନ୍ତ ସିଂହଙ୍କ ଭଳି ଖେଳାଳି ଅଛନ୍ତି। ସେହିଭଳି ଟାଟା ଦଳରେ ସୁବ୍ରତ ପଲ୍, ମେହତାବ ହୋସେନ, ମେମୋ ଓ ଜେରିଙ୍କ ଭଳି ସୁନାମଧନ୍ୟ ବିଦେଶୀ ଏବଂ ଭାରତୀୟ ଖେଳାଳି ରହିଛନ୍ତି। ଏଣୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି। ଆଇଏସ୍ଏଲ୍ ପାଇଁ ଭାରତରେ ଫୁଟ୍ବଲ୍ର ବିକାଶ ହୋଇଛି। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ବିଦେଶୀ ପ୍ରଶିକ୍ଷକ ଏବଂ ବିଦେଶୀ ଖେଳାଳି ପାଶ୍ଚାତ୍ୟ ଦେଶର ଫୁଟ୍ବଲ୍ ରଣକୌଶଳକୁ ଭାରତକୁ ଆଣିଛନ୍ତି। ଏହା ଦ୍ୱାରା ଭାରତୀୟ ଖେଳାଳିମାନେ ମଧ୍ୟ ଉପକୃତ ହେଉଛନ୍ତି। ଯାହା ସେମାନଙ୍କ ଖେଳରେ ପ୍ରତିଫଳିତ ହେଉଛି। ସେଥିପାଇଁ ଭାରତୀୟ ଫୁଟ୍ବଲ୍ ଦଳର ଫିଫା ମାନ୍ୟତା ୧୦୫ରେ ପହଞ୍ଚି ଗଲାଣି। ଆଇଏସ୍ଏଲ୍ ସହ ଦେଶର ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, କ୍ରିକେଟ୍ ତାରକା, ବଲିଉଡ୍ ଅଭିନେତା ଜଡ଼ିତ ହେବା ଆଉ ଏକ ସୁଖବର।
ଏହା ସ୍ୱାଗତଯୋଗ୍ୟ ମଧ୍ୟ। ଓଡ଼ିଶାର କ୍ରୀଡ଼ା ନିର୍ଦେଶାଳୟ ଏବଂ ଟାଟା ଷ୍ଟିଲର ମିଳିତ ପ୍ରୟାସରେ ଆଇଏସ୍ଏଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବାରୁ ରାଜ୍ୟ ଫୁଟ୍ବଲ୍ ପ୍ରେମୀ ଏଥିନେଇ ବେଶ୍ ଉତ୍ସାହିତ ଅଛନ୍ତି। ଗତବର୍ଷ ଆଇଏସ୍ଏଲ୍ ଦର୍ଶକ ସଂଖ୍ୟା ସାରା ବିଶ୍ୱର ଫୁଟ୍ବଲ୍ ଲିଗ୍ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଥିଲା। ପ୍ରଥମ ସ୍ଥାନରେ ସ୍ପାନିସ୍ ଲିଗ୍, ଦ୍ୱିତୀୟ ସ୍ଥାନରେ ଇଂଲିସ୍ ପ୍ରିମିୟର ଲିଗ୍ ଏବଂ ତୃତୀୟରେ ଇଟାଲିଆନ୍ ଲିଗ୍ ରହିଥିଲା। ଆଇଏସ୍ଏଲ୍ର ଦର୍ଶକ ସଂଖ୍ୟ ଏବର୍ଷ ଆହୁରି ବଢ଼ିବାର ସମ୍ଭବାନା ରହିଛି। ଏହି କ୍ଷେତ୍ରରେ ଓଡ଼ିଶା ମଧ୍ୟ ଭାଗୀଦାରି ହୋଇ ପାରିବ। କଳିଙ୍ଗ ଷ୍ଟାଡିୟମରେ ଫୁଟ୍ବଲ୍ ଜଗତର ବହୁ ଖ୍ୟାତନାମା ତାରକା ଖେଳିବାର ଥିବାରୁ ଓଡ଼ିଶାବାସୀ ସେମାନଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇବେ। ଏହାର ପ୍ରଚାର ଓ ପ୍ରସାର ସରକାରୀ ଏବଂ ବେସରକାରୀ ସ୍ତରରେ ଏବେଠାରୁ ହେବା ଦରକାର। କଳିଙ୍ଗ ଷ୍ଟାଡିୟମରେ ଆଇଏସ୍ଏଲ୍କୁ ପର୍ଯ୍ୟାପ୍ତ ଭଲ ପାଇବା ମିଳିଲେ ଆସନ୍ତାବର୍ଷ ଏଠାରେ ଅଧିକ ମ୍ୟାଚ୍ କରିବାକୁ ଆୟୋଜକମାନେ ଚିନ୍ତା କରିବେ। ଏହା ନିୟମିତ ଧାରାରେ ବି ପରିଣତ ହୋଇପାରେ।
-ପ୍ରଫୁଲ୍ଲ କୁମାର ମିଶ୍ର
ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି
ମୋ:୯୪୩୭୫୨୨୭୪୪