ନୂଆଦିଲ୍ଲୀ: ଭାରତୀୟ ବିଶ୍ବକପ୍ ଦଳ ଲାଗି ଅଣଦେଖା ହୋଇ ଆସୁଥିବା‌ ଅମ୍ବାତି ରାୟୁଡୁଙ୍କୁ ଆଇସ୍‌ଲାଣ୍ଡ କ୍ରିକେଟ୍ ସେହି ଦେଶର ସ୍ଥାୟୀ ନାଗରିକତ୍ବ ଯାଚିଛି। ଅମ୍ବାତିଙ୍କ ପ୍ରସିଦ୍ଧ ‘ଥ୍ରୀ ଡି’ କଟାକ୍ଷକୁ ଉଲ୍ଲେଖ କରି ଆଇସ୍‌ଲାଣ୍ଡ କ୍ରିକେଟ୍ ତାଙ୍କୁ ନିଜ ଟ୍ବିଟର ପୃଷ୍ଠାରେ ଏହି ପ୍ରସ୍ତାବ ଦେଇଛି। ଏଥିରେ ଲେଖାଅଛି ଯେ ଆମ ପ୍ରସ୍ତାବକୁ ପଢ଼ିବା ଲାଗି ରାୟୁଡୁଙ୍କୁ ଥ୍ରୀ ଡି ଚଷମାର ଦରକାର ହେବ ନାହିଁ। ସାଧାରଣ ଚଷମାରେ ସେ କାମ ଚଳାଇ ପାରିବେ। ଅମ୍ବାତି ତୁମେ ଆମ ସହ ଯୋଗ ଦିଅ। ସୂଚନାଯୋଗ୍ୟ ଯେ ବିଜୟ ଶଙ୍କରଙ୍କୁ ତାଙ୍କ ତ୍ରିମୁଖୀ ପ୍ରତିଭା ଯଥା ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ପାଇଁ ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ମିଳିଥିବା ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ କହିବା ପରେ ଅମ୍ବାତି ତାଙ୍କୁ ଟ୍ବିଟ୍ କରି ତାଚ୍ଛଲ୍ୟ କରିଥିଲେ। ବିଶ୍ବକପ୍ ମୁଁ ଏବେ ଥ୍ରୀ ଡି’ ଚଷମାରେ ଦେଖିବି ବୋଲି ସେ ‌ଲେଖିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ ସତ୍ତ୍ବେ ରାୟୁଡୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସ୍ଥାନ ପାଇ ନଥିଲେ। ଋଷବ ପନ୍ତଙ୍କ ସହ ତାଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଥିଲା।
ତେବେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବାଦ୍ ପଡ଼ିବା ପରେ ଚୟନକର୍ତା ରାୟୁଡୁଙ୍କୁ ବିଚାରକୁ ନନେଇ ପନ୍ତଙ୍କୁ ସୁଯୋଗ ଦେଇଥିଲେ। ସେହିଭଳି ଶଙ୍କର ବାଦ୍ ପଡ଼ିବା ପରେ ମୟଙ୍କ ଅଗ୍ରୱାଲଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ନେଇଥିଲେ। ସେଥିପାଇଁ ଭାରତ ଛାଡ଼ି ଆଇସ୍‌ଲାଣ୍ଡ ଚାଲି ଆସିବାକୁ ସେଠାକାର କ୍ରିକେଟ୍ ବୋର୍ଡ ତାଙ୍କୁ ଆହ୍ବାନ କରିଛି।