ତୃତୀୟ ଟ୍ବେଣ୍ଟି-୨୦ରୁ ଶ୍ରୀଲଙ୍କାର ବାମହାତୀ ଦ୍ରୁତ ବୋଲର ଇଶୁରୁ ଉଡ଼ାନା ବାଦ୍

ଇନ୍ଦୋର : ଶ୍ରୀଲଙ୍କାର ବାମହାତୀ ଦ୍ରୁତ ବୋଲର ଇଶୁରୁ ଉଡାନା ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ଅଭ୍ୟାସ ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିବା କାରଣରୁ ସେ ପୁଣେରେ ହେବାକୁ ଥିବା ମ୍ୟାଚ୍‌ରେ ଭାଗ ନେବେନାହିଁ ବୋଲି ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର କହିଛନ୍ତି। ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କା ବୋଲିଂ କରିବା ପୂର୍ବରୁ ଅଭ୍ୟାସ ବେଳେ ଉଡ଼ାନା ଆହତ ହୋଇଥିଲେ। ବିଶ୍ରାମ କକ୍ଷରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ବୋଲିଂ ପାଇଁ ପଡ଼ିଆକୁ ଆସିପାରିନଥିଲେ। ଉଡ଼ାନାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ସମୀକ୍ଷା କରି ଆର୍ଥର ଅଧିକ ରିସ୍କ୍ ନନେଇ ତାଙ୍କୁ ଶେଷ ଟ୍ବେଣ୍ଟି-୨୦ରୁ ବାଦ୍ ଦେଇଛନ୍ତି। ତେବେ ଉଡ଼ାନା ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ବେଳକୁ ଦଳକୁ ଫେରିବାକୁ ଆର୍ଥର ଆଶା ରଖିଛନ୍ତି। ସୂଚନାଯୋଗ୍ୟ ଯେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌କୁ ଘରୋଇ ଭାରତ ୭ ଵିକେଟ୍‌ରେ ଜିତି ୧-୦ରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର