ଆଇଏସଏଲ୍, ୫୦୦ତମ ମ୍ୟାଚ୍‌ରେ ଜାମସେଦପୁର ବିଜୟୀ

ଗୋଆ: ଆଇଏସଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶୁକ୍ରବାର ୫୦୦ତମ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମାଇଲଖୁଣ୍ଟ‌ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଚଳିତ ଋତୁର ପ୍ରଥମ ପରାଜୟ ମୁହଁ ଦେଖିଥିଲା। ତିଲକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସି ୧-୦ ଗୋଲ୍‌ରେ ୬ ମ୍ୟାଚ୍‌ ଖେଳି ଅପରାଜେୟ ଥିବା ନର୍ଥଇଷ୍ଟକୁ ମାତ୍‌ ଦେଇଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ‌ ଭାବେ ଶେଷ ହୋଇଥିଲା ବେଳେ ଦ୍ବିତୀୟାର୍ଧରେ ଅଙ୍କିତ ଯାଦବ (୫୩ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଜାମସେଦପୁର ଆଗୁଆ ହୋଇଥିଲା। ଏହା ପରେ ନର୍ଥଇଷ୍ଟକୁ ଏକ ପେନାଲ୍ଟି ମିଳିଥିଲା। ହେଲେ ଏହାକୁ ଟିପି ରେହନେଶ ଅଟକାଇ ନର୍ଥଇଷ୍ଟର ଗୋଲ୍‌ ଆଶାକୁ ନିଷ୍ଫଳ କରିବା ସହ ଅପରାଜେୟ ଧାରାକୁ ଭାଙ୍ଗିଥିଲେ। ଜାମସେଦପୁର (୧୦ ପଏଣ୍ଟ) ୭ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇ ଟେବୁଲର ପଞ୍ଚମକୁ ଉଠିଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ ସମାନ ମ୍ୟାଚ୍‌ରୁ ସମାନ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଶନିବାର ଏଫ୍‌ସି ଗୋଆ ଓ ଚେନ୍ନାୟିନ୍‌ ଏଫ୍‌ସି ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର