ସ୍ବାଧୀନ ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟକୁ ୭୨ ବର୍ଷ, ୱେମ୍ବଲି ଷ୍ଟାଡିୟମରେ ପୂର୍ବତନ ଶାସକକୁ ଦଳିଥିଲା ଭାରତ

ନୂଆଦିଲ୍ଲୀ: ସ୍ବର୍ଣ୍ଣିମ ସଫଳତାର ଚମକ କେବେ ବି ମଳିନ ପଡ଼ିନଥାଏ। ବରଂ ଏକ ସ୍ବତନ୍ତ୍ର ବିଜୟର ମିଠା ସ୍ବାଦ ଭବିଷ୍ୟତର ଅନେକ ପିଢ଼ିକୁ ପ୍ରେରିତ କରିଚାଲିଥାଏ। ଏହି ମାଇଲଖୁଣ୍ଟ ଦିବସକୁ ମନେ ପକାଇ ସେମାନେ ମଧ୍ୟ ସଫଳତାର ନୂଆ ସ୍ତର ଛୁଇଁବାକୁ ଚେଷ୍ଟିତ ହୁଅନ୍ତି। ଭାରତୀୟ କ୍ରୀଡ଼ା ଇତିହାସରେ ଅଗଷ୍ଟ ୧୨ ଏହି ଭଳି ଏକ ଦିବସ। କାରଣ ଆଜିକୁ ଠିକ୍ ୭୨ ବର୍ଷ ପୂର୍ବେ ସ୍ବାଧୀନ ଭାରତ ତା’ର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହି ସ୍ମରଣୀୟ ସ୍ବର୍ଣ୍ଣିମ ସଫଳତା ହକି ପଡ଼ିଆରୁ ହିଁ ଆସିଥିଲା। ଭାରତ ଅବଶ୍ୟ ଏହା ପୂର୍ବରୁ ୧୯୨୮, ୧୯୩୨ ଓ ୧୯୩୬ ମସିହାରେ ହ୍ୟାଟ୍ରିକ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲା। ତେବେ ଏସବୁ ସଫଳତା ଭାରତୀୟ ଦଳ ବ୍ରିଟିସ୍ ପତାକା ତଳେ ହାସଲ କରିଥିଲା। ତ୍ରିରଙ୍ଗା ତଳେ ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ସ୍ବାଧୀନତା ପ୍ରାପ୍ତିର ବର୍ଷକ ପରେ ଅର୍ଥାତ୍ ୧୯୪୮ ମସିହାରେ ମିଳିଥିଲା। କିଷନ ଲାଲଙ୍କ ଭଳି ମହାନ ଖେଳାଳିଙ୍କ ନେତୃତ୍ବ ସହ ଫାଇନାଲରେ ବଲବୀର ସିଂହ (ସିନିୟର)ଙ୍କ ଯାଦୁଗରୀ ପ୍ରଦର୍ଶନ ବଳରେ ଭାରତ ଏହି ସ୍ବର୍ଣ୍ଣ ପଦକ ଜିତି ନେଇଥିଲା।

ବଲବୀର ସିଂହ (ସିନିଅର) ଓ କିଷନ ଲାଲଙ୍କ ସହିତ ସେବର୍ଷର ଭାରତୀୟ ଦଳରେ କୁଅଁର ଦିଗବିଜୟ ସିଂହ ବାବୁ, କେଶବ ଦତ୍ତ, ଲେସଲି କ୍ଲାଉଡିଅସଙ୍କ ଭଳି ମହାନ ଖେଳାଳି ଥିଲେ। ସେହି ୨୦ ଜଣିଆ ଭାରତୀୟ ଦଳ ମଧ୍ୟରୁ କେବଳ ଦତ୍ତ ହିଁ ଏବେ ଜୀବିତ ଅଛନ୍ତି। ଚଳିତ ବର୍ଷ ମେ ୨୫ ତାରିଖରେ କିଂବଦନ୍ତି ହକି ତାରକା ବଲବୀର ସିଂହ (ସିନିଅର)ଙ୍କର ପରଲୋକ ହୋଇଯାଇଛି। ତେବେ ୧୯୪୮, ୧୯୫୨ ଓ ୧୯୫୬ ମସିହାର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟର ଯେଉଁ ଐତିହାସିକ ସଫଳତା ସେ ଛାଡ଼ି ଯାଇଛନ୍ତି, ତାହା ଏବେକାର ଯୁବ ଭାରତୀୟ ହକି ତାରକାଙ୍କ ପାଇଁ ଆଦର୍ଶ ଓ ଉଦାହରଣ ହୋଇଛି। ଅଲିମ୍ପିକ୍ସ ପଦକ ପୋଡିୟମରେ ଯେତେବେଳେ ତ୍ରିରଙ୍ଗା ଧୀରେଧୀରେ ଉପରକୁ ଉଠିଥିଲା ସବୁ ଭାରତୀୟଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିଲା। ଗ୍ରେଟ୍ ବ୍ରିଟେନ ବିପକ୍ଷ ଫାଇନାଲରେ ବଲବୀର ଏକୁଟିଆ ଦୁଇଟି ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ତାର୍ଲୋଚନ ସିଂହ ଓ ପାଟ୍ ଜାନସେନ୍ ଅନ୍ୟ ଦୁଇ ଗୋଲ୍ କରିଥିଲେ। ଭାରତ ୪-୦ରେ ଗ୍ରେଟ୍ ବ୍ରିଟେନକୁ ହରାଇ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା। ଉଭୟ ଦଳ ମଧ୍ୟ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏହା ମଧ୍ୟ ଭାରତର ଲଗାତାର ଚତୁର୍ଥ (୧୯୨୮, ୧୯୩୨, ୧୯୩୬ ଓ ୧୯୪୮) ଅଲିମ୍ପିକ୍ସ ସ୍ବର୍ଣ୍ଣ ଥିଲା। ଅଷ୍ଟ୍ରିୟା ବିପକ୍ଷରେ ୮-୦ ବିଜୟ ସହ ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଆର୍ଜେଣ୍ଟିନାକୁ ୯-୧ ଗୋଲ୍‌ରେ ହରାଇଥିଲା। ସେଥିମଧ୍ୟରୁ ବଲବୀର ସିଂହ (ସିନିଅର) ୬ ଗୋଲ୍ ଦେଇଥିଲେ। ସ୍ପେନ୍ ବିପକ୍ଷ ମୁକାବିଲାରେ ଭାରତ କିଛିଟା ପ୍ରତିରୋଧର ସମ୍ମୁଖୀନ ‌‌ହୋଇଥିଲା। ୨-୦ରେ ‌ସ୍ପେନ୍‌କୁ ପରାସ୍ତ କରିବା ପରେ ହଲାଣ୍ଡକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ଲଣ୍ଡନର ୱେମ୍ବଲି ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ଭାରତ ପାଇଁ ସ୍ବତନ୍ତ୍ର ଥିଲା। ୧୯୪୭ରେ ଦେଶରୁ ବିତାଡ଼ିତ କରିବା ପରେ ମାତ୍ର ବର୍ଷକ ପରେ ନିଜ ପୂର୍ବତନ ଶାସକକୁ ଭାରତୀୟ ବୀର ତା’ ମାଟିରେ ଧୂଳି ଚଟାଇଥିଲେ। ବଲବୀର ନିଜ ଆତ୍ମଜୀବନୀ ‘ଦି ଗୋଲଡେନ୍ ହ୍ୟାଟ୍ରିକ୍- ମାଇ ହକି ଡେଜ୍’ରେ ସେହି ଉଲ୍ଲସିତ କ୍ଷଣକୁ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ରେଫରି ଶେଷ ହ୍ବିସିଲ ମାରିବା ପରେ ଲଣ୍ଡନରେ ଥିବା ଭାରତର ପ୍ରଥମ ରାଷ୍ଟ୍ରଦୂତ ଭିକେ କୃଷ୍ଣମେନନ ଖୁସିରେ ପଡ଼ିଆ ଭିତରକୁ ଦୌଡ଼ି ଆସି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ମଧ୍ୟ ବଲବୀରଙ୍କର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟ ଥିଲା। ମଜାଦାର କଥା ହେଲା ଚମତ୍କାର ଫର୍ମରେ ଥିବା ବଲବୀର ପ୍ରଥମେ ଭାରତୀୟ ଦଳରେ ସ୍ଥାନ ପାଇନଥିଲେ। ୧୯୪୬ ଓ ୪୭ ଜାତୀୟ ପ୍ରତିଯୋଗିତାରେ ପଞ୍ଜାବ ପକ୍ଷରୁ ସର୍ବାଧିକ ଗୋଲ୍ ଦେଇଥିବା ବଲବୀରଙ୍କୁ ଦଳରେ ନେବା ଲାଗି ୧୯୩୨ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟ ରିଚାର୍ଡ କାର୍ ଦାବି କରିଥିଲେ। ଏହା ସତ୍ତ୍ବେ ସ୍ପେନ୍ ବିପକ୍ଷ ମ୍ୟାଚ୍ ସହ ହଲାଣ୍ଡ ବିପକ୍ଷ ସେମିଫାଇନାଲରେ ତାଙ୍କୁ ଖେଳା ଯାଇନଥିଲା। ଭାରତୀୟ ଛାତ୍ରମାନେ ଲଣ୍ଡନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ କୃଷ୍ଣମେନନଙ୍କ ହସ୍ତକ୍ଷେପ ପାଇଁ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଫାଇନାଲ୍ ଦଳରେ ବଲବୀରଙ୍କୁ ସ୍ଥାନ ମିଳିଥିଲା। ଏହି ଐତିହାସିକ ଦିନରେ ତାଙ୍କ ନିକଟତମ ବନ୍ଧୁ ରାଜେନ୍ଦ୍ର କାଲ୍‌ରା ବଲବୀରଙ୍କୁ ମନେ ପକାଇଛନ୍ତି।

ଭାରତୀୟ ୧୯୪୮ ଲଣ୍ଡନ ଅଲିମ୍ପିକ୍ସ ଦଳ
କିଶନ ଲାଲ (ଅଧିନାୟକ), ରଙ୍ଗନାଥନ ଫ୍ରାନସିସ୍, ଲିଓ ପିଣ୍ଟୋ, ୱାଲଟର ଡି’ସୁଜା, ତାର୍ଲୋଚନ ସିଂହ ବାୱା, ଅଖତର ହୁସେନ, ରଣଧୀର ସିଂହ ଜେଣ୍ଟଲ, କୁଅଁର ଦିଗବିଜୟ ସିଂହ ବାବୁ, କେଶବ ଦତ୍ତ, ଅମିର କୁମାର, ମାକ୍ସି ଭାଜ୍, ଲେସଲି କ୍ଲାଉଡିଅସ୍, ବଲବୀର ସିଂହ (ସିନିଅର), ପ୍ୟାଟ୍ରିକ୍ ଜନସେନ, ଲତିଫୁର ରେହମାନ, ଲାରି ଫର୍ନାଣ୍ଡିସ୍, ଜେରାଡ ଗ୍ଲାକେନ, ରେଜିନାଲ୍ଡ ରୋଡ୍ରିଗ୍ବେଜ୍, ଗ୍ରହନନ୍ଦନ ସିଂହ, ଯଶୱନ୍ତ ସିଂହ ରାଜପୁତ।

ସମ୍ବନ୍ଧିତ ଖବର