ୱର୍ନ ଓ ମୁରଲୀଙ୍କ ସହ ତୁଳନା ବହୁତ କଷ୍ଟକର: କୁମ୍ବଲେ

‘ଲାରାଙ୍କ ପାଖରେ ଗୋଟିଏ ବଲ୍‌ ପାଇଁ ଚାରିଟି ଭିନ୍ନ ସଟ୍‌ ଥିଲା’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ସବୁଠୁ ସଫଳ ବୋଲର ହେଉଛନ୍ତି ଲେଗ୍‌ ସ୍ପିନର୍‌ ଅନିଲ କୁମ୍ବଲେ। ନିଜ ଐତିହାସିକ ଖେଳ ଜୀବନରେ ଭାରତ ପାଇଁ ସେ ୬୧୯ ଟେଷ୍ଟ୍‌ ଏବଂ ୩୩୭ ଦିନିକିଆ ୱିକେଟ୍‌ ଅକ୍ତିଆର କରିଥିଲେ। ଉଭୟ ଫର୍ମାଟ୍‌ରେ ସେ ଭାରତର ଅଗ୍ରଣୀ ବୋଲର ଅଛନ୍ତି। ଏକମାତ୍ର ଭାରତୀୟ ଭାବେ କୁମ୍ବଲେ ମଧ୍ୟ ଗୋଟିଏ ଟେଷ୍ଟ୍ ପାଳିର ସମସ୍ତ ୧୦ ୱିକେଟ୍ ଅକ୍ତିଆର କରିଛନ୍ତି। ୧୯୯୯ ପାକିସ୍ତାନ ବିପକ୍ଷ ଫିରୋଜ ସାହା କୋଟଲା ପଡ଼ିଆରେ ସେ ଏହି ଗୌରବ ଅର୍ଜନ କରିଥିଲେ। କୁମ୍ବଲେଙ୍କ ଭଳି ଅଷ୍ଟ୍ରେଲିଆର ସେନ୍‌ ୱର୍ନ ଏବଂ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ମଧ୍ୟ ଉଭୟ ଫର୍ମାଟ୍‌ରେ ବଡ଼ ସଫଳତା ପାଇଛନ୍ତି। ଏହି ଦୁଇ ବୋଲରଙ୍କୁ କୁମ୍ବଲେଙ୍କ ସହିତ ବିଶ୍ବ କ୍ରିକେଟର୍‌ ସଫଳ ବୋଲର ବିବେଚନା କରାଯାଇଥାଏ। ଏହି ଦୁଇ ବୋଲରଙ୍କ ସହ ତୁଳନାକୁ କିନ୍ତୁ ଭାରତୀୟ କିଂବଦନ୍ତି ସହଜରେ ଗ୍ରହଣ କରନ୍ତିନାହିଁ।

ଜିମ୍ବାୱେ ଭାଷ୍ୟକାର ପୋମି ବାଙ୍ଗୱାଙ୍କ ସହ ଏକ ଆଲୋଚନା ବେଳେ କୁମ୍ବଲେ କହିଛନ୍ତି ‘ମୋତେ ଏହି ଦୁଇ ସ୍ପିନରଙ୍କ ସହ ତୁଳନା କରିବା ବହୁତ କଷ୍ଟକର, କାରଣ ଉଭୟ ବୋଲର ବିଶ୍ବର ଯେ କୌଣସି ପିଚ୍‌ରେ ମଧ୍ୟ ବଲ୍‌କୁ ସ୍ପିନ୍‌ କରିପାରନ୍ତି। ଭାରତ-ଶ୍ରୀଲଙ୍କା ଅଧିକ ଖେଳିଥିବାରୁ ମୋ ମାଇଲଖୁଣ୍ଟ୍ ଅତିକ୍ରମ ବେଳେ ମୁରଲୀ ମୋତେ ଅଭିନନ୍ଦନ ଜଣାନ୍ତି। ମୋ ପରେ ସେ ପ୍ରାୟ ୩୦ ୱିକେଟ୍ ନେଇ ମାଇଲଖୁଣ୍ଟ ଅତିକ୍ରମ କରିଥା’ନ୍ତି। ମୁଁ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇ ଦେଇଥାଏ। ୫୦୦ ୱିକେଟ୍‌ ଲାଗି ତୁମକୁ ଆଉ ୩ଟି ଟେଷ୍ଟ୍ ଲାଗିବ ବୋଲି କହିଥାଏ। ସେ ନା ନା କରନ୍ତି, ଅନେକ ବାଟ ଯିବାର ଅଛି କହିଥା’ନ୍ତି। ଆମମାନଙ୍କ (କୁମ୍ବଲେ, ୱର୍ନ ଓ ମୁରଲୀ) ମଧ୍ୟରେ ଭଲ ସମ୍ପର୍କ ରହିଛି। ନିଜ ନିଜ ଦେଶ ପାଇଁ ଭଲ ଖେଳିଥିବାରୁ ଖୁସି ଲାଗିଥାଏ ବୋଲି କହିଥିଲେ କୁମ୍ବଲେ। ସୂଚନାଯୋଗ୍ୟ, ଟେଷ୍ଟ୍‌ରେ ମୁରଲୀ (୮୦୦), ୱର୍ନ (୭୦୮) ଓ କୁମ୍ବଲେ (୬୧୯) ଏବେ ବି ପ୍ରଥମ ୩ ସ୍ଥାନରେ ରହିଛନ୍ତି। ଦିନିକିଆରେ କିନ୍ତୁ ମୁରଲୀ (୫୩୪) ଶୀର୍ଷରେ ରହିଥିବା ବେଳେ କୁମ୍ବଲେ (୩୩୭) ଏବଂ ୱର୍ନ (୨୯୩) ଯଥାକ୍ରମେ ଦଶମ ଓ ଚତୁର୍ଦଶ ସ୍ଥାନରେ ରହିଛନ୍ତି।

ନୂଆଦିଲ୍ଲୀ: କେଉଁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବୋଲିଂ କରିବା ସବୁଠାରୁ କଷ୍ଟକର ବୋଲି ପ୍ରଶ୍ନ ହେବାରୁ ପୂର୍ବତନ ଭାରତୀୟ ସ୍ପିନର୍‌ ଅନିଲ କୁମ୍ବଲେ ୱେଷ୍ଟଇଣ୍ଡିଜ୍‌ର ମହାନ ବାମହାତୀ ବ୍ୟାଟସମ୍ୟାନ୍‌ ବ୍ରାଏନ୍ ଲାରାଙ୍କ ନାମ ନେଇଛନ୍ତି। ନିଜର ୧୮ ବର୍ଷର ଲମ୍ବା ଖେଳ ଜୀବନରେ କୁମ୍ବଲେଙ୍କୁ ରିକି ପଣ୍ଟିଂ, କୁମାର ସାଙ୍ଗାକାରା, ସଇଦ୍ ଅନୱାର, ଇଞ୍ଜାମାମ ଉଲ୍ ହକ୍‌, ଜ୍ୟାକ୍ କାଲିସଙ୍କ ଭଳି ମହାନ ବ୍ୟାଟସମ୍ୟାନ୍‌ଙ୍କ ବିପକ୍ଷରେ ସଂଘର୍ଷ କରିବାକୁ ପଡ଼ିଛି। କୁମ୍ବଲେ କିନ୍ତୁ ଲାରାଙ୍କୁ ବୋଲିଂ କରିବା ସବୁଠାରୁ କଷ୍ଟକର ବୋଲି କହିଛନ୍ତି। ଲାରାଙ୍କ ନିକଟରେ ଗୋଟିଏ ପ୍ରକାର ବଲ୍‌କୁ ୪ଟି ଭିନ୍ନ ଭିନ୍ନ ସଟ୍‌ ଖେଳିବାର ଦକ୍ଷତା ଥିଲା, ଏହା ହିଁ ସବୁଠାରୁ ବଡ଼ ଆହ୍ବାନ। ଆପଣ ଭାବିଥିବେ ତାଙ୍କୁ ପରାସ୍ତ କରିବେ କିମ୍ବା ୱିକେଟ୍‌ ନେଇଯିବେ, କିନ୍ତୁ ସେ ତାଙ୍କ ସଟ୍‌ ଚୟନ ନିଷ୍ପତ୍ତିକୁ ପରିବର୍ତନ କରି ବଲ୍‌କୁ ଥାର୍ଡମ୍ୟାନ୍‌ ଉପରକୁ ପଠାଇ ଦିଅନ୍ତି ବୋଲି କୁମ୍ବଲେ ପ୍ରକାଶ କରିଥିଲେ। ଲାରାଙ୍କ ବିପକ୍ଷରେ କୁମ୍ବଲେ ଅବଶ୍ୟ ଅପେକ୍ଷାକୃତ ଭଲ ବୋଲିଂ କରିଥିଲେ। ତାଙ୍କ ବିପକ୍ଷରେ ୧୪ ଟେଷ୍ଟ୍ ମ୍ୟାଚ୍‌ ଖେଳି ୫ ଥର ଆଉଟ୍ କରିଥିଲେ। ଏହା ମଧ୍ୟରୁ ସବୁଠୁ ବିଖ୍ୟାତ ରହିଛି ୨୦୦୨ ଆଣ୍ଟିଗୁଆ ଟେ‌ଷ୍ଟ୍‌ ୱିକେଟ୍‌। ସେଥର ଭଙ୍ଗା ମାଢ଼ିରେ ଖେଳିଥିବା କୁମ୍ବଲେ ଲାରାଙ୍କ ୱିକେଟ୍ ନେଇଥିଲେ। ଭାରତର ଅଗ୍ରଣୀ ଟେଷ୍ଟ (୬୧୯) ଏବଂ ଦିନିକିଆ (୩୩୭) ୱିକେଟ୍‌ ଦଖଲକାରୀ କୁମ୍ବଲେ ଯଥାକ୍ରମେ ୧୩୨ ଓ ୨୭୨ ମ୍ୟାଚ୍‌ ଖେଳିଥିଲେ। ଲାରା ୧୩୧ ଟେଷ୍ଟ୍‌ ଓ ୨୯୯ ଦିନିକିଆ ଖେଳି ଯଥାକ୍ରମେ ୧୧,୯୫୩ ଓ ୧୦,୪୦୫ ରନ୍‌ ସଂଗ୍ରହ କରିଥିଲେ। ୨୦୦୭ ଏବଂ ୨୦୦୮ରେ ଭାରତୀୟ ଦଳର ନେତୃତ୍ବ ନେଇଥିବା କୁମ୍ବଲେ କହିଥିଲେ ମୁଁ ବଡ଼ ଭାଗ୍ୟବାନ ଯେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗଙ୍କୁ ବୋଲିଂ କରିବାକୁ ପଡ଼ିନି। ‘ଏମାନଙ୍କୁ ପୂର୍ବ ଅପରାହ୍ନରେ ନେଟ୍‌ ପ୍ରାକ୍ଟିସ୍‌ରେ ବୋଲିଂ କରିଥାଏ, କିନ୍ତୁ ପରବର୍ତୀ ଦିନ ସକାଳେ ମ୍ୟାଚ୍‌ରେ ପଡ଼ିବନି ବୋଲି ଜାଣିଥାଏ। ସୌଭାଗ୍ୟତଃ ଏମାନେ ମୋ ସାଥୀ ଖେଳାଳି ଥିଲେ’ ବୋଲି ୪୯ ବର୍ଷୀୟ କୁମ୍ବଲେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର