ଦୋହା: କାତାରରେ ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରକାରର ଆଲୋଚନା ଜୋର ଧରିଥିଲା। ବିଶେଷକରି ଷ୍ଟାଡିୟମ୍ ନିର୍ମାଣ କରିବାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ହେଉ କିମ୍ବା ସମଲିଙ୍ଗୀ ସମ୍ପ୍ରଦାୟଙ୍କୁ ଅନୁମତିକୁ ହେଉ, ମାନବାଧିକାର ଗୋଷ୍ଠୀମାନେ ଏସବୁକୁ ବଡ଼ ପ୍ରସଙ୍ଗ କରିଥିଲେ। ବିଶ୍ବକପ୍ ବର୍ଜନ କରିବାକୁ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଏସବୁ ସତ୍ତ୍ବେ ବଡ଼ ବଡ଼ ବ୍ରାଣ୍ଡ୍ଙ୍କ ଉପରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନି। ପ୍ରଥମ ଦିନ ସୁଦ୍ଧା ୫୦୦ କୋଟି ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଇବାରେ ଏହି ବିଶ୍ବକପ୍ ସଫଳ ହୋଇଛି। ତେଣୁ ଯେଉଁଠାରେ ଦର୍ଶକଙ୍କ ସଂଖ୍ୟା କଥା ଆସିବ ସେଠାରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ରାଣ୍ଡ୍ମାନେ ବି ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେବେ ନାହିଁ।
ପ୍ରତିଯୋଗିତା ଓ ବିଭିନ୍ନ ଦଳ ସହ ଜଡ଼ିତ ଥିବା ପ୍ରାୟୋଜକ କମ୍ପାନିଙ୍କ ମଧ୍ୟରୁ ୭୬ ଜଣଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେହି ବି ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସତ୍ତ୍ବେ ନିଜର ବିଜ୍ଞାପନ ପ୍ରଚାର ଯୋଜନାରେ କୌଣସି ପରିବର୍ତ୍ତନ କରିବାକୁ ମନାକରିଥିଲେ। ବିଭିନ୍ନ ଜାତୀୟ ଦଳ ସହ ଜଡ଼ିତ ଥିବା ୬୯ କମ୍ପାନିଙ୍କ ମଧ୍ୟରୁ ୨୦ ଜଣ ମାନବାଧିକାର ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ। କିନ୍ତୁ ମାର୍କେଟିଂ ଯୋଜନାରେ କିଭଳି ପରିବର୍ତ୍ତନ ଆଣିବେ ତାହା କହିନଥିଲେ। ୧୩ କମ୍ପାନିଙ୍କର କାତାର ସହିତ ବ୍ୟବସାୟିକ ସମ୍ପର୍କ ଥିବାରୁ ସେମାନେ ଏହାକୁ ଚଳାଇନେବେ ବୋଲି କହିଥିଲେ। ତେଣୁ ଏହାକୁ ଦେଖିଲେ ଚଳିତ ସଂସ୍କରଣରେ ଫିଫା ଆୟରେ ରେକର୍ଡ ସଂଖ୍ୟକ ବୃଦ୍ଧି ପରିଲକ୍ଷିତ ହେବ ବୋଲି ଆକଳନ କରାଯାଉଛି।
କିଛି ବ୍ୟାବସାୟିକ କମ୍ପାନିମାନେ ବିଜ୍ଞାପନ କ୍ଷେତ୍ରରେ ଏଥର ପାଖାପାଖି ୯ହଜାର କୋଟି ଡଲାର କମ୍ ଖର୍ଚ୍ଚ କରିବାକୁ ଯାଉଛନ୍ତି। କାତାର ବ୍ୟବସାୟ କିମ୍ବା ଜାତୀୟ ଦଳମାନଙ୍କ ସହିତ ଜଡ଼ିତ ଥିବା କିଛି କମ୍ପାନି ନିଜର ବିଜ୍ଞାପନ କରିବା ଅପେକ୍ଷା ସେମାନଙ୍କ ବ୍ରାଣ୍ଡ ଲୋଗୋ ପ୍ରମୋସନ୍କୁ ଗୁରୁତ୍ବ ଦେଇଛନ୍ତି। ଅନ୍ୟପକ୍ଷରେ କିଛି ବିଜ୍ଞାପନ ଦାତାଙ୍କ ଦୁର୍ବଳତାକୁ ନଜରରେ ରଖି ପ୍ରସାରଣକାରୀମାନେ ବି ଭଲ ରକମର ଆୟ ପାଇଁ ଆଶା ରଖିଛନ୍ତି। ଉଦାହରଣ ସ୍ବରୂପ ୟୁକେର ପ୍ରସାରଣକାରୀ ଚ୍ୟାନେଲ୍ ଆଇଟିଏମ୍ ବର୍ଷର ଶେଷ ଭାଗରେ ବର୍ଷକର ଆୟ ତୁଳନାରେ ରେକର୍ଡ କରିବ। ଏହା କେବଳ ବିଶ୍ବକପ୍ ପାଇଁ ସମ୍ଭବ ହେବାକୁ ଯାଉଛି। ସେହିପରି ଆଉ କିଛି ବ୍ରାଣ୍ଡ ଫାଇନାଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁଛନ୍ତି। ପ୍ରଶଂସକଙ୍କ ଚାହିଦା ଓ ମ୍ୟାଚ୍ର ମୋଡ଼କୁ ପରଖିବା ପରେ ଉକ୍ତ ବ୍ରାଣ୍ଡମାନେ ବିଜ୍ଞାପନ ପାଇଁ ସାମ୍ନାକୁ ଆସିବେ। ତେଣୁ ବିଜ୍ଞାପନଦାତାଙ୍କ ପାଇଁ ବି ଏହି ବିଶ୍ବକପ୍ ଅନ୍ୟ ସଂସ୍କରଣ ପରି ସ୍ବାଭାବିକ ନୁହେଁ, ଅଧିକ ଉପାର୍ଜନକ୍ଷମ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/fifa.jpg)