ଭାରତରେ ବ୍ୟବସାୟ କରିବା କଷ୍ଟକର: ଫକ୍ସୱାଗନ ଏମ୍‌ଡି

ନୂଆଦିଲ୍ଲୀ: ଭାରତରେ ବ୍ୟବସାୟ କରିବା ଅତ୍ୟନ୍ତ କଷ୍ଟକର ବୋଲି କାର୍‌ ନିର୍ମାତା ଫକ୍ସୱାଗନ ଗ୍ରୁପ୍‌ର ଭାରତୀୟ ବ୍ୟବସାୟ ଏମ୍‌ଡି ଗୁରୁପ୍ରତାପ ଏସ୍‌ ବୋପାରାଇ କହିଛନ୍ତି। ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମଞ୍ଜୁରି ଶୀଘ୍ର ମିଳିଯାଉଛି। କିନ୍ତୁ ପରବର୍ତୀ ସମୟରେ କାରବାର କରିବା କଷ୍ଟକର ହୋଇପଡ଼ୁଛି ବୋଲି ସେ କହିଛନ୍ତି। ସରକାର ନୀତି ନିୟମରେ ବାରମ୍ବାର ପରିବର୍ତ୍ତନ କରୁଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ବୋପାରାଇ କହିଛନ୍ତି, ପ୍ରତି ବଜେଟ୍‌ରେ ସରକାର ନିୟମ ପରିବର୍ତ୍ତନ କରୁଥିବାରୁ ଆମର ଦୀର୍ଘମିଆଦୀ ଯୋଜନା ପ୍ରଭାବିତ ହେଉଛି। ଭାରତର ଗାଡ଼ି ବଜାରରେ କାରବାର କରୁଥିବା କଂପାନିଗୁଡ଼ିକ ବିଏସ୍‌-୬ ମଡେଲ୍‌ ତିଆରି କରିବା ଲାଗି ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିବା ବେଳେ ସରକାର ହଠାତ୍‌ ଇଲେକ୍ଟ୍ରିକ୍ ଯାନକୁ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଫକ୍ସୱାଗନ୍ ଗ୍ରୁପ୍‌ର ସ୍କୋଡା, ଅଡି, ଫକ୍ସୱାଗନ, ଲାମ୍ବୋଘିନି ଓ ପୋର୍ସେ ଭଳି ସଂସ୍ଥା ଭାରତରେ କାରବାର କରୁଛନ୍ତି।

ଚୀନ୍ ଭଳି ଦେଶରୁ ଆସୁଥିବା ‌କେତେକ ସାମଗ୍ରୀ ଆମଦାନି ଉପରେ ଭାରତ ସରକାର କଟକଣା ଲଗାଇଥିବାରୁ ତ‌ାହା କାର୍‌ କଂପାନିଗୁଡ଼ିକ ଲାଗି ଚିନ୍ତାର କାରଣ ହୋଇଛି। ସେ କହିଛନ୍ତି, ଫକ୍ସୱାଗନ ହେଉଛି ଏକ ବିଶ୍ବସ୍ତରୀୟ କଂପାନି। ଏହା ବିଭିନ୍ନ ସ୍ଥାନରୁ ସାମଗ୍ରୀ ଯୋଗାଡ଼ କରୁଛି। ଏକ ରପ୍ତାନିକାରୀ ହେବାକୁ ହେଲେ କିଛି ସାମଗ୍ରୀ ଆମଦାନି କରିବାକୁ ପଡ଼ିବ। କାହା ପାଇଁ ମୁଁ ମୋ ବଜାର ଖୋଲିବି ନାହିଁ, କିନ୍ତୁ ସମସ୍ତେ ମୋ ପାଇଁ ତାଙ୍କ ବଜାର ଖୋଲିଦିଅନ୍ତୁ ବୋଲି ଆପଣମାନେ କହିପାରିବେ ନାହିଁ ବୋଲି ବୋପାରାଇ କହିଛନ୍ତି। ଫକ୍ସୱାଗନ ଗ୍ରୁପ୍‌ର ଭାରତରେ ପୁନେ ଓ ଔରଙ୍ଗାବାଦରେ ଦୁଇଟି କାରଖାନା ରହିଛି। ସେହି କାରଖାନାଗୁଡ଼ିକରେ ସ୍କୋଡ଼ା, ଫକ୍ସୱାଗନ ଓ ଅଡିର ଗାଡ଼ିଗୁଡ଼ିକୁ ତିଆରି କରାଯାଉଛି। ପୋର୍ସେ, ଲାମ୍ବୋଘିନି ଓ ଡୁକାଟି ମୋଟରସାଇକଲ୍‌କୁ କଂପାନି ଆମଦାନି କରୁଛି।

ସମ୍ବନ୍ଧିତ ଖବର