କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀଙ୍କ ବୟସ ସୀମା ପ୍ରସଙ୍ଗ : ଉଚ୍ଛେଦ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ହକି ତାରକାଙ୍କ ଆହ୍ବାନ

୧୮ ବର୍ଷ ପରେ ଖେଳାଳି ଯି‌େବ‌ କୁଆଡ଼େ?

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କ୍ରୀଡ଼ାଛାତ୍ରାବାସ ପୁନର୍ଗଠନ ପ୍ରକ୍ରିୟାକୁ ରାଜ୍ୟର ଅନ୍ତର୍ଜାତୀୟ ହକି ତାରକାମାନେ ସଂପୂର୍ଣ୍ଣ ଭାବେ ଗ୍ରହଣ କରିପାରୁନାହାନ୍ତି। ବିଶେଷ କରି ଛାତ୍ରାବାସ ଅନ୍ତେବାସୀଙ୍କ ବୟସ ସୀମା ୧୮ ବର୍ଷରେ ସୀମିତ ରଖିବା ଲାଗି ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେମାନେ ତାକୁ ତୀବ୍ର ବିରୋଧ କରିଛନ୍ତି। ପୂର୍ବରୁ ଏଥିନେଇ ଅମିତ ରୋହି ଦାସ, ଦୀପସାନ ତିର୍କି, ଭିକ୍ଟର ଷ୍ଟାନ୍‌ଲି ମିଞ୍ଜ୍‌, ପୁନମ ଟପ୍ପୋ ଓ ସରିତା ଲାକ୍ରାଙ୍କ ଭଳି ଖେଳାଳି ସ୍ବର ଉତ୍ତୋଳନ କରିଥିଲେ। ଏବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କିଙ୍କ ସହ ଅଲିମ୍ପିଆନ୍ ୱିଲିୟମ ଖାଲକୋ ଏବଂ ଅନ୍ତର୍ଜାତୀୟ ଖେଳାଳି ରୋଶନ ମିଞ୍ଜ୍ ଏହି ପ୍ରସ୍ତାବିତ ନିୟମକୁ ସମାଲୋଚନା କରିଛନ୍ତି। ଏଭଳି ନିୟମ ଲାଗୁ କରାଗଲେ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳିମାନେ ଯିବେ କୁଆଡ଼େ? ସେମାନଙ୍କ ଭବିଷ୍ୟତ କ’ଣ ହେବ? ରାଜ୍ୟ ଦଳ ପାଇଁ ଖେଳାଳି କେଉଁଠାରୁ ଆସିବେ, ଏଭଳି ଅନେକ ମୂଲ୍ୟବାନ ପ୍ରଶ୍ନ ସେମାନେ କରିଛନ୍ତି। କେତେକ ସ୍ଥାନରୁ ବରିଷ୍ଠ ବର୍ଗ କ୍ରୀଡ଼ା ଛାତ୍ରାବାସକୁ ଉଠାଇ ନେବାକୁ ଯେଉଁ ଯୋଜନା କରାଯାଉଛି, ସେଥିନେଇ ସେମାନେ ଦ୍ବନ୍ଦ୍ବ, ସଂଶୟ, ଆଶଙ୍କା ଓ ଅସନ୍ତୋଷ ଜାହିର କରିଛନ୍ତି। ବିକଳ୍ପ ବ୍ୟବସ୍ଥା ନ କରି କିମ୍ବା ବିକଳ୍ପ ବ୍ୟବସ୍ଥା ନେଇ ବିସ୍ତୃତ ବିବରଣୀ ନଦେଇ, ଏଭଳି ଏକ ବିବାଦୀୟ ନିୟମ ଲାଗୁ ନ କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିଭଳି ପାନପୋଷ କ୍ରୀଡ଼ା ଛାତ୍ରାବାସରେ କେବଳ ବାଳକ ଏବଂ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ କେବଳ ବାଳିକା ହକି ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ପ୍ରସ୍ତାବ, ପରୋକ୍ଷରେ ବାଳିକା ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ସେମାନେ ଆଶଙ୍କା ଜାହିର କରିଛନ୍ତି।

ଏହି ପ୍ରସଙ୍ଗରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ପ୍ରବୋଧ କହିଛନ୍ତି ଯେ ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳିଙ୍କୁ ଯଦି କ୍ରୀଡ଼ା ଛାତ୍ରାବାସରୁ ବାହାର କରିଦିଆଯାଏ, ତାହାଲେ ସେମାନେ ଯିବେ କୁଆଡ଼େ? ଏକ୍ସିଲେନ୍ସି ସେଣ୍ଟରରେ କ’ଣ ସବୁ ଓଡ଼ିଶା ଖେଳାଳିଙ୍କୁ ସୁଯୋଗ ମିଳିବ। ସେଠି ଆମର କେତେ ପିଲା ‌ରହିପା‌ରିବେ? ୨ ଜଣ ପାଇଲେ ୧୪ ଜଣ ବାହାରେ ରହିବେ। ଫଳରେ ଅନ୍ୟ କିଛି ଉପାୟ ନପାଇ ସେମାନେ ଖେଳ ଛାଡ଼ିବାକୁ ବାଧ୍ୟ ହେବେ। ଜଣେ ପୂର୍ବତନ ଖେଳାଳି ଭାବେ ମୁଁ ଜୋର ଦେଇ କହିପାରିବି ଯେ ଏହି ବ୍ୟବସ୍ଥା ଲାଗୁ ହେଲେ ବହୁ ଖେଳଳିଙ୍କୁ ଜୀବନ ନଷ୍ଟ ହୋଇଯିବ। କାରଣ ୧୮ ବର୍ଷ ପରେ ହିଁ ଅଧିକାଂଶ ପିଲାମାନେ ନିଜ ଖେଳରେ ଉନ୍ନତି ଆଣନ୍ତି। ଏହା ସେମାନଙ୍କର ପିକ୍ ସମୟ। ଏଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ବିକଳ୍ପ ବ୍ୟବସ୍ଥା ନକରି ଏଭଳି ନିୟମକୁ ଲାଗୁ କରନ୍ତୁ ନାହିଁ। କିଛି ବି ଉଚ୍ଛେଦ କରିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରନ୍ତୁ, ଏହାର ସୂଚନା ମଧ୍ୟ ଦିଅନ୍ତୁ। କାରଣ ଏବେ ଖେଳାଳିଙ୍କ ମନରେ ଭୟ ଓ ସଂଶୟ ସୃଷ୍ଟି ହୋଇଗଲାଣି। ଭବିଷ୍ୟତ ବିଷୟରେ ଚିନ୍ତା କରାନଯାଇ ଏଭଳି କରାଗଲେ ବାହାର ରାଜ୍ୟ ଖେଳାଳି ଅଧିକ ଲାଭବାନ ହେବେ।

ପ୍ରବୋଧଙ୍କ ସହ ଏକମତ ହୋଇଛନ୍ତି ଏଥେନ୍ସ ଅଲିମ୍ପିକ୍ସ ଖେଳିଥିବା ୱିଲିୟମ ଖାଲକୋ। ସେ କହିଛନ୍ତି ବରିଷ୍ଠ ବର୍ଗରେ ହକି ଗାଙ୍ଗପୁର ହେଉକି ହକି ଓଡ଼ିଶା ଗତ କିଛି ବର୍ଷ ହେବ ଭଲ କରୁଛନ୍ତି। ଏସବୁ ପିଲା କନିଷ୍ଠ ବର୍ଗରୁ ହିଁ ଯାଉଛନ୍ତି। କ୍ରୀଡ଼ା ଛାତ୍ରବାସ ଅନ୍ତେବାସୀଙ୍କ ବୟସ ୧୮ରେ ସୀମିତ ରଖିଲେ, ଆମକୁ ଏଥିଲାଗି ପିଲା ମିଳିବେ କୋଉଠୁ? ହକି ପାଇଁ ଏହି ନିୟମ ଏକ ଶକ୍ତ ଧକ୍କା ହେବ। ଆମର ଯେତିକି ବି ଅନ୍ତର୍ଜାତୀୟ ଖେଳାଳି ଆସିଛନ୍ତି, ସମସ୍ତେ ୧୮ ବର୍ଷରୁ ଅଧିକ ବର୍ଷରେ ଆସିଛନ୍ତି। ଏହା ପୂର୍ବରୁ ଯଦି ଖେଳାଳିଙ୍କୁ ବାହାର କରିଦିଆଯାଏ, ତାହାଲେ ଅନ୍ତର୍ଜାତୀୟ ହକି ଖେଳାଳି କିଭଳି ସୃଷ୍ଟି ହେବେ? ତା’ ଛଡ଼ା କ୍ରୀଡ଼ା ଛାତାବ୍ରାସର କ୍ଷମତା କମାଇବା ନିଷ୍ପତ୍ତିକୁ ବି ଆମେ ସମର୍ଥନ କରୁନୁ। ଯଦି ୧୮ ବର୍ଷ ପରେ ପିଲାମାନେ ବିଭିନ୍ନ କଂପାନି ସମର୍ଥିତ ଏକ୍ସଲେନ୍ସି ସେଣ୍ଟରକୁ ଯିବେ, ତେବେ ଓଡ଼ିଶା ପାଇଁ ପିଲା କେଉଁଠା‌ରୁ ମିଳିବେ। ଏଣୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି।

ଓଡ଼ିଶାର ଅନ୍ତର୍ଜାତୀୟ ହକି ତାରକା ରୋଶନ ମିଞ୍ଜ୍ କହିଛନ୍ତି ଯେ କେବଳ ହକି ନୁହେଁ, ଏହି ନିୟମ ଯେ କୌଣସି ଖେଳର କ୍ରୀଡ଼ା ଛାତାବାସରେ ଲାଗୁ କରିବାକୁ ମୁଁ ବ୍ୟକ୍ତିଗତ ଭାବେ ବିରୋଧ କରିବି। ଏହା ହେଲେ ବହୁ ଖେଳାଳିଙ୍କ ଖେଳ ଜୀବନ ଅକାଳରେ ଶେଷ ହୋଇଯିବ। ଆମେ ସମସ୍ତେ କ୍ରୀଡ଼ା ଛାତ୍ରାବାସରୁ ବାହାରିଛୁ। ମୋ ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ କହିପାରିବି ଯେ ୧୮ ବର୍ଷ ପରେ ହିଁ ଜଣେ ଖେଳାଳିର ଏକାଗ୍ରତା ବଢ଼ିଥାଏ। ଏହା ନିର୍ଣ୍ଣାୟକ ସମୟ ହୋଇଥାଏ। ଏହି ସମୟରେ ତାକୁ ସନ୍ତୁଳିତ ଡାଏଟ୍, ଉନ୍ନତ ଉପକରଣ ଓ ବିଜ୍ଞାନସମ୍ମତ ପ୍ରଶିକ୍ଷଣ ବ୍ୟବସ୍ଥାର ଅଧିକ ଆବଶ୍ୟକତା ଥାଏ। ଠିକ୍ ଏତିକି ବେଳେ ତାକୁ ଯଦି ଉନ୍ନତ କ୍ରୀଡ଼ା ପରିବେଶ ଓ ସମର୍ଥନ ନମିଳେ, ସେ ହୁଏତ ବାଟବଣା ହୋଇଯିବ। ରୋଶନ ମଧ୍ୟ ପୋନପୋଷ କ୍ରୀଡ଼ା ଛାତ୍ରାବାସରେ କେବଳ ବାଳକ ଏବଂ ସୁନ୍ଦରଗଡ଼ ଛାତ୍ରାବାସରେ କେବଳ ବାଳିକା ହକି ଖେଳାଳିଙ୍କୁ ରଖିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି। ପାନପୋଷ କ୍ରୀଡ଼ା ଛାତ୍ରାବାସର ଖେଳାଳିମାନେ ଯେତେବେଳେ ବାହାରେ ଯାଇ ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ଖେଳିଆସନ୍ତି ବାଳିକା ଖେଳାଳିମାନେ ସେମାନଙ୍କ ଖେଳ ଦେଖି ଅନେକ କିଛି ଶିଖନ୍ତି। ସେହିଭଳି ଅନେକ ସମୟରେ ଖେଳାଳିଙ୍କ କଳା କୌଶଳକୁ ବଢ଼ାଇବା ଲାଗି ମିଶ୍ରିତ ହକି ମ୍ୟାଚ୍ ଖେଳା ଯାଇଥାଏ। ତା’ ଛଡ଼ା ସୁନ୍ଦରଗଡ଼ରେ ପାନ ପୋଷ ଭଳି ଭିତ୍ତିଭୂମି ନାହିଁ। ଏଣୁ ବାଳିକା ଖେଳାଳିମାନେ ଏଥିନେଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି କହିଛନ୍ତି ରୋଶନ। ଆଗାମୀ ସମୟରେ ରାଜ୍ୟର ସମସ୍ତ ପୂର୍ବତନ ଓ ବର୍ତ୍ତମାନର ଅନ୍ତର୍ଜାତୀୟ ଖେଳାଳି ଏଥିନେଇ ରାଜ୍ୟ ସରକାରଙ୍କୁ ଲିଖିତ ପ୍ରତିବାଦ ଜଣାଇବୁ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର