ଧାୱନ୍‌ ନିକଟ ଭବିଷ୍ୟତରେ ଟେଷ୍ଟ୍‌ ଦଳକୁ ଫେରିବା ଅସମ୍ଭବ: ଚୋପ୍ରା

ନୂଆଦିଲ୍ଲୀ: ଶିଖର ଧାୱନ୍‌ ବିଗତ ଅନେକ ବର୍ଷ ଧରି ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍‌ ରହିଆସିଛନ୍ତି। ଏହାର ମାନେ ନୁହେଁ ଯେ ଭାରତ ଏହି ସମୟ ମଧ୍ୟରେ ଭିନ୍ନ ଭିନ୍ନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଏହି ସ୍ଥାନ ପାଇଁ ପରଖିନାହିଁ। ତାଙ୍କ ଓପ୍‌ନିଂ ଯୋଡ଼ିଦାର ନିମନ୍ତେ ଦଳୀୟ କର୍ତ୍ତୃପକ୍ଷ ରୋହିତ ଶର୍ମାଙ୍କଠୁ କେଏଲ୍‌ ରାହୁଲ ଏବଂ ପୃଥ୍ବୀ ସ’ଙ୍କଠାରୁ ମୟଙ୍କ ଅଗ୍ରୱାଲ, ପୁଣି ମୁରଲୀ ବିଜୟଙ୍କଠୁ ହନୁମା ବିହାରୀଙ୍କ ପର୍ଯ୍ୟନ୍ତ ସମସ୍ତ ଫର୍ମାଟ୍‌ (ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦) ପାଇଁ ସଂଖ୍ୟାଧିକ ଖେଳାଳିଙ୍କୁ ପରୀକ୍ଷାନିରୀକ୍ଷା କରିସାରିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ହାତଗଣତି କିଛି ଖେଳାଳି ହିଁ ଓପ୍‌ନିଂ ସ୍ଥାନରେ ଧାୱନ୍‌ଙ୍କ ଭଳି ସ୍ଥିର ପ୍ରଦର୍ଶଦ ଦେବାରେ ସମର୍ଥ ହୋଇଛନ୍ତି। ଧାୱନ୍‌ ଏପର୍ଯ୍ୟନ୍ତ ୩୪ ଟେଷ୍ଟ୍‌ ଖେଳି ୭ ଶତକ ସହାୟତାରେ ୨୩୧୫ ରନ୍‌ କରିଛନ୍ତି। ତାଙ୍କ ହାରାହାରି ୪୦.୬୧ ରହିଛି। ହେଲେ ୨୦୧୮ରେ ଲଗାତାର ଖରାପ ପ୍ରଦର୍ଶନ ପାଇଁ ଧାୱନ୍‌ ଏବେ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଛନ୍ତି।

ଏହି ବାମହାତୀ ଧାୱନ୍‌ ୨୦୧୮ ସେପ୍ଟମ୍ବରରେ ଦି ଓଭାଲ୍‌ରେ ଇଂଲଣ୍ଡ ବିପକ୍ଷରେ ହିଁ ତାଙ୍କର ଶେଷ ଟେଷ୍ଟ୍‌ ଖେଳିଥିଲେ। ଏବେ ତାଙ୍କୁ ୩୪ ବର୍ଷ ହୋଇଗଲାଣି। ଗୋଟିଏ ପଟେ ଦୁର୍ବଳ ପ୍ରଦର୍ଶନ ଏବଂ ଅନ୍ୟ ପଟେ ବୟସକୁ ନେଇ ଏବେ ତାଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଧାୱନ୍‌ କ’ଣ ପୁଣି ଥରେ ଟେଷ୍ଟ୍‌ ଖେଳିବା ପାଇଁ ସୁଯୋଗ ପାଇପାରିବେ? ଏଭଳି ଏକ ଆଲୋଚନାରେ ଭାଗ ନେଇ ନିଜ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରି‌କେଟର୍‌ ଆକାଶ ଚୋପ୍ରା। ଚୋପ୍ରାଙ୍କ ମତରେ ଧାୱନ୍‌ ଭାରତ ପାଇଁ ପୁନର୍ବାର ଟେଷ୍ଟ ଖେଳିବାର ସୁଯୋଗ ପାଇପାରିବେନି। ଏହା ତାଙ୍କ ପାଇଁ ସହଜ ହୋଇନପାରେ ବୋଲି ଚୋପ୍ରା କହିଛନ୍ତି। ତା’ ମାନେ ମୁଁ କହୁନି ସେ କଦାପି ସୁଯୋଗ ପାଇବେନି। ସେ ସୁଯୋଗ ପାଇପାରନ୍ତି। ହେଲେ ଏତେଶୀଘ୍ର ନୁହେଁ। ବିଶେଷକରି ନିକଟ ଭବିଷ୍ୟତରେ ଧାୱନ୍‌ ଟେଷ୍ଟ ଦଳକୁ ଫେରିବେ ବୋଲି ମୁଁ ଭାବିପାରୁନି। କାରଣ ଏବେ ଦଳରେ ତାଙ୍କ ଅପେକ୍ଷା ଯଥେଷ୍ଟ ଭିନ୍ନ ବିକଳ୍ପ ପୂରିରହିଛି ବୋଲି ନିଜ ୟୁଟ୍ୟୁବ୍‌ ପୃଷ୍ଠାରେ ଏକ ଭିଡିଓରେ କହିଛନ୍ତି ଚୋପ୍ରା। ‌ଚୋପ୍ରାଙ୍କ କହିବା କଥା ହେଲା, ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’ ଏବଂ କେଏଲ୍‌ ରାହୁଲଙ୍କ ରୂପରେ ଏବେ ୪ ବିଳକ୍ପ ଉଭା ହୋଇଛି। ଫଳରେ ଏକ୍ଷେତ୍ରରେ ଧାୱନ୍‌ ପଞ୍ଚମ ସ୍ଥାନକୁ ଖସିଯାଇଛନ୍ତି। ତେଣୁ ଏହାକୁ ଦେଖିଲେ ଓପ୍‌ନିଂ ସ୍ଥାନ ପାଇଁ ଏବେ ଭାରତୀୟ ଦଳରେ ବିଶେଷ ଚିନ୍ତାର କାରଣ ନାହିଁ। ଏପରିକି ଧାୱନ୍‌ଙ୍କ ସ୍ଥାନ ସେଥିମଧ୍ୟରେ ଦେଖାଯାଉନି। ତେଣୁ ଧାୱନ୍‌ ହୁଏତ ଭବିଷ୍ୟତରେ ଆସିପାରନ୍ତି କିନ୍ତୁ ନିକଟ ଭବିଷ୍ୟତରେ ଟେଷ୍ଟ୍‌ ସୁଯୋଗ ପାଇବା ଆଶା କ୍ଷୀଣ ବୋଲି ଚୋପ୍ରା କହିଛନ୍ତି। ଚୋପ୍ରା ଏଥି ସହିତ ଆଉ ଏକ ଦିଗ ଉପରେ ନଜର ପକାଇଛନ୍ତି। ତାଙ୍କ କହିବା କଥା ହେଲା, ଏହା ହୁଏତ କହିବାର ସମୟ ନୁହେଁ ବୋଲି ମୁଁ ଭାବୁଛି। ହେଲେ ଧଳା ବଲ୍‌ କ୍ରିକେଟ୍‌ (ଦିନିକିଆ ଓ ଟ୍ବେଣ୍ଟି-୨୦) ଉପରେ ଅଧିକ ନଜର ରଖିବା ନିମନ୍ତେ ହୁଏତ ଧାୱନ୍‌ ଟେଷ୍ଟ୍‌ରୁ ଅବସର ଘୋଷଣା କରିଦେଇପାରନ୍ତି ବୋଲି ଭାରତ ପାଇଁ ୧୦ ଟେଷ୍ଟ ଖେଳି ୨୩ ହାରରେ ୪୩୭ ରନ୍‌ କରିଥିବା ଚୋପ୍ରା ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର